ଭୁବନେଶ୍ୱର: ଏପ୍ରିଲ ମାସ ଆରମ୍ଭ ହେଉ ହେଉ ଉପରମୁହାଁ ହୋଇଛି ପାରଦ । ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଆର୍ଦ୍ରତା ଅଧିକ ଯୋଗୁଁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଛି । ବିଭିନ୍ନ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ବିଶେଷକରି ଝାରସୁଗୁଡାରେ ୪୧.୬ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ଯଦିଓ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ । ଆଜି ରାଜଧାନୀ ଭୁବନେଶ୍ୱର ଓ ଏହାର ନିକଟସ୍ଥ ଅଞ୍ଚଳଗୁଡିକରେ ପାଗ ଆଂଶିକ ମେଘୁଆ ରହିପାରେ ତେବେ ପଶ୍ଚିମ ଓଡିଶାରେ ତାତିର ପ୍ରକୋପ ଅଧିକ ରହିବ ।
ଦିନବେଳା ତାତି ସାଙ୍ଗକୁ ଅପରାହ୍ଣରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସମ୍ଭାବନା ରହିଛି । ଆଜି ପାଇଁ କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ୩୦ରୁ ୪୦ କିମି ବେଗରେ ପବନ, ଘଡଘଡି ସହ ବର୍ଷା ହେବ । ଏଣୁ ଏହି ସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲ୍ଲୋ ୱାଣ୍ଣିଂ ଜାରି ହୋଇଛି । ୫ ତାରିଖରୁ କାଳବୈଶାଖୀ ଧୀରେ ଧୀରେ ବଢିବା ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରରେ ବିଜୁଳି, ଘଡଘଡି ସହ ବର୍ଷା ହୋଇପାରେ । ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ । ୬ ତାରିଖ ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ହେବ । ପବନ ବେଗ ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିପାରେ ।









