କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଏକ ଆଶ୍ରମ ବିଦ୍ୟାଳୟରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ହୋଷ୍ଟେଲ୍ରେ ରହି ପଢ଼ୁଥିବା ଜଣେ ସପ୍ତମଶ୍ରେଣୀ ଛାତ୍ରୀଙ୍କ ଅଚାନକ ମୃତ୍ୟୁକୁ ନେଇ ଅଞ୍ଚଳରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି।ନୂଆଗାଁ ଆଶ୍ରମ ବିଦ୍ୟାଳୟରେ ଆଜି ପୂର୍ବାହ୍ଣରେ ଜଣେ ୭ମ ଶ୍ରେଣୀ ଛାତ୍ରୀ ସୁବର୍ଣ୍ଣ ଅମନାତ୍ୟ (୧୩)ଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପୂର୍ବାହ୍ଣ ୯ଟାରେ ସେମାନଙ୍କୁ ସୁବର୍ଣ୍ଣଙ୍କ ସ୍ବାସ୍ଥ୍ୟ ଖରାପ ରହିଛି ବୋଲି ସୂଚିତ କରାଯାଇଥିଲା। ଖବର ପାଇ ସେମାନେ ବିଦ୍ୟାଳୟରେ ପହଞ୍ଚିଥିଲେ। ଅସୁସ୍ଥ ଥିବା ସୁବର୍ଣ୍ଣଙ୍କୁ ଗାଡ଼ି ବ୍ୟବସ୍ଥା କରି ବୋରିଗୁମ୍ମା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ସୁବର୍ଣ୍ଣଙ୍କ ମୃତ୍ୟୁ ଘଟିଥିବା କହିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଚିକିତ୍ସା ସୁବିଧା ମିଳିନଥିବାରୁ ଏହି ଦୁଃଖଦ ଘଟଣା ଘଟିଛି। କିନ୍ତୁ ବିଦ୍ୟାଳୟ ପକ୍ଷରୁ କୌଣସି ତ୍ବରିତ ପଦକ୍ଷେପ ନିଆଯାଇନଥିଲା।









