27.5 C
Bhubaneswar
Friday, April 10, 2026
Homeଓଡିଶାଓକାକ ଏଆଇ କ୍ଷମତାଯୁକ୍ତ କ୍ଲାସରୁମ୍‌ର ଟେଣ୍ଡର ବାତିଲ କରୁ : ୟାସିର ନୱାଜ

ଓକାକ ଏଆଇ କ୍ଷମତାଯୁକ୍ତ କ୍ଲାସରୁମ୍‌ର ଟେଣ୍ଡର ବାତିଲ କରୁ : ୟାସିର ନୱାଜ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ଏକ ସାମ୍ବାଦିକ ସମ୍ମିଳନୀରେ ଏଆଇ କ୍ଷମତାଯୁକ୍ତ କ୍ଲାସ ରୁମ୍‌ର ଟେଣ୍ଡର ସଂପର୍କରେ ଖୋଲାସା କରିଥିଲେ। ସେ କହିଥିଲେ ଓଡ଼ିଶାସରକାରଙ୍କ ପକ୍ଷରୁ ଓକାକ୍ ଏ.ଆଇ. କ୍ଷମତା ଯୁକ୍ତ ଡିଜିଟାଲ ଆସେସ୍‌ମେଣ୍ଟ ସହିତ ଭର୍ଚ୍ୟୁଆଲ କ୍ଲାସ୍ ରୁମ୍ କରିବା ପାଇଁ ଟେଣ୍ଡର ଆହ୍ୱାନକରିଥିଲା। ବିଶେଷ କରି ଓସେପା ଏବଂ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସ୍କିମ୍ କରାଯାଉଛି। ଏହାଦ୍ୱାରା ୫୩୭୦ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ସରକାରୀ ସ୍କୁଲରେ ଏହି କ୍ଲାସ ରୁମ୍ ସ୍ଥାପନ କରାଯିବ। ଏହା ଏକ ୫ ବାର୍ଷିକ କାର୍ଯ୍ୟନ୍ୱୟନ ଏବଂ ରକ୍ଷଣାବେକ୍ଷଣ ଯୋଜନା। ଏଥିରେ ଇଲୋଟ୍ରୋନିକ୍ସ ଏବଂ ଇନ୍‌ଫରମେସନ ଟେକ୍ନୋଲୋଜି ବିଭାଗର ମଧ୍ୟ ଦାୟିତ୍ୱ ରହିଛି। ଏବେ ଏହି ଯୋଜନାର ପ୍ରଣୟନ ପାଇଁ ପାଖାପାଖି ୧୦୦୦ କୋଟି ଟଙ୍କା ବ୍ୟୟ ପାଇଁ ସ୍ଥିର କରାଯାଇଛି।

ଏହି ଯୋଜନା ସ୍ୱାଗତଯୋଗ୍ୟ ମାତ୍ର ଭିତ୍ତିଭୂମି ନଥାଇ ଏଭଳି ଯୋଜନାର ପ୍ରଣୟନ ସନ୍ଦେହପୂର୍ଣ୍ଣ ମଧ୍ୟ। ଓଡ଼ିଶାରେ ଏକ ଦୟନୀୟ ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥା ଚାଲିଛି। ପ୍ରାୟ ୫୦ ହଜାର ସରକାରୀ ସ୍କୁଲରୁ ଅର୍ଦ୍ଧାଧିକ ସ୍କୁଲରେ ଶିକ୍ଷକ ମରୁଡି ପଡିଛି। ୨୦ ହଜାର ସରକାରୀ ସ୍କୁଲରେ ଡେସ୍କ, ବେଞ୍ଚ ନଥିବାରୁ ପିଲାମାନେ ତଳେ ବସୁଛନ୍ତି। ୧୫ ଶହ ସରକାରୀ ସ୍କୁଲରେ ବିଜୁଳି ସଂଯୋଗ ନାହିଁ। ୧୭୬୩ ସରକାରୀସ୍କୁଲରେ କୋଠା ବିପଦ ସଂକୁଳ ଅବସ୍ଥାରେ ଅଛି। କମ୍ପ୍ୟୁଟର ଶିକ୍ଷକ ନଥିବାରୁ ବହୁ ସ୍କୁଲରେ କମ୍ପ୍ୟୁଟର ଖତ ଖାଉଛି। ମାତ୍ର ୩୦ ପ୍ରତିଶତ ଶିକ୍ଷକଙ୍କର କମ୍ପ୍ୟୁଟର ଜ୍ଞାନ ଅଛି। ୩.୯ ପ୍ରତିଶତ ସରକାରୀ ସ୍କୁଲରେ ନିଜର ପିସିଏସ ବା ଡେସ୍କଟପ୍ ବ୍ୟବସ୍ଥା ରହିଛି। ୨୫.୭ ପ୍ରତିଶତ ଫଙ୍କସ୍‌ନାଲ ସ୍ମାଟ ରୁମ୍ ରହିଛି। ୨୯ ପ୍ରତିଶତ ସରକାରୀ ସ୍କୁଲ ମୋବାଇଲ ଫୋନ୍ ବ୍ୟବହାର କରି ଶିକ୍ଷାଦାନ କରୁଛନ୍ତି। ସୁତରାଂ ଓଡ଼ିଶାର ସରକାରୀ ଶିକ୍ଷା ବ୍ୟବସ୍ଥା ଏକ ବିପଜ୍ଜୟ ଅବସ୍ଥାରେ ରହିଛି। ଯେଉଁଠାରେ ମୌଳିକ ଭିତ୍ତିଭୂମି ନାହିଁ। ଡ୍ରପ୍ ଆଉଟ୍ ସଂଖ୍ୟା ବଢ଼ିଚାଲିଛି।ଏଭଳି ପରିସ୍ଥିତିରେ ପାଖାପାଖି ୧୦୦୦ କୋଟି ଟଙ୍କା ବ୍ୟୟ କରି ଏଆଇ କ୍ଷମତାଯୁକ୍ତ ଡିଜିଟାଲ ଆସେସ୍‌ମେଣ୍ଟ ସହିତ ଭର୍ଚ୍ୟୁଆଲକ୍ଲାସ୍ ରୁମ୍ କରିବା କେତେଦୂର ଯୁକ୍ତିଯୁକ୍ତ? ‘କାନ୍ଥ ନଥାଇ ଛାତ’ କଥାଟି ଶୁଣିବାକୁ କିପରି ଲାଗୁଛି। ଏହି ଯୋଜନାର ପ୍ରଣୟନ କଥାଟି ସେଇଆ। ଓଡ଼ିଶା ସରକାରଙ୍କ ପ୍ରିନ୍ସପାଲ ସେକ୍ରେଟାରୀ ତଥା ଆଇଟି ସଚୀବ ବିଶାଳ ଦେବ, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍କ ମିଳିତ ଷଡଯନ୍ତ୍ରରେ ଅର୍ଥ ଆତ୍ମସାତ୍ କରିବା ପାଇଁ ଏହା ଏକ ଯୋଜନା ନୁହେଁ ତ? ମୂଳ ନ ସଜାଡି କିଭଳି ଏପରି ବ୍ୟବସ୍ଥାକରାଯାଉଛି ତାହା ଆଶ୍ଚର୍ଯ୍ୟଜନକ। ପୂର୍ବ ସରକାରରେ ଅର୍ଥସଚୀବ ଥିଲାବେଳେ ବିଶାଳ ଦେବଙ୍କ ଉଦ୍ୟମରେ ଏଭଳି ଏକ ଟେଣ୍ଡର ଆହ୍ୱାନ କରାଯାଇଥିଲା ଏବଂ ପରବର୍ତ୍ତି ପର୍ଯ୍ୟାୟରେ ତାହା ବାତିଲ ହୋଇଛି। ଏକ ଏଆଇ କ୍ଲାସ ରୁମ୍ ପାଇଁ ଯେଉଁ ଭିତ୍ତିଭୂମିର ଆବଶ୍ୟକତା ରହିଛି ଆମର ଶିକ୍ଷା ବ୍ୟବସ୍ଥା ତା’ଠାରୁ ବହୁ ଦୂରରେ। ପ୍ରଥମେ ଉଜୁଡି ପଡ଼ିଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡ। ନ ହେଲେ କେବଳ ଟଙ୍କା ହରିଲୁଟ୍ କରିବା ପାଇଁ ଏହା ବ୍ୟବସ୍ଥିତ ବୋଲି ନିଶ୍ଚିତ ଭାବରେ ଲୋକେ କହିବେ।

ଅନ୍ୟପକ୍ଷରେ ଏହି ଟେଣ୍ଡରରେ ଭୟଙ୍କର ତ୍ରୁଟି ଏବଂ ସାଜିସ୍ ଭରି ରହିଛି ବୋଲି ହାଇକୋର୍ଟରେ ଚ୍ୟାଲେଞ୍ଜ କରାଗଲାଣି। ଏହି ଟେଣ୍ଡରକୁ ବାତିଲ କରିବା ପାଇଁ କେସ୍ କରାଯାଇଛି। ଟେଣ୍ଡର ପ୍ରକ୍ରିୟାରେ ବହୁ ନିୟମ ଉଲଘଂନ ହୋଇଛି। ଏକ ସ୍ୱତନ୍ତ୍ର ସୂତ୍ରରୁ ଜଣାପଡିଛି ଯେ ସେଲ୍‌କନ୍‌, ଇମ୍‌ଟେକ୍ସ ପ୍ରାଇଭେଟ ଲିମିଟେଡ ନାମକ ସଂସ୍ଥାକୁ କାର୍ଯ୍ୟଭାର ଦେବା ପାଇଁ ସରକାରୀ ଉଦ୍ୟମ ହେଉଛି। ମାତ୍ର ଏହି କମ୍ପାନୀ ଏକ ଠକ କମ୍ପାନୀ। ଏହି କମ୍ପାନୀ ନିଜର ଆର୍ଥିକସ୍ଥିତିକୁ ବଢ଼ାଚଢ଼ା କରି ଉପସ୍ଥାପନ କରିଛି। କମ୍ପାନୀ ନାମରେ ଠକେଇ, ଜାଲିଆ, ଆର୍ôଥକ ଅପରାଧ, ଭୟସୃଷ୍ଟିକାରୀ, ଷଡଯନ୍ତ୍ରକାରୀ ପ୍ରଭୁତି ବିଭିନ୍ନ ମକ୍କଦ୍ଦମା ହାଇଦ୍ରାବାଦରେ ଚାଲିଛି। ଏଭଳି ଏକ ଠକ କମ୍ପାନୀକୁ କିଭଳି ଭାବରେ ଦାୟିତ୍ୱ ଦିଆଯିବ ତାହା ମଧ୍ୟ ଆଶ୍ଚର୍ଯ୍ୟଜନକ। ଟେଣ୍ଡରଟିକୁ ଦେଖି ଜଣାପଡୁଛି ଆଗରୁ ସବୁ ନିଷ୍କତ୍ତି ସରିଛି। ଏହା କେବଳ ଟେଣ୍ଡର ନୁହେଁ, ଛାତ୍ରମାନଙ୍କର ଭବିଷ୍ୟତର ପ୍ରଶ୍ନ। ଏଥିରେ ଜନତାଙ୍କର ଅର୍ଥ ରହିଛି। ଓଡ଼ିଶାରେ ଏଆଇ ଶିକ୍ଷକ ଅଛନ୍ତି ସେ ବାବଦରେ ମଧ୍ୟ ରାଜ୍ୟସଭାରେ ସାଂସଦ ପ୍ରଶ୍ନ କରିଛନ୍ତି। ଯଦି କିଛି ବ୍ୟବସ୍ଥା ଠିକ୍ ନାହିଁ ତେବେ କାହା ସ୍ୱାର୍ଥରେ ଏଆଇ କ୍ଲାସ ରୁମ୍ ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ପ୍ରଶ୍ନ କରିଛନ୍ତି। ସରକାରଙ୍କ ପାଖରେ ଯଦି ଏହା ସଠିକ୍ ଉତ୍ତର ନାହିଁ ତେବେ ଟେଣ୍ଡର କ୍ୟାନ୍‌ସଲ କରାଯାଉ। ନତୁବା ୭୨ ଘଣ୍ଟା ମଧ୍ୟରେ ଯୁବ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ। ଏହି ସାମ୍ବାଦିକ ସମ୍ମିଳନୀରେ ଗୋପନ ମାର୍ଥା, ସ୍ୱାର୍ଗତ କର, ଜାଭେଦ ଅକ୍‌ତର ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking