ନୂଆଦିଲ୍ଲୀ : କେନ୍ଦ୍ର ଶାସିତ ଅଞ୍ଚଳ ଦାଦର ଏବଂ ନଗର ହବେଳୀରେ ଥିବା ଏକ ଗୋଦାମରେ ବିସ୍ଫୋରଣ । ଦେମାନି ରୋଡରେ ଅବସ୍ଥିତ ଏକ ଗୋଦାମରେ ନାଇଟ୍ରୋଜେନ ଏବଂ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁଁ ବିସ୍ଫୋରଣ ହୋଇଥିଲା । ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟରାଟି ସକାଳ ୯.୩୦ରେ ହୋଇଥିବା ଖବର ମିଳିଛି । ଆହତମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହା ଗୋଦାମର ଛାତ ଏବଂ କାନ୍ଥ ଉଡ଼ିଯାଇଥିଲା । ବିସ୍ଫୋରଣର ଶବ୍ଦ ୩୦ ମିଟର ଯାଏଁ ଶୁଣାଯାଇଥିଲା ।
ଏହା ଶୁଣି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଯାଇଥିଲେ । ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ କିଛି ଦେଖାଯାଇନଥିଲା । ବିସ୍ଫୋରଣ ଯୋଗୁଁ ପାର୍କିଂ ହୋଇଥିବା ଗାଡ଼ିର ଝରକା ଭାଙ୍ଗି ଦେଇଥିଲା । ଘଟଣା ସ୍ଥଳରେ ଜିଲ୍ଲାପାଳ ପହଞ୍ଚି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଫରେନ୍ସିକ୍ ସାଇନ୍ସ ଲାବୋରେଟୋରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ଗ୍ୟାସ୍ ରିଫିଲିଂ ପ୍ରକ୍ରିୟା ସମୟରେ ସିଲିଣ୍ଡରଟି ଫାଟିଯାଇଥିବା ଅନୁମାନ କରାଯାଉଛି । ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ, ପୋଲିସ ଏବଂ ଅଗ୍ନିଶମ ବିଭାଗର ଦଳ ଘଟଣାସ୍ଥଳକୁ ତୁରନ୍ତ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଘଟଣାର ସଠିକ୍ କାରଣ ଏଯାଏଁ ଜଣାପଡିନାହିଁ । ପ୍ରଶାସନ ମାମଲାର ଯାଞ୍ଚ ଆରମ୍ଭ କରିଛି ।









