ଭୁବନେଶ୍ବର: ରାୟଗଡ଼ା ଜିଲା ସିଜିମାଳିରେ ପ୍ରସ୍ତାବିତ ବକ୍ସାଇଟ୍ ଖଣି ପ୍ରକଳ୍ପକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଏବଂ ଆଦିବାସୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଆଜି ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ନିକଟରେ ଏକ ପିଟିସନ ଦାଖଲ କରିଛନ୍ତି ସାଂସଦ ଡ. ସସ୍ମିତ ପାତ୍ର। ତୁରନ୍ତ ଏହି ଘଟଣାକୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉ ଏବଂ ତଦନ୍ତ କରାଯାଉ ବୋଲି ସସ୍ମିତ୍ କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ପରବର୍ତ୍ତୀ ସମୟରେ ମୁଁ ଜାତୀୟ ଅନୁସୂଚିତ ଜନଜାତି ଅଧ୍ୟକ୍ଷଙ୍କୁ ମୁଁ ଭେଟିବାକୁ ଚେଷ୍ଟା କରିଥିଲି। କିନ୍ତୁ ସେ ମଧ୍ୟପ୍ରଦେଶ ଯାଇଥିଲେ। ମୁଁ ତାଙ୍କୁ ଫୋନରେ ଯୋଗାଯୋଗ କରିଥିଲି। ସେ ମୋ ସହ ବହୁ ଆଦର ଏବଂ ସମ୍ମାନର ସହ କଥା ହୋଇଥିଲେ। ମୁଁ ତାଙ୍କୁ ସିଜିମାଳି ଘଟଣା ବିଷୟରେ ସମ୍ପୂର୍ଣ୍ଣ ଅବଗତ କରିଥିଲି। ମୁଁ ଇମେଲ କରିଥିବା କଥା ମଧ୍ୟ ତାଙ୍କୁ ଜଣାଇଥିଲି। ଏବଂ ସେ ୧୮ ତାରିଖରେ ମଧ୍ୟପ୍ରଦେଶରୁ ଫେରିବା ପରେ ୧୯ ତାରିଖରେ ମୋତେ ଭେଟନ୍ତୁ। ସେପଟେ ଏହି ଘଟଣା ସମ୍ପୂର୍ଣ୍ଣ ଅମାନବୀୟ ବୋଲି ବର୍ଣ୍ଣନା କରିବା ସହିତ ଆଦିବାସୀଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ଦେଶର ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛି ବିଜେଡି। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାୟଗଡ଼ା ଜିଲା ସଭାପତି ଜଗନ୍ନାଥ ସାରକା, କୋରାପୁଟ ଜିଲା ସଭାପତି ଝିନ୍ନ ହିକ୍କା ଓ ଗଣମାଧ୍ୟମ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ ସିଜିମାଳି ଅଞ୍ଚଳରେ ଆଦିବାସୀଙ୍କ ଉପରେ ପ୍ରଶାସନ ଦ୍ୱାରା କରାଯାଇଥିବା ଅମାନବୀୟ ଓ ବର୍ବରୋଚିତ କାଣ୍ଡ ରାଜ୍ୟ ବିଜେପି ସରକାରଙ୍କ ଆଦିବାସୀ ବିରୋଧୀ ନୀତିକୁ ପ୍ରଦର୍ଶିତ କରୁଛି ବୋଲି ଅଭିଯୋଗ କରିଥିଲେ।










