ଭୁବନେଶ୍ୱର :ଗୃହରେ ଗତ ଫେବୃଆରୀ ୨୦ତାରିଖରେ ୨୦୨୬-୨୭ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲି । ବଜେଟ୍ ଉପସ୍ଥାପନ ହେବା ପରେ ଏହାକୁ ବିଭିନ୍ନ ବିଭାଗୀୟ ସ୍ଥାୟୀ କମିଟିମାନେ ଫେବୃଆରୀ ୨୫ରୁ ମାର୍ଚ୍ଚ ୭ତାରିଖ ମଧ୍ୟରେ ପରୀକ୍ଷା କରିଥିଲେ ଏବଂ ମାର୍ଚ୍ଚ ୯ତାରିଖରେ ସେମାନଙ୍କର ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇଥିଲା । ପରେ ମାର୍ଚ୍ଚ ୧୦ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗୀୟ ଦାବୀ ଉପରେ ଏହି ଗୃହରେ ଫଳପ୍ରଦ ଆଲୋଚନା ହୋଇଛି । ଏହି ଆଲୋଚନାରେ ଅଂଶଗ୍ରହଣ କରି ଅନେକ ଗଠନମୂଳକ ମତାମତ ଓ ପରାମର୍ଶ ଦେଇଥିବାରୁ ମୁଁ ଗୃହର ସମସ୍ତ ମାନ୍ୟବର ସଦସ୍ୟ ସଦସ୍ୟାମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି । ଆଜି୨୦୨୬-୨୭ବର୍ଷର ବଜେଟ୍ ପାଇଁ ବ୍ୟୟ ମଞ୍ଜୁରୀ ବିଧେୟକ ଗୃହର ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଛି । ଏହି ବଜେଟ୍ ଉପରେ ବିସ୍ତୃତ ଆଲୋଚନା ହୋଇସାରିଛି ଏବଂ ଏବେ ଆମେ ବଜେଟ ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛୁ । ମାନ୍ୟବର ସଦସ୍ୟମାନେ ପର୍ଯ୍ୟାୟକ୍ରମେ ଉଠାଇଥିବା ମୁଖ୍ୟ ପ୍ରସଙ୍ଗ ଗୁଡିକ ମୁଁ ମୋର ବକ୍ତବ୍ୟ ମାଧ୍ୟମରେ ସ୍ପଷ୍ଟ କରିବାକୁ ଚେଷ୍ଟା କରିବି।
ଶାସନ-ପ୍ରଶାସନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଧେୟକ ହେଉଛି ବ୍ୟୟ ମଞ୍ଜୁରୀ ବିଲ। ଏହି ବିଲ କେବଳ ଆଗାମୀ ଗୋଟିଏ ବର୍ଷ ପାଇଁ ନୁହେଁ, ଆଗାମୀ ଭବିଷ୍ୟତ ପାଇଁ ଏକ roadmap ପ୍ରଦାନ କରିଥାଏ। ଏହି ବ୍ୟୟ ମଞ୍ଜୁରୀ ବିଲ୍ରେ ସାଢେ ଚାରି କୋଟି ଓଡିଶାବାସୀଙ୍କ ଭବିଷ୍ୟତ ଯୋଡି ହୋଇ ରହିଛି। ତେଣୁ, ରାଜ୍ୟବାସୀ ଆଶା କରନ୍ତି, ପ୍ରସ୍ତାବିତ ବଜେଟର ବିଭିନ୍ନ ଦିଗକୁ ଏହି ପବିତ୍ର ଗୃହରେତନ୍ନ ତନ୍ନ କରି ପରୀକ୍ଷା କରାଯାଉ । କିନ୍ତୁ, କ୍ଷୋଭର ବିଷୟ, ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଯେପରି ଗଭୀର ଭାବେ ଆଲୋଚନା କରାଯିବା କଥା, ତାହା ହୋଇ ନାହିଁ। ବିରୋଧୀଦଳ ଅନୁପସ୍ଥିତ ରହିଲେ। ଏହା ଉପରେ ବିରୋଧୀ ଦଳ ଆତ୍ମସମୀକ୍ଷା କରିବା ଉଚିତ। ଓଡିଶାବାସୀ ବିରୋଧୀଙ୍କ ଏହି ବ୍ୟବହାର ଦେଖୁଛନ୍ତି, ଆଗାମୀ ଦିନରେ ଯେତେବେଳେ ବି ସୁଯୋଗ ମିଳିବ, ରାଜ୍ୟବାସୀ ନିଶ୍ଚିତ ଭାବେ ତାହାର ଉତ୍ତର ଦେବେ। ରାଜ୍ୟବାସୀ ବିଧାନସଭା ଭିତରେ ଓ ବାହାରେ କଣ ହେଉଛି, ସେ ବିଷୟରେ ଅଜଣା ନାହାନ୍ତି । ଆମ ସରକାରଙ୍କ ଦ୍ଵାରା ଆଗତ ୨୦୨୬-୨୭ବାର୍ଷିକ ବଜେଟ ଗରିବ, ଯୁବଶକ୍ତି, ଅନ୍ନଦାତା ଏବଂ ନାରୀଶକ୍ତିଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ସହିତ ରାଜ୍ୟର ସାଢେ ଚାରି କୋଟି ଜନସାଧାରଣଙ୍କ ସାମାଜିକ, ଅର୍ଥନୈତିକ, ତଥା ସାମଗ୍ରିକ ଉନ୍ନତି ନିମନ୍ତେ ଏକ ଦୃଢ଼ ପଦକ୍ଷେପ ଅଟେ । ୨୦୨୬-୨୭ଆର୍ଥିକ ବର୍ଷର ବଜେଟ୍ ଓଡ଼ିଶାକୁ ଆଗାମୀ ଦିନରେ ସମୃଦ୍ଧ, ସଶକ୍ତ ଏବଂ ସମାବେଶୀ କରିବାର ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ଭିତ୍ତିଭୂମି ବିକାଶ, ନଗର ଉନ୍ନୟନ, କୃଷି ଓ ଜଳସେଚନ, ପୁଞ୍ଜି ନିବେଶ, ବନ୍ଦର ଭିତ୍ତିକ ଉନ୍ନୟନ, ଶିଳ୍ପାୟନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ କ୍ରୀଡ଼ା ଭଳି କ୍ଷେତ୍ରଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହା ସହିତ ଶିକ୍ଷା, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ସର୍ବାଙ୍ଗୀନ ବିକାଶ ଏବଂ ମହିଳା ଓ ଶିଶୁ କଲ୍ୟାଣ ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଇଁ ଏକ ସୁଖପ୍ରଦ ବର୍ତ୍ତମାନ ଏବଂ ସମୃଦ୍ଧ ଭବିଷ୍ୟତ ଗଢିବା ନିମନ୍ତେ ଅନେକ ନୂତନ ଓ ପ୍ରଭାବଶାଳୀ ପଦକ୍ଷେପ ନିଆଯାଇଛି ।
ଏହି ବଜେଟ୍ ଅନେକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ଏକବିଂଶ ଶତାବ୍ଦୀର ଦ୍ୱିତୀୟ Quarter ର ପ୍ରଥମ ବଜେଟ୍ । ଏଥିସହିତ, ୨୦ଜୁନ୍ ୨୦୨୫ରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ୨୦୩୬ଏବଂ ୨୦୪୭ ‘ଭିଜନ୍ ଡକ୍ୟୁମେଣ୍ଟ’ ପ୍ରକାଶ ପାଇବା ପରେ ଏହା ହେଉଛି, ଆମ ସମସ୍ତଙ୍କ ପାଇଁ ପ୍ରଥମ ବଜେଟ୍ । ଭିଜନ ଡକୁମେଣ୍ଟରେ ଉଲ୍ଲିଖିତ ୬ଟି ସ୍ତମ୍ଭ ଉପରେ ଏହି ବଜେଟ ଶତ ପ୍ରତିଶତ ଆଧାରିତ । ୨୦୩୬ସୁଦ୍ଧା ଓଡ଼ିଶାକୁ ୫୦୦ବିଲିୟନ ଆମେରିକୀୟ ଡଲାର ଏବଂ ୨୦୪୭ସୁଦ୍ଧା 1.5 ଟ୍ରିଲିୟନ ଡଲାରର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ଏବଂ ଦେଶର ଜିଡିପି (GDP) ରେ ରାଜ୍ୟର ଅବଦାନକୁ ୩ପ୍ରତିଶତ ରୁ ୫ପ୍ରତିଶତ କୁ ବୃଦ୍ଧି କରିବା ସହ ହାରାହାରି ବାର୍ଷିକ ଅଭିବୃଦ୍ଧି ହାରକୁ ୭ପ୍ରତିଶତ ରୁ ୯.୫ ପ୍ରତିଶତ କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏତଦ ବ୍ୟତୀତ ଭାରତର ଭିଜନ୍ ସହିତ ତାଳ ମିଳାଇ ରାଜ୍ୟ ସରକାର ୨୦୪୭ସୁଦ୍ଧା ମୁଣ୍ଡପିଛା ଆୟକୁ ୧.୮ଲକ୍ଷ ଟଙ୍କାରୁ ୩୨ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଜୀବନଧାରଣର ମାନରେ ଉନ୍ନତି ଆଣିବା, ବହୁମୁଖୀ ଦାରିଦ୍ର୍ୟକୁ ୫ପ୍ରତିଶତ କୁ ହ୍ରାସ କରିବା, ମହିଳା ଶ୍ରମିକଙ୍କ ଅଂଶଗ୍ରହଣକୁ ୭୦ପ୍ରତିଶତକୁ ବୃଦ୍ଧି କରିବା, ହାରାହାରି ଆୟୁଷକୁ ୮୦ବର୍ଷରୁ ଅଧିକ କରିବା ଏବଂ ରକ୍ତହୀନତା ଓ ଅପପୁଷ୍ଟିକୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।୨୦୨୬-୨୭ବାର୍ଷିକ ବଜେଟ ଏହି ସୁପରିକଳ୍ପିତ ଏବଂ ଦୂରଦୃଷ୍ଟିସମ୍ପନ୍ନ ଭିଜନର ଲକ୍ଷ୍ୟ ହାସଲ ନିମନ୍ତେ ଏକ ସୁଦୃଢ ମୂଳଦୁଆ ସାବ୍ୟସ୍ତ ହେବ ।
୨୦୨୬-୨୭ବଜେଟ ଆକଳନ ଅନୁଯାୟୀ ରାଜ୍ୟର ମୋଟ୍ ଘରୋଇ ଉତ୍ପାଦ (GSDP) ୧୧.୦୭ଲକ୍ଷ କୋଟି ହେବ । ରାଜ୍ୟର ଅଭିବୃଦ୍ଧି ହାର ଆଗାମୀ ବର୍ଷରେ ହାରାହାରି ୮ପ୍ରତିଶତ କିମ୍ବା ତଦୁର୍ଦ୍ଧ ରହିବାର ଆଶା କରାଯାଉଛି । ରାଜ୍ୟର ମୁଦ୍ରାସ୍ଫୀତି ହାର ନିୟନ୍ତ୍ରଣ କରିବାରେ ଆମ ସରକାର ସଫଳ ହୋଇଛନ୍ତି ଏବଂ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଏହା ଯଥେଷ୍ଟ କମ ରହିଛି । ସରକାରଙ୍କ ସକ୍ରିୟ ନୀତି ଏବଂ ଶିଳ୍ପ ସମର୍ଥିତ ପଦକ୍ଷେପ ମାନଙ୍କ ଫଳରେ ରାଜ୍ୟରେ ଘରୋଇ ନିବେଶରେ ଅଭୂତପୂର୍ବ ଅଭିବୃଦ୍ଧି ପରିଲକ୍ଷିତ ହେଉଛି । ଓଡ଼ିଶା ଦେଶର ପ୍ରସ୍ତାବିତ ମୋଟ ଘରୋଇ ବିନିଯୋଗର ପ୍ରାୟ ୧୩.୧ପ୍ରତିଶତ ଅଂଶୀଦାର ହେବା ସହ ପୁଞ୍ଜି ବିନିଯୋଗ ଆକର୍ଷଣ ଦୃଷ୍ଟିରୁ ଦ୍ୱିତୀୟ ସର୍ବୋଚ୍ଚ ରାଜ୍ୟ ହୋଇପାରିଛି । ଏହା ଦ୍ୱାରା ଦେଶ ବିଦେଶର ଉଦ୍ୟୋଗୀମାନଙ୍କ ପାଇଁ ଓଡ଼ିଶା ଆଜି ଏକ ପସନ୍ଦ ଯୋଗ୍ୟ ନିବେଶ ସ୍ଥଳ ଭାବରେ ପରିଗଣିତ ହେଉଛି । ଏହା ନିଶ୍ଚିତ ଭାବେ କୁହାଯାଇପାରେ ଯେ, ଓଡିଶା ପୂର୍ବ ଭାରତର Economic Power House ହେବା ପଥରେ ଅଗ୍ରସର ହେଉଛି ଏବଂ ଅତି ଶୀଘ୍ର ଭାରତୀୟ ବିକାଶର ଇଞ୍ଜିନ ଭାବେ ପରିଗଣିତ ହେବ । ଆର୍ଥିକ ବର୍ଷ ୨୦୨୬-୨୭ପାଇଁ ମୋଟ ୩ଲକ୍ଷ ୧୦ହଜାର କୋଟି ଟଙ୍କା ବଜେଟ୍ ଅଟକଳ ହୋଇଅଛି, ଯାହାକି ବିଗତ ବର୍ଷର ବଜେଟ୍ ଅଟକଳ ଠାରୁ ପ୍ରାୟ ୭ପ୍ରତିଶତ ଅଧିକ ଅଟେ । ଏହି ବଜେଟ୍ ଅଟକଳ ମଧ୍ୟରୁ ପ୍ରସ୍ତାବିତ Programme Expenditure ହେଉଛି ୧ଲକ୍ଷ ୮୦ହଜାର କୋଟି ଟଙ୍କା । ଏହା ମୋଟ ବଜେଟ୍ ଅଟକଳର ୫୮ପ୍ରତିଶତ । ଚଳିତ ବଜେଟରେ ଆକଳନ କରାଯାଇଥିବା ୭୨ହଜାର ୧୦୦କୋଟି ଟଙ୍କାର ପୁଞ୍ଜି ବ୍ୟୟ ଅଟକଳ, ମୋଟ୍ ରାଜ୍ୟ ଘରୋଇ ଉତ୍ପାଦର ୬.୫ପ୍ରତିଶତ, ଯାହାକି ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମାନଙ୍କ ମଧ୍ୟରେ ସର୍ବାଧିକ । ଏହା ଖର୍ଚ୍ଚର ଗୁଣବତ୍ତାକୁ ସୂଚାଉଛି ।
ଏହି ଗୃହର ସଦସ୍ୟ ଥିବା କଂଗ୍ରେସ ଦଳର ସଦସ୍ୟମାନେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀ ଶୁଣିବା ଉଚିତ। ଗୋଟେ ଟେଲିଭିଜନ ସାକ୍ଷାତକାରରେ ସେ କ୍ଷୋଭର ସହିତ କହୁଥିଲେ ଯେ ମାସକୁ ୫୦୦ କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡୁଛି। କିନ୍ତୁ, ଖୁସିର କଥା ଯେ ମାସକୁ ଆମ ସରକାର ଚଳିତ ଆର୍ଥିକ ବର୍ଷରେ ପାଞ୍ଚ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କା କେବଳ ପୁଞ୍ଜି ପାଇଁ ଖର୍ଚ୍ଚ କରୁଛନ୍ତି। ଯେଉଁ ସମୟରେ ଅନେକ ରାଜ୍ୟ ଉଚ୍ଚ ଋଣ ଭାର ଏବଂ ଅତ୍ୟଧିକ ସୁଧ ଦେୟକୁ ନେଇ ସଂଘର୍ଷ କରୁଛନ୍ତି, ଓଡ଼ିଶା ନିରନ୍ତର ଭାବେ ବିକାଶ ପଥରେ ଅଗ୍ରସର ହୋଇଚାଲିଛି । FRBM ଅଧିନିୟମକୁ ଓଡ଼ିଶା ସମ୍ପୂର୍ଣ୍ଣ ରୂପେ ପାଳନ କରୁଛି। ରାଜ୍ୟରେ ଥିବା ୧୪.୧ପ୍ରତିଶତ ଋଣ-ଜିଏସ୍ଡିପି ଅନୁପାତ (Debt to GSDP ratio) FRBM ଅଧିନିୟମ ଦ୍ୱାରା ନିର୍ଦ୍ଧାରିତ ୨୫ପ୍ରତିଶତ ସୀମାଠାରୁ ଯଥେଷ୍ଟ କମ୍ । ସେହିଭଳି, ଓଡ଼ିଶାର ସୁଧ ପୈଠ ଓ ରାଜସ୍ୱ ପ୍ରାପ୍ତି ଅନୁପାତ ୩.୩ପ୍ରତିଶତ ରହିଛି ଯାହା, ନିର୍ଦ୍ଧାରିତ ୧୫ପ୍ରତିଶତ ସୀମାଠାରୁ ଯଥେଷ୍ଟ କମ୍ ଅଟେ । ଓଡ଼ିଶାର ବିତ୍ତୀୟ ନିଅଣ୍ଟ, ଜିଏସ୍ଡିପିର ପ୍ରାୟ ୩.୫ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି ।
ତେବେ SASCI (Scheme for Special Assistance to States for Capital Investment)ଋଣକୁ ବାଦ୍ ଦେଲେ ଏହା ଜିଏସ୍ଡିପିର ମାତ୍ର ୨.୭ପ୍ରତିଶତ ହେବ, ଯାହା FRBM ସୀମା ଏବଂ ଷୋଡ଼ଶ ଅର୍ଥ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ସୀମା ମଧ୍ୟରେ ରହିଛି। ଓଡ଼ିଶାର ବିତ୍ତୀୟ ପରିଚାଳନା ଦେଶ ବିଦେଶରେ ପ୍ରଶଂସିତ ହେବା ସହିତ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଜ୍ଵଳନ୍ତ ଉଦାହରଣ ହୋଇଛି । ନୀତି ଆୟୋଗଙ୍କ ଆର୍ଥିକ ସ୍ୱାସ୍ଥ୍ୟ ସୂଚକାଙ୍କ (Fiscal Health Index) ରିପୋର୍ଟ ଅନୁଯାୟୀ ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ସର୍ବଶ୍ରେଷ୍ଠ ଶୃଙ୍ଖଳିତ ରାଜ୍ୟ ଭାବେ ପରିଗଣିତ ହୋଇଛି । ଓଡ଼ିଶା ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହ, ଉଚ୍ଚ ପୁଞ୍ଜି ବ୍ୟୟ ଏବଂ ଦକ୍ଷ ନିଅଣ୍ଟ ପରିଚାଳନା ପାଇଁ ପ୍ରଶଂସିତ ହେଉଛି ।ତେଣୁ, ଯେଉଁ କିଛି ଜଣ ସଦସ୍ୟ-ସଦସ୍ୟା ରାଜ୍ୟର ଋଣଭାର ବିଷୟରେ ନିଜ ଚିନ୍ତା ପ୍ରକଟ କରିଛନ୍ତି, ତାହା ସଂପୂର୍ଣ୍ଣ ଭାବେ ଭିତ୍ତିହୀନ।
ଆମ ରାଜ୍ୟ ହେଉଛି କୃଷି ପ୍ରଧାନ ରାଜ୍ୟ, ଯେଉଁଠି ଅର୍ଦ୍ଧାଧିକ ଲୋକ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ଉପରେ ନିର୍ଭର କରନ୍ତି। ତେଣୁ, ପ୍ରତ୍ଯେକ ସରକାରଙ୍କ ପ୍ରଥମ ଦାୟିତ୍ଵ ତାଙ୍କର ଆର୍ଥିକ ବିକାଶ ପାଇଁ କାର୍ଯ୍ୟକରିବା ଉଚିତ। କିନ୍ତୁ, ୨୪-ବର୍ଷୀୟା ସୁଶାସନ ସମୟରେ ଓଡିଶାର ଚାଷୀଙ୍କ ଆୟ ଥିଲା ଦେଶର ସବୁ ରାଜ୍ୟଙ୍କ ମଧ୍ୟରେ ଦ୍ଵିତୀୟ ନିମ୍ନତମ, ଅର୍ଥାତ୍ ମାସିକ ୫ ହଜାର ୧୧୫ ଟଙ୍କା। ଏହି ପରିସ୍ଥିତିକୁ ସୁଧାରିବାକୁ ଆମ ସରକାର କୃଷକ ସମୃଦ୍ଧି ଯୋଜନା ଆଣିଛନ୍ତି। ସରକାରଙ୍କ ସମୃଦ୍ଧ କୃଷକ ଯୋଜନା, ସୁଭଦ୍ରା, ପିଏମ ଓ ସିଏମ କିଷାନ ଯୋଜନା ଇତ୍ୟାଦିକୁ ମିଶେଇଲେ ବର୍ତ୍ତମାନ ପ୍ରତି ଚାଷୀ ପରିବାରର ଆୟ ବାର୍ଷିକ ଅତି କମରେ ୩୩ ହଜାର ଟଙ୍କା ବୃଦ୍ଧି ପାଇଛି। ଏହି କାର୍ଯ୍ୟକୁ ଜାରି ରଖିବା ପାଇଁ ଓ ରାଜ୍ୟର ଅନ୍ନଦାତାଙ୍କ ଆବଶ୍ୟକତା ପୂରଣ କରିବା ପାଇଁ୨୦୨୬-୨୭ବଜେଟ୍ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୪୨,୪୯୨କୋଟି ଟଙ୍କାର ଏକ ବିଶାଳ ପୁଞ୍ଜି ଆବଣ୍ଟନ କରାଯାଇଛି, ଯାହା ଗତବର୍ଷ ତୁଳନାରେ ୧୨.୩ପ୍ରତିଶତ ଅଧିକ । ‘ସମୃଦ୍ଧ କୃଷକ’ ଯୋଜନା ମାଧ୍ୟମରେ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କାରେ ଧାନ କ୍ରୟ ପାଇଁ ୬ହଜାର ୮୮କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ଠିକ୍ ସମୟରେ ପହଞ୍ଚାଇବା ପାଇଁ ଆବର୍ତ୍ତନ ପାଣ୍ଠି (Revolving Fund) କୁ ୫୦୦୦କୋଟି ଟଙ୍କାକୁ ବୃଦ୍ଧି କରାଯିବା ଏକ ଯୁଗାନ୍ତକାରୀ ନିଷ୍ପତ୍ତି ଅଟେ । ଏଥିସହିତ, ଆଗାମୀ ୩ବର୍ଷ ମଧ୍ୟରେ ୧୧ଲକ୍ଷ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଆଧୁନିକ ଗୋଦାମ ନିର୍ମାଣ କରି ରାଜ୍ୟର କୃଷି ଭିତ୍ତିଭୂମିକୁ ଏକ ନୂତନ ଶିଖରକୁ ନେବା ପାଇଁ ଏହି ବଜେଟ୍ ପଥ ପ୍ରଦର୍ଶନ କରିଛି।ପୂର୍ବ ସରକାରରେ ଚାଷୀଙ୍କ ଆୟ ଦ୍ଵିଗୁଣିତ କରିବା କେବଳ ଏକ ସ୍ଲୋଗାନ ଥିଲା। କିନ୍ତୁ, ଆମେ ଏହାକୁ ଚରିତାର୍ଥ କରିବା ପାଇଁ କୃଷି ସହିତ ଆନୁଷଙ୍ଗିକ କାର୍ଯ୍ୟ ଯେପରିକି ମାଛ ଚାଷ ଓ ପ୍ରାଣୀ ପାଳନକୁ ଅଧିକ ପ୍ରାଧାନ୍ୟ ଦେଉଛୁ ଓ ଏଥିପାଇଁ ଆମ ସରକାର ଏକ ନୂତନ ଷ୍ଟ୍ରାଟେଜୀ କରିଛନ୍ତି।ତେଣୁ ଚଳିତ ବଜେଟରେ ଏଥିପାଇଁ ୨ ହଜାର ୧୯ କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ଚଳିତ ବଜେଟରେ ଏକ ଅଭିନବ ‘ଓଡ଼ିଶା ଚିଙ୍ଗୁଡ଼ି ମିଶନ’ ର ଶୁଭାରମ୍ଭ କରାଯାଇଛି, ଯାହା ମାଧ୍ୟମରେ ୧୦ହଜାର ହେକ୍ଟରରୁ ଅଧିକ ପରିବେଶ ଅନୁକୂଳ ଚିଙ୍ଗୁଡ଼ି ଚାଷର ସମ୍ପ୍ରସାରଣ କରାଯିବ । କୃଷି ଓ ମତ୍ସ୍ୟ ବିଜ୍ଞାନ କ୍ଷେତ୍ରରେ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇବା ପାଇଁ ଚିପିଲିମାରେ ପଶୁଚିକିତ୍ସା ବିଜ୍ଞାନ ମହାବିଦ୍ୟାଳୟ, ମୟୂରଭଞ୍ଜ ଓ ବଲାଙ୍ଗିରରେ କୃଷି ମହାବିଦ୍ୟାଳୟ ଏବଂ ସୋନପୁରରେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖାଯାଇଛି।
ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ଆଗାମୀ ଦିନରେ ଓଡ଼ିଶାକୁ କୃଷି ଓ ପ୍ରାଣୀ ବିଜ୍ଞାନ କ୍ଷେତ୍ରରେ ଏକ ପ୍ରମୁଖ ଜ୍ଞାନକେନ୍ଦ୍ର ଭାବେ ଗଢ଼ିତୋଳିବ ।ଗ୍ରାମୀଣ ବିକାଶ ନିମନ୍ତେ ଗ୍ରାମାଞ୍ଚଳର ପରିବାରଗୁଡ଼ିକୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କ ଜୀବିକାକୁ ସୁଦୃଢ଼ କରିବା ନିତାନ୍ତ ଆବଶ୍ୟକ। ଭାରତ ସରକାରଙ୍କ ‘ବିକଶିତ ଭାରତ – ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଅଧିନିୟମ, ୨୦୨୫’ ଅନୁସାରେ ରାଜ୍ୟରେ VB G-RAM-G ଯୋଜନାକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରାଯିବ ।କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ରେ ଏହି ଯୋଜନା ପାଇଁ ୯୫ହଜାର କୋଟିରୁ ଅଧିକ ଟଙ୍କାର ବିଶାଳ ବ୍ୟୟବରାଦ କରାଯାଇଛି । ଏହା ମାଧ୍ୟମରେ ପ୍ରତି ଗ୍ରାମୀଣ ପରିବାରକୁ ବାର୍ଷିକ ୧୨୫ଦିନର ନିଶ୍ଚିତ ରୋଜଗାର ପ୍ରଦାନ କରାଯିବ, ଯାହା ସେମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବ ।ଏହାଛଡା ବିଶେଷ କରି ରାଜ୍ୟର ଦାଦନ ସମସ୍ୟାର ଏକ ସ୍ଥାୟୀ ଓ ମର୍ଯ୍ୟାଦାଜନକ ସମାଧାନ ପାଇଁ ଆମ ସରକାର “ଡାଲଖାଇ” ନାମକ ଏକ ଅତ୍ୟନ୍ତ ପ୍ରଶଂସନୀୟ ଓ ଦୃଷ୍ଟାନ୍ତମୂଳକ ପ୍ରୟାସ ଆରମ୍ଭ କରିଛନ୍ତି ।”Dignified Access to Livelihood, Knowledge, Health and Allied Infrastructure” ବା ‘ଡାଲଖାଇ’ ମାଧ୍ୟମରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖାଯାଇ ସ୍ଥାନୀୟ ଅଞ୍ଚଳରେ ସ୍ଥାୟୀ, ସୁରକ୍ଷିତ ଏବଂ ସମ୍ମାନଜନକ ଜୀବିକା ସୃଷ୍ଟି କରାଯିବ । ଏହାଦ୍ୱାରା ଓଡ଼ିଶାର ଶ୍ରମିକ ମାନେ ଅନ୍ୟାନ୍ୟ ରାଜ୍ୟକୁ ଯିବା ଆବଶ୍ୟକ ହେବନାହିଁ । ଏହା ସହିତ ଓଡ଼ିଶାର ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ସ୍ୱଚ୍ଛ ପାନୀୟ ଜଳର ଅବିରତ ଯୋଗାଣ ପାଇଁ ଏକ ନୂତନ ଯୋଜନା State Support for Rural Piped Water Supply Projects ର ପ୍ରଣୟନ କରାଯାଇଛି ।
ଆମ ପାଇଁ ନାରୀ ହେଉଛି ‘ମାତୃ ଶକ୍ତି’ ସ୍ବରୂପୀଣୀ। ରାଜ୍ୟର ଅଧା ଜନସଂଖ୍ୟାର ବିକାଶ ନ ହେଲେ ସମୃଦ୍ଧ ଓଡିଶାର ପରିକଳ୍ପନା ସମ୍ଭବ ନୁହେଁ। ତେଣୁ ଓଡ଼ିଶାର ନାରୀଶକ୍ତିକୁ ଆର୍ଥିକ ଓ ସାମାଜିକ ଭାବେ ସମୃଦ୍ଧ କରିବା ପାଇଁ ଏହି ବଜେଟ୍ରେ ୧୮ ହଜାର ୯୫୭କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।’ସୁଭଦ୍ରା’ ହିତାଧିକାରୀଙ୍କ ସମସ୍ୟାର ସମାଧାନ ପାଇଁ “ସୁଭଦ୍ରା ଶକ୍ତି ସମ୍ବାଦ” ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଓ ମାନସିକ ସୁସ୍ଥତା ପାଇଁ “ସୁଭଦ୍ରା ୱେଲନେସ୍ ସେଣ୍ଟର” ଭଳି ଅଭିନବ ଯୋଜନା ଆରମ୍ଭ କରାଯାଇଛି । ଆମ ପାଇଁ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ। ମହିଳା ସଶକ୍ତିକରଣ ନିମନ୍ତେ ଆମ ସରକାରଙ୍କ ଏକ ପ୍ରମୁଖ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଝିଅ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିବା । ଏହି ଉଦ୍ଦେଶ୍ୟ ପାଇଁ, ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ନାମରେ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ରହିଛି। ଏହି ଯୋଜନାରେ ଆର୍ଥିକ ଦୁର୍ବଳ ବର୍ଗର ପରିବାରରେ ଜନ୍ମ ହୋଇଥିବା ଝିଅଙ୍କ ନାମରେ ୨୦ହଜାର ଟଙ୍କାର ଏକ ସଞ୍ଚୟ ପାଣ୍ଠି ଖୋଲାଯିବ । ସ୍ନାତକ ବା ଗ୍ରାଜୁଏସନ୍ ସମାପ୍ତ କରିବା ପରେ ତାଙ୍କୁ ୧ଲକ୍ଷ ୧ଟଙ୍କା ପ୍ରଦାନ କରାଯିବ ।
କନ୍ୟା ସନ୍ତାନର ଜନ୍ମରେ ମାତାଙ୍କୁ ୧୨,୦୦୦ଟଙ୍କାର ବର୍ଦ୍ଧିତ ସହାୟତା ଦେବା ସହିତ ଗରିବ ପରିବାରର ଝିଅମାନଙ୍କ ବିବାହ ପାଇଁ “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” ମାଧ୍ୟମରେ ସରକାର ପରିବାରର ଆର୍ଥିକ ଭାର ହ୍ରାସ କରିବାରେ ସହଯୋଗ କରିବେ । ଏଥିସହିତ ୧ଲକ୍ଷରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ‘ଲକ୍ଷପତି ଦିଦି’ ଭାବେ ଗଢ଼ିତୋଳିବା ପାଇଁ ମିଶନ ଶକ୍ତି ବିଭାଗକୁ ୨ ହଜାର ୮୦୪କୋଟି ଟଙ୍କା ପ୍ରଦାନ କରାଯାଇଛି, ।
ଆଜିର ଶିଶୁ ହେଉଛି କାଲିର ନାଗରିକ। ତେଣୁ,ଶିଶୁମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସରକାର ଏହି ବଜେଟ୍ରେ ଭିତ୍ତିଭୂମି ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି।
ଅସମ୍ପୂର୍ଣ୍ଣ ଥିବା ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ “ସମୃଦ୍ଧ ଅଙ୍ଗନୱାଡ଼ି ଯୋଜନା” ଅଧୀନରେ ୬୩୫କୋଟି ଟଙ୍କା ବ୍ୟୟ କରାଯିବ, ଯେଉଁଥିରେ ଆଧୁନିକ କ୍ରେଚ୍ (Crèche) ସୁବିଧା ମଧ୍ୟ ଉପଲବ୍ଧ ହେବ । ଏଥିସହିତ ସହାୟତା ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କ ପାଇଁ ୨୩ଟି ଜିଲ୍ଲାରେ “ଇଣ୍ଟିଗ୍ରେଟେଡ୍ ବାତ୍ସଲ୍ୟ ସଦନ” ପ୍ରତିଷ୍ଠା କରାଯିବ । ଏହି ଏକୀକୃତ କମ୍ପ୍ଲେକ୍ସରେ ଶିଶୁ ଯତ୍ନ କେନ୍ଦ୍ର, ଶିଶୁ ମଙ୍ଗଳ କମିଟି ଏବଂ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ଏକତ୍ର କାର୍ଯ୍ୟ କରିବେ, ଯାହା ଦ୍ୱାରା ଶିଶୁମାନଙ୍କୁ ସମସ୍ତ ଆବଶ୍ୟକୀୟ ସୁରକ୍ଷା ଓ ସେବା ଗୋଟିଏ ସ୍ଥାନରେ ମିଳିପାରିବ ।
ଓଡ଼ିଶାରେ ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ପ୍ରତିଷ୍ଠା କରିବା ଏବଂ ଯୁବପିଢ଼ିଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦାନ କରିବା ପାଇଁ ସରକାର ଏହି ବଜେଟ୍ରେ କେତେକ ବୈପ୍ଳବିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଉଚ୍ଚଶିକ୍ଷାର ସମ୍ପ୍ରସାରଣ ପାଇଁ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଏବଂ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟରେ ଚାରିଟି ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାରଙ୍କ ପ୍ରସ୍ତାବ, ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ଏତଦ୍ ବ୍ୟତୀତ ରାଜ୍ୟର ଶିଳ୍ପ ଓ ଖଣି କ୍ଷେତ୍ରକୁ ଦୃଷ୍ଟିରେ ରଖି କେନ୍ଦୁଝରସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜରେ ଖଣି ଏବଂ ଧାତୁ ବିଜ୍ଞାନ ପାଇଁ ଏକ Centre of Excellence ପ୍ରତିଷ୍ଠା କରାଯାଇ ଓଡ଼ିଶାରେ କୁଶଳୀ ଯୁବଶକ୍ତି ସୃଷ୍ଟି କରାଯିବ ।ଏଥିସହିତ ପାରାଦୀପ ଓ ବଲାଙ୍ଗିରରେ ଦୁଇଟି ନୂତନ ସରକାରୀ ଇଞ୍ଜିନିୟରିଂ କଲେଜ୍ ସ୍ଥାପନ କରାଯିବ ।
ସେହିଭଳି ଆମ ସରକାରଙ୍କ ସ୍ୱାସ୍ଥ୍ୟ ଶିକ୍ଷା ଓ ଆୟୁଷ ପଦ୍ଧତିର ପ୍ରଚାର ପ୍ରସାର ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଭଳି ଆକାଂକ୍ଷୀ ଜିଲ୍ଲାରେ ୩ଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ୨ଟି ନୂତନ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା କରିବାର ନିଷ୍ପତ୍ତି ଚିକିତ୍ସା ଶିକ୍ଷାର ବିକାଶ କରିବା ସହିତ ଗ୍ରାମାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ପ୍ରାଥମିକ ଶିକ୍ଷାରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଆମ ସରକାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରଶୁଭାରମ୍ଭ କରିଛନ୍ତି। ପବିତ୍ର ଭଗବତୀ ପୀଠ ବାଣପୁରରୁ ଶୁଭାରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ବିଶ୍ଵ ସ୍ତରୀୟ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ୨୦୦ ସ୍କୁଲର ଶିଳାନ୍ୟାସ କରାଯାଇଛି ଏବଂ ଆଗାମୀ କିଛିଦିନ ପରେ ୩୫୦ ସ୍କୁଲର ଶିଳାନ୍ୟାସ କରାଯିବ । ଚଳିତ ବଜେଟରେ ଏଥିପାଇଁ ୧ ହଜାର ୧୦ କୋଟି ଟଙ୍କାର ପ୍ରବଧାନ କରାଯାଇଛି। ଏହି ସ୍କୁଲ ଗୁଡିକ ସଂପୂର୍ଣ୍ଣ ନୂତନ ଅର୍ଥାତ୍ Green-Field Mode ରେ ନିର୍ମାଣ କରାଯିବ।ସମସ୍ତଙ୍କର ମନେ ଥିବ କିଛି ବର୍ଷ ପୂର୍ବର ସେହି ଦୁର୍ଦ୍ଦିନର କଥା, ଯେତେବେଳେ ଓଡ଼ିଶାର ବିପର୍ଯ୍ୟସ୍ତ ସ୍ଵାସ୍ଥ୍ୟ ଅବ୍ୟବସ୍ଥା ଗଣମାଧ୍ୟମର ମୁଖ୍ୟ ଖବର ସାଜୁଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା, ବିକାଶ ସିଡିର ଗୋଟିଏ ପରେ ଗୋଟିଏ ସୋପାନ ଚଢି ଚାଲିଛି । ୨୦୨୬-୨୭ବଜେଟ୍ରେ ସ୍ଵାସ୍ଥ୍ୟ ଭିତ୍ତିଭୂମିର ଆଧୁନିକୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି । କଟକ SCB, ବ୍ରହ୍ମପୁର MKCG ଓ ବୁର୍ଲା VIMSAR ଇତ୍ୟାଦି ମେଡିକାଲ କଲେଜର ପୁନଃବିକାଶ ପାଇଁ ବ୍ୟବସ୍ଥା କରାଯାଇଛି । ଗ୍ରାମାଞ୍ଚଳରେ ଚିକିତ୍ସା ସେବା ପହଞ୍ଚାଇବାକୁ ୧,୮୦୭ଟି ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସହ ପୁରୀ, କୋରାପୁଟ ଓ ଭୁବନେଶ୍ୱର ଭଳି ପ୍ରମୁଖ ସ୍ଥାନରେ ‘ଡେଡିକେଟେଡ୍ ବର୍ଣ୍ଣ ୟୁନିଟ୍’ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି ।
ରକ୍ତ ସଂଗ୍ରହ ଓ ପରିଚାଳନାକୁ ସୁଦୃଢ଼ କରିବାକୁ “ଅଟଳ ରକ୍ତ ଦାନ ଅଭିଯାନ” ଏବଂ କର୍କଟ ରୋଗର ନିରାକରଣ ପାଇଁ “ମୁଖ୍ୟମନ୍ତ୍ରୀ କର୍କଟ କେୟାର ଅଭିଯାନ” ଭଳି ଅଭିନବ ଯୋଜନା ଆରମ୍ଭ କରାଯାଇଛି ।
ଏଠାରେ ମୁଁ କହିବାକୁ ଚାହେଁ, ରାଜ୍ୟ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ଅଛନ୍ତି । ରାଜ୍ୟର ଏକ ପ୍ରମୁଖ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣାରେ ବିରୋଧି ଦଳ ସଦସ୍ୟମାନେ ଚିରାଚରିତ ଢଙ୍ଗରେ ଯେଉଁଭଳି ହୋ ହାଲ୍ଲା କରି ଗୃହର ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରିବା ପାଇଁ ଉଦ୍ୟମ କରି ଆସୁଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ । ତା’ଠୁ ବଡ଼ ଆଶ୍ଚର୍ଯ୍ୟଜନକ ହେଉଛି, ବିଧାନସଭା ଭିତରେ ଦୁର୍ବଳ-ସବଳ ଡ୍ରାମା ।
ଏହା ଏକ ଗଣତାନ୍ତ୍ରିକ ବ୍ୟବସ୍ଥା, ଲୋକମାନେ ଆମକୁ ନିର୍ବାଚିତ କରିଛନ୍ତି ସେମାନଙ୍କର ସେବା କରିବା ପାଇଁ । ଏହି ଘଟଣାରେ ସରକାର ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କ ଉପରେ ପଦକ୍ଷେପ ନେଇଛନ୍ତି । ଯେଉଁମାନେ ସିଧାସଳଖ ଦାୟୀ, ସେମାନଙ୍କ ଉପରେ ଆକ୍ସନ ନ ନେଇ, ନିଜର ବ୍ୟକ୍ତିଗତ ପ୍ରତିଷ୍ଠା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅର୍ଥ, ଛଳନା ମାଧ୍ୟମରେ ନିଜ ଦାୟିତ୍ୱରୁ ଖସିଯିବା । ଗୋଟିଏ ସମୟ ଥିଲା, ଅଧିକାରୀମାନେ ହିଁ ସରକାରଙ୍କ ପାଇଁ ନିଷ୍ପତ୍ତି ନେଉଥିଲେ । ଛୋଟ ଛୋଟ ଘଟଣାରେ ମନ୍ତ୍ରୀମାନେ ବଳି ପଡ଼ିଛନ୍ତି । କିନ୍ତୁ, ପରୀ, ମମିତା ମେହେର ଓ ମାହାଙ୍ଗା ଡବଲ୍ ହତ୍ୟାକାଣ୍ଡରେ ନୈତିକତା ଚୁଲୀକୁ ଚାଲି ଯାଇଥିଲା ।
ମୁଁ ଏ ସବୁ ଛଳନାରେ ବିଶ୍ୱାସ କରେନାହିଁ । ଗଣତାନ୍ତ୍ରିକ ପରମ୍ପରା ଓ ପ୍ରଶାସନିକ ନିୟମ ନିଷ୍ଠାକୁ ଦେଖି ପଦକ୍ଷେପ ନିଆଯାଉଛି ଏବଂ ନିଆଯିବ । ଗତ ସରକାର ସମୟରେ ମୁଖ୍ୟମନ୍ତ୍ରୀ ସବଳ ଥିଲେ କି ଏକ ବିଶେଷ ବାବୁ, ତାହା ସମଗ୍ର ଓଡିଶା ବାସୀ ଜାଣିଛନ୍ତି। ପଛୁଆ ବର୍ଗର ନେତୃତ୍ୱକୁ ଉପହାସ କରୁଛନ୍ତି ଏ କଥାକୁ ସାଢ଼େ ଚାରିକୋଟି ଓଡ଼ିଶାବାସୀ ଜାଣି ଉଚିତ ଜବାବ ଦେଇଛନ୍ତି ।ଲୋକେ କୁହାକୁହି ହେଉଛନ୍ତି, ଏପରିକି ତାଙ୍କ ଦଳର ବିଧାୟକମାନେ ବି ଟୁପୁରୁ ଟାପୁରୁ ହେଉଛନ୍ତି ଯେ, ନିର୍ବାଚନରେ ପରାଜିତ ହେଲାପରେ ବି ମୁଖ୍ୟ ବିରୋଧିଦଳ ସେଇ ସବଳ ବାବୁଙ୍କ ଦ୍ଵାରା ପରିଚାଳିତ ହେଉଛି, ରାଜନୈତିକ ନେତାଙ୍କ ଦ୍ଵାରା ନୁହେଁ। ତେଣୁ, କଥାରେ ଅଛି,‘କହି ଦେଉଥାଉ ପରକୁ, ବୁଦ୍ଧି ନ ଦିଶଇ ନିଜକୁ’। ଆତ୍ମ ସମୀକ୍ଷାର ବେଳ ଆସିଛି। ଆମେ ଲଢ଼େଇ କରିବା ଓଡ଼ିଶାର ସେବା ପାଇଁ ।
କିନ୍ତୁ, ମୋତେ ଗୋଟିଏ କଥା ବହୁତ ସନ୍ତୋଷ ଦେଉଛି। ମୁଖ୍ୟ ବିରୋଧୀ ଦଳ ଏବଂ କଂଗ୍ରେସ ଏବେ ଦୁଇ ଭାଇ ପରି କାନ୍ଧକୁ କାନ୍ଧ ମିଶେଇ ସରକାରଙ୍କୁ ବିରୋଧ କରୁଛନ୍ତି। ଶୁଣିଲି, ଗତକାଲି PMG ଠାରେ ଦୁଇ ଭାଇ ଏକା ସାଙ୍ଗରେ ମିଶି ପ୍ରଦର୍ଶନ କରୁଥିଲେ। ବିଧାନ ସଭା ଭିତରେ ତଥା ବିଧାନସଭା ବାହାରେ ସରକାରଙ୍କ ବିରୁଦ୍ଧରେ ସମାଲୋଚନା ପାଇଁ ଏକାଠି ହେବା ସୁସ୍ଥ ଗଣତନ୍ତ୍ର ପାଇଁ ଏକ ଶୁଭ ସୂଚନା। ଏହା ବ୍ୟକ୍ତିଗତ ଭାବେ ମୋତେ ଅଧିକ ଆନନ୍ଦ ଦେଉଛି। ମୋର ଖାଲି ଗୋଟିଏ ପରାମର୍ଶ ଥିଲା, ଏକାଠି ହେବା ପୂର୍ବରୁ ନିଜ ଦଳର ନିର୍ବାଚିତ ବିଧାୟକ-ବିଧାୟିକାଙ୍କୁ ବିଶ୍ବାସକୁ ନେଇଥିଲେ ଏକା ଥରକେ ଏତେ ଗୁଡିଏ ସଦସ୍ୟ-ସଦସ୍ୟା ନିଜ ଦଳର ହାତ ଛାଡି ନ ଥାଆନ୍ତେ।କିନ୍ତୁ, ମୋର ଗୋଟିଏ ନିବେଦନ, ଉଭୟ ଭାଇ ଏକାଠି ହୋଇ ଆସନ୍ତୁ, ବିଧାନସଭା ମଧ୍ୟରେ ସବୁ ସମସ୍ଯାର ଆଲୋଚନା ହେଉ। ଲୋକଙ୍କ ସ୍ଵାର୍ଥ ସାଧିତ ହେଉ।
ରାଜ୍ୟର ବରିଷ୍ଠ ନାଗରିକ ଓ ଅସହାୟ ବର୍ଗଙ୍କ ପାଇଁ ଏକ ସୁରକ୍ଷିତ ଓ ସମ୍ମାନଜନକ ଭବିଷ୍ୟତ ସୁନିଶ୍ଚିତ କରିବା ଦିଗରେ ଆମ ସରକାର ଅନବରତ ପ୍ରୟାସରତ । ରାଜ୍ୟର ପ୍ରାୟ ୬ଲକ୍ଷରୁ ଅଧିକ ଯୋଗ୍ୟ ବ୍ୟକ୍ତି ସାମାଜିକ ସୁରକ୍ଷା ପେନ୍ସନ୍ରୁ ବଞ୍ଚିତ ହେବା ଏବଂ ଜଣେ ହିତାଧିକାରୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅନ୍ୟ ଜଣଙ୍କୁ ଅପେକ୍ଷା କରିବାକୁ ପଡ଼ିବା ଭଳି ଦୁର୍ଭାଗ୍ୟଜନକ ସ୍ଥିତିକୁ ଆମ ସରକାର ସମାପ୍ତ କରିବାର ପ୍ରତିଜ୍ଞା ନେଇଛନ୍ତି। ଏହି ଅନ୍ୟାୟର ସ୍ଥାୟୀ ସମାଧାନ ପାଇଁ ‘ମଧୁବାବୁ ପେନ୍ସନ୍ ଯୋଜନା”କୁ ଏବେ ‘ସାଚୁରେସନ୍ ମୋଡ୍’ରେ କାର୍ଯ୍ୟକାରୀ କରାଯିବ। ଏଣିକି କୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ ପେନ୍ସନ୍ ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ; ଯେତେବେଳେ ବି ଜଣେ ନାଗରିକ ସମସ୍ତ ଯୋଗ୍ୟତା ପୂରଣ କରିବେ, ତାଙ୍କୁ ତୁରନ୍ତ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।
ଏହି ବଜେଟ୍ରେ SMART ସହର ଏବଂ ଅର୍ଥନୈତିକ କ୍ଲଷ୍ଟର ଗଠନ ଉପରେ ଗୁରୁତ୍ୱ ଦେବା ସହିତ ସହରାଞ୍ଚଳର ରୂପାନ୍ତରଣ ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି । ଆମେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର (BCPPER) କୁ ଏକ ପ୍ରମୁଖ ଦୀର୍ଘକାଳୀନ ଅଭିବୃଦ୍ଧିର ମାଧ୍ୟମ ଭାବରେ ଅନ୍ତର୍ଭୁକ୍ତ କରିଛୁ ।ରାଜ୍ୟ ଅର୍ଥନୀତିରେ ଏହି ଅଞ୍ଚଳର ଅବଦାନ ବର୍ତ୍ତମାନ ପ୍ରାୟ ୨୨.୫ ବିଲିୟନ ଆମେରିକୀୟ ଡଲାର ଅଛି । ୨୦୪୭ସୁଦ୍ଧା ଏହାକୁ ପ୍ରାୟ ୫୦୦ ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।ଏଥିସହିତବରଗଡ଼-ଝାରସୁଗୁଡ଼ା-ସମ୍ବଲପୁର,ବ୍ରହ୍ମପୁର-ଛତ୍ରପୁର-ଗୋପାଳପୁର ଏବଂ ଜୟପୁର-କୋରାପୁଟ-ସୁନାବେଡ଼ାଠାରେ ପର୍ଯ୍ୟାୟକ୍ରମେ ନୂତନ କରିଡର ଗୁଡିକର ବିକାଶ କରାଯିବ । ଏହା ସହିତ ସହରାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’, ଏବଂ ‘ପିଏମ୍-ଇ-ବସ୍ ସେବା’ ଯୋଜନା ସମେତ ଆଧୁନିକ ସହରୀ ପରିବହନ ପାଇଁ ବ୍ୟବସ୍ଥା କରାଯାଇଛି । ‘ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ’ ନାମରେ ଏକ ନୂତନ ଯୋଜନା ପ୍ରଣୟନ କରାଯାଇଛି ।
୨୦୨୬-୨୭ବଜେଟ୍ ଓଡ଼ିଶାକୁ ପୂର୍ବ ଭାରତର ଏକ ପ୍ରମୁଖ ଲଜିଷ୍ଟିକ୍ସ ଏବଂ କମ୍ୟୁନିକେସନ୍ ହବ୍ ଭାବରେ ଗଢ଼ିତୋଳିବା ପାଇଁ ଏକ ବୈପ୍ଳବିକ ରୋଡମ୍ୟାପ୍ ପ୍ରସ୍ତୁତ କରିଛି । ସାମୁଦ୍ରିକ କ୍ଷେତ୍ରରେ କେନ୍ଦ୍ରାପଡ଼ାଠାରେ ୨୪ ହଜାର ୭୦୦କୋଟି ଟଙ୍କା ବ୍ୟୟରେ ଜାତୀୟ ମେଗା ଜାହାଜ ନିର୍ମାଣ କ୍ଲଷ୍ଟର, ଗଞ୍ଜାମର ବାହୁଦା ମୁହାଣଠାରେ ୨୧ ହଜାର ୫୦୦କୋଟି ଟଙ୍କା ବିନିଯୋଗରେ ସାଟେଲାଇଟ୍ ପୋର୍ଟ ଏବଂ ଜାତୀୟ ଜଳପଥ-୫ର କାର୍ଯ୍ୟକାରିତା ପାଇଁ ପ୍ରସ୍ତାବ ଦିଆଯାଇଛି । ଏଥିସହିତ ସହରାଞ୍ଚଳ ଭିତ୍ତିଭୂମି ପାଇଁ କେନ୍ଦୁଝର ବାଇପାସ୍, ବୁର୍ଲା ରିଙ୍ଗ୍ ରୋଡ୍, କଟକ କାଠଯୋଡ଼ି ନଦୀ ଉପରେ ଦ୍ୱିତୀୟ ସେତୁ ଏବଂ ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ଉନ୍ନତିକରଣ ପାଇଁ ଲକ୍ଷ୍ୟ ରଖାଯାଇଛି ।ବିମାନ ଚଳାଚଳ କ୍ଷେତ୍ରରେ ସତିଭଟା, ଜମାଦାରପାଲି, ଦାଣ୍ଡବୋଷ, ରାଇସୁଆଁ, ତୁଷୁରା, ଅମର୍ଦା ରୋଡ୍ ଏବଂ ଗୋତମାଠାରେ ବିମାନ ବନ୍ଦରର ବିକାଶ କରି ଯୋଗାଯୋଗକୁ ସୁଦୃଢ଼ କରାଯିବ ।
ରାଜ୍ୟର ସଡ଼କ ଭିତ୍ତିଭୂମିର କାୟାକଳ୍ପ ପରିବର୍ତ୍ତନ ଆଣିବା ସହ ଆଗାମୀ ପିଢ଼ି ପାଇଁ ବିଶ୍ୱସ୍ତରୀୟ ଯୋଗାଯୋଗ ବ୍ୟବସ୍ଥା ନିର୍ମାଣ କରିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ । ଏହି ପରିପ୍ରେକ୍ଷୀରେ, ଓଡ଼ିଶାର କୋଣ ଅନୁକୋଣକୁ ସଂଯୋଗ କରିବା ପାଇଁ ଏହି ବଜେଟରେ ତିନୋଟି ମହତ୍ୱାକାଂକ୍ଷୀ ସଡ଼କ ପ୍ରକଳ୍ପର ପ୍ରସ୍ତାବ ରଖାଯାଇଛି ।ପ୍ରଥମତଃ, ଦକ୍ଷିଣ ଓଡ଼ିଶାର ବିକାଶକୁ ଗତିଶୀଳ କରିବା ପାଇଁ ୯ହଜାର କୋଟି ଟଙ୍କା ବ୍ୟୟରେ ୨୮୭କିଲୋମିଟର ବିଶିଷ୍ଟ ବ୍ରହ୍ମପୁର-ଜୟପୁର ରାଜପଥ ନିର୍ମାଣ, ଦ୍ୱିତୀୟରେ, ‘ନମୋ ଏକ୍ସପ୍ରେସୱେ’ ଏକ ପ୍ରମୁଖ ପୂର୍ବ-ପଶ୍ଚିମ କରିଡର ଭାବେ ଗଜପତିର ପାରଳାଖେମୁଣ୍ଡିକୁ ବରଗଡ଼ର ଅମ୍ବାଭୋନା ସହ ସଂଯୋଗ କରିବ । ତୃତୀୟତଃ, ରାଜ୍ୟର ସର୍ବବୃହତ ସଂଯୋଗୀକରଣ ପ୍ରକଳ୍ପ ଭାବେ ୯୬୯କିଲୋମିଟର ଦୀର୍ଘ ‘ଅଟଳ ଏକ୍ସପ୍ରେସୱେ’ ଉତ୍ତର-ଦକ୍ଷିଣ କରିଡର ମାଧ୍ୟମରେ ମାଲକାନଗିରିର ମୋଟୁକୁ ମୟୂରଭଞ୍ଜର ତିରିଙ୍ଗି ସହ ସଂଯୋଗ କରିବ ।
ମିଶନ PoWaR ଅଧୀନରେ “ସଡକ ସଂଯୋଗବିହୀନ ବସତିଗୁଡିକର ସଂଯୋଗୀକରଣ” ପାଇଁ ୨୦୨୬-୨୭ଆର୍ଥିକ ବର୍ଷରେ ଏକ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆଗାମୀ ଦିନରେ ବିଧାନସଭାକୁ ଅଧିକ ସଂଖ୍ୟକ ସଦସ୍ୟ-ସଦସ୍ୟା ନିର୍ବାଚିତ ହୋଇ ଆସି ପାରନ୍ତି। ସେହିପରି ଦିନକୁ ଦିନ ଶାସନ-ପ୍ରଶାସନର କଳେବର ବୃଦ୍ଧି ପାଉଛି। ଏହି ସମସ୍ଯାର ଆଶୁ ସମାଧାନ ପାଇଁ ଆମ ସରକାର ଏକ ନୂତନ ବିଧାନସଭା ଭବନ ଓ ନୂଆ ଲୋକସଭା ଭବନର ନିର୍ମାଣ କରିବାକୁ ଯାଉଛନ୍ତି। ଏଥିପାଇଁ ଆବଶ୍ୟକ ଅର୍ଥ ପ୍ରାବଧାନ କରାଯିବ।
ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ହବ୍ରେ ପରିଣତ କରିବା ପାଇଁ ଆମ ସରକାର ଏହି ବଜେଟରେ ଅତ୍ୟନ୍ତ ଦୂରଦର୍ଶୀ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି। ପୁରୀଠାରେ ପ୍ରାୟ ୧୫ଶହ ଏକର ଅଞ୍ଚଳରେ ପରିକଳ୍ପିତ “ଶାମୁକା ପ୍ରକଳ୍ପ” ନୈସର୍ଗିକ ବେଳାଭୂମି ଓ ଅତ୍ୟାଧୁନିକ ଭିତ୍ତିଭୂମିର ସମନ୍ୱୟରେ ଏକ ଅନନ୍ୟ ଉପକୂଳବର୍ତ୍ତୀ ପର୍ଯ୍ୟଟନ କେନ୍ଦ୍ର ପାଲଟିବ । ଏଠାରେ ସ୍ଥାପିତ ହେବାକୁ ଥିବା ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର (WTC) ଆନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ସାଜିବ । ସେହିଭଳି, ହୀରାକୁଦ ଜଳଭଣ୍ଡାର ଓ ଦେବ୍ରିଗଡ଼ ଅଭୟାରଣ୍ୟକୁ ନେଇ ଏକ ସମନ୍ୱିତ ମାଷ୍ଟର ପ୍ଲାନ୍ ମାଧ୍ୟମରେ ଏକ ସ୍ଥାୟୀ ବିଶ୍ୱସ୍ତରୀୟ ଗନ୍ତବ୍ୟସ୍ଥଳ ଭାବେ ବିକଶିତ କରାଯିବ ।
ସେହିଭଳି ଏସିଆର ସର୍ବବୃହତ ଲୁଣି ହ୍ରଦ ଚିଲିକାର ପରିବେଶ ସୁରକ୍ଷା ପାଇଁ ‘ଚିଲିକା ପୁନରୁଦ୍ଧାର’ ନାମକ ଏକ ଅଭିନବ ଯୋଜନା ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ସୁରକ୍ଷିତ ରଖିବା ପାଇଁ ସହାୟକ ହେବ ।
ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ସହ ଏହାକୁ ଏକ ସ୍ଥାୟୀ ଜୀବିକାର ମାଧ୍ୟମ ଭାବେ ଗଢ଼ିତୋଳିବା ପାଇଁ ଆମ ସରକାର ସର୍ବଦା ଚେଷ୍ଟିତ । ଏହି କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ “ମୁଖ୍ୟମନ୍ତ୍ରୀ ବୟନଶିଳ୍ପ ବିକାଶ ଯୋଜନା”, “ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା” ଏବଂ “ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ବିକାଶ ଯୋଜନା” ଭଳି ଅଭିନବ ପଦକ୍ଷେପ ମାଧ୍ୟମରେ ଏହି ଶିଳ୍ପର ଉତ୍ଥାନ ପାଇଁ କାର୍ଯ୍ୟ କରାଯିବ।
ବିଶେଷ କରି, ପିପିଲିର ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ କଳାର ପୁନରୁଦ୍ଧାର ପାଇଁ ପିପିଲି ଟୋଲ୍ ପ୍ଲାଜା ନିକଟରେ ସମସ୍ତ ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ଏକ ନୂତନ “ପିପିଲି ଚାନ୍ଦୁଆ ବଜାର” ନିର୍ମାଣ କରାଯିବ । ଏହି ପ୍ରକଳ୍ପ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହ ସ୍ଥାନୀୟ କାରିଗରମାନଙ୍କ ବାଣିଜ୍ୟିକ ସ୍ଥିତିକୁ ସୁଦୃଢ଼ କରି ଓଡ଼ିଶାର ସାଂସ୍କୃତିକ ଗୌରବକୁ ନୂତନ ଶିଖରକୁ ନେଇଯିବ ।
ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର ଏବଂ ଓଡ଼ିଆ ଅସ୍ମିତାର ପରିଚୟ । ମହାପ୍ରଭୁଙ୍କ ଅନନ୍ତ ମହିମାର ସଂରକ୍ଷଣ ଓ ପ୍ରସାରକୁ ଆମ ସରକାର ଏକ ପବିତ୍ର କର୍ତ୍ତବ୍ୟ ଭାବେ ଗ୍ରହଣ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ, ପୁରୀଠାରେ ୧ହଜାର କୋଟି ଟଙ୍କା ବ୍ୟୟରେ ଏକ ବିଶ୍ୱସ୍ତରୀୟ ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ ପ୍ରତିଷ୍ଠା ସହ ଗୁଣ୍ଡିଚା ମନ୍ଦିର, ଏମାର ମଠ ଓ ରଘୁନନ୍ଦନ ପାଠାଗାର ଭଳି ଐତିହାସିକ ସ୍ଥଳୀର ଆଧ୍ୟାତ୍ମିକ ଗୌରବକୁ ପୁନରୁଦ୍ଧାର କରାଯିବ । ବିଶ୍ୱର କୋଣ ଅନୁକୋଣରେ ଥିବା ଭକ୍ତମାନଙ୍କୁ ଶ୍ରୀମନ୍ଦିର ସହ ଯୋଡ଼ିବା ପାଇଁ “ସମର୍ପଣ” ନାମକ ଏକ ସୁରକ୍ଷିତ ଡିଜିଟାଲ୍ ହୁଣ୍ଡି ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଛି । ଆମର ଐତିହ୍ୟ, ପରମ୍ପରା ଏବଂ ପ୍ରାଚୀନ କୀର୍ତ୍ତୀରାଜୀ କୁ ଆଗାମୀ ପିଢ଼ି ପାଇଁ ସାଇତି ରଖିବାପାଇଁ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ସଂଗ୍ରହାଳୟ ନିର୍ମାଣ କରାଯିବ ।
ଏଥିସହିତ, ଆମର ଶୌର୍ଯ୍ୟର ପ୍ରତୀକ, ସାମରିକ କଳା ‘ଛଉ’ ର ପ୍ରସାର ଓ ସଂରକ୍ଷଣ ପାଇଁ ବାରିପଦାଠାରେ ‘ମୟୂରଭଞ୍ଜ ଛଉ ଏକାଡେମୀ’ ପ୍ରତିଷ୍ଠା କରାଯାଉଛି।
ଓଡ଼ିଶାର ପ୍ରତିଟି ଅଞ୍ଚଳରେ ସମାନ ଭାବେ ବିକାଶର ଧାରା ପହଞ୍ଚାଇବା ଏବଂ ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ଆମ ସରକାର ଏହି ବଜେଟ୍ରେ ଆବଶ୍ୟକୀୟ ବ୍ୟୟବରାଦ କରିଛନ୍ତି । ପଶ୍ଚିମ ଓଡ଼ିଶାର ପ୍ରଗତି ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC) କୁ ୫୦୦କୋଟି ଟଙ୍କା ଏବଂ ଦକ୍ଷିଣ ଓଡ଼ିଶା (SODC) ଓ ଉତ୍ତର ଓଡ଼ିଶା ବିକାଶ ପରିଷଦ (NODC) ପାଇଁ ୨୦୦କୋଟି ଲେଖାଏଁ ଟଙ୍କାର ପ୍ରସ୍ତାବ ରଖାଯାଇଛି ।
ସେହିଭଳି KBK ଜିଲ୍ଲାଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୨୫୦କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ବିଧାୟକ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି ଅଧୀନରେ ୭୩୫କୋଟି ଏବଂ ନିର୍ବାଚନ ମଣ୍ଡଳୀ ଭିତ୍ତିକ ଆବଣ୍ଟନ (CWA) ପାଇଁ ୧୪୨କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଆମର ସମସ୍ତ ମାନ୍ୟବର ବିଧାୟକ-ବିଧାୟିକାଗଣ ଏହି ପାଣ୍ଠିର ସଦୁପଯୋଗ କରି ନିଜ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହେବେ ବୋଲି ମୁଁ ଆଶାବାଦୀ ।
ବଜେଟ୍ ଅର୍ଥର ବିନିଯୋଗକୁ ନେଇ ଗୃହର କିଛି ମାନ୍ୟବର ସଦସ୍ୟ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ଯେଉଁ ସନ୍ଦେହ ପ୍ରକଟ କରିଛନ୍ତି, ତାହା ବାସ୍ତବରେ ତଥ୍ୟ ଆଧାରିତ ନୁହେଁ । ଆଜି ସେହି କିଛି ମାନ୍ୟବର ସଦସ୍ୟ-ସଦସ୍ୟାମାନଙ୍କ ଭ୍ରମ ଦୂର କରିବା ପାଇଁ ମୁଁ ବାସ୍ତବ ପରିସଂଖ୍ୟାନ ଓ ସତ୍ୟନିଷ୍ଠ ତଥ୍ୟ ଉପସ୍ଥାପନ କରିବାକୁ ଚାହୁଁଛି । ପୂର୍ବ ବର୍ଷଗୁଡ଼ିକରେ, ପ୍ରକୃତ ଖର୍ଚ୍ଚ ହେବା ପୂର୍ବରୁ ରାଜ୍ୟ କୋଷାଗାରରୁ ବିଭିନ୍ନ ବିଭାଗ କିମ୍ବା ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଦିଆଯାଉଥିଲା ଏହି ପ୍ରକ୍ରିୟା ଯୋଗୁଁ ବଜେଟ୍ ବ୍ୟବହାରର ପ୍ରତିଶତ ବାସ୍ତବତାଠାରୁ ଅଧିକ ଜଣାପଡ଼ୁଥିଲା, କିନ୍ତୁ ବାସ୍ତବ କ୍ଷେତ୍ରରେ ସେହି ଟଙ୍କା ଖର୍ଚ୍ଚ ହେଉନଥିଲା । ବର୍ତ୍ତମାନ ଆମ ସରକାର Just-In-Time-Funding System ଏବଂ ‘SNA-SPARSH’ ଭଳି ଅତ୍ୟାଧୁନିକ ଆର୍ଥିକ ପରିଚାଳନା ପଦ୍ଧତି ଆପଣେଇବା ଫଳରେ ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସଠିକ ସମୟରେ ପହଞ୍ଚୁଛି । ଅର୍ଥାତ, ପୂର୍ବ ସରକାରଙ୍କ ସମୟରେ ପ୍ରଦର୍ଶିତ ବଜେଟ୍ ଖର୍ଚ୍ଚର ପରିସଂଖ୍ୟାନ ଅତ୍ୟଧିକ ବଢ଼େଇ ଚଢ଼େଇ ଦର୍ଶାଯାଉଥିଲା । ଆମର ବର୍ତ୍ତମାନର ତଥ୍ୟ ଅଧିକ ସ୍ୱଚ୍ଛ, ସଠିକ୍ ଏବଂ ବାସ୍ତବ ବଜେଟ୍ ଖର୍ଚ୍ଚର ଏକ ପ୍ରକୃତ ପ୍ରତିଫଳନ ।
ଯଦି ଆମେ ପୂର୍ବର ସେହି ପୁରୁଣା ପଦ୍ଧତି ଅନୁସରଣ କରିଥାନ୍ତୁ, ତେବେ ଆମର ବଜେଟ୍ ବିନିଯୋଗର ପରିସଂଖ୍ୟାନ ବର୍ତ୍ତମାନ ତୁଳନାରେ ବହୁତ ଅଧିକ ଦେଖାଯାଇଥାନ୍ତା, କିନ୍ତୁ ସେଥିରେ ବର୍ତ୍ତମାନର ସ୍ୱଚ୍ଛତା ଓ ସଠିକତା ରହିନଥାନ୍ତା । ମୁଁ ଯେପରି ପୂର୍ବରୁ କହିଛି, ଆମେ ଛଳନାରେ ବିଶ୍ୱାସ କରୁନା, ଆମେ ପ୍ରଶାସନକୁ ଯେପରି ଅଧିକ ସ୍ୱଚ୍ଛ କରିହେବ, ସେ ଦିଗରେ ବାସ୍ତବ ପଦକ୍ଷେପ ନେଉଛୁ । ଚଳିତ ବର୍ଷ ଓଡ଼ିଶାରେ ବର୍ଷାର ଧାରା ଅତ୍ୟନ୍ତ ନିଆରା ଓ ଆହ୍ୱାନପୂର୍ଣ୍ଣ ରହିଥିଲା । ବଙ୍ଗୋପସାଗରରେ ସୃଷ୍ଟ ଏକାଧିକ ଲଘୁଚାପ ଏବଂ ଗଭୀର ଅବପାତ ସହିତ ମୌସୁମୀର ବିଳମ୍ବିତ ପ୍ରସ୍ଥାନ ଯୋଗୁଁ ଦୀପାବଳି ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଥିଲା । ଅକ୍ଟୋବର ମାସରେ ମଧ୍ୟ ସ୍ୱାଭାବିକ ତୁଳନାରେ ଅନେକ ଜିଲ୍ଲାରେ ବହୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା । ଏହି ଅପ୍ରତ୍ୟାଶିତ ପ୍ରାକୃତିକ ପରିସ୍ଥିତି ଯୋଗୁଁ କିଛି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ଗତି ପ୍ରାରମ୍ଭିକ ପର୍ଯ୍ୟାୟରେ ମନ୍ଥର ହୋଇଥିଲେ ମଧ୍ୟ ପ୍ରକୃତିର ଏହି ପ୍ରତିବନ୍ଧକ ଆମର ବିକାଶ ଧାରାକୁ ଅଟକାଇ ପାରିନାହିଁ ।
ବର୍ଷା ଛାଡ଼ିବା ପରେ ପରବର୍ତ୍ତୀ ମାସଗୁଡ଼ିକରେ କାର୍ଯ୍ୟର ଗତିକୁ ଦ୍ୱିଗୁଣିତ କରାଯାଇ ସମସ୍ତ ବିଳମ୍ବକୁ ସଫଳତାର ସହ ସୁଧାରି ଦିଆଯାଇଛି । ଗତ କିଛି ବର୍ଷ ଧରି ରାଜ୍ୟରେ ବନ୍ୟା ବାତ୍ୟା ଭଳି ଆସୁଥିବା ବିଭିନ୍ନ ବିପର୍ଯ୍ୟୟ ଯୋଗୁଁ ପ୍ରତି ବର୍ଷ ବଜେଟରେ ବିପର୍ଯ୍ୟୟ ପରିଚାଳନା ପାଇଁ ବହୁଳ ଅର୍ଥ ପ୍ରାବଧାନ କରି ବ୍ୟୟ କରାଯାଉଥିଲା । ପରନ୍ତୁ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅସୀମ କୃପା ଏବଂ ଆଶୀର୍ବାଦର ଫଳ ସ୍ୱରୂପ ଚଳିତ ବର୍ଷ ରାଜ୍ୟକୁ କୌଣସି ବଡ ବିପର୍ଯ୍ୟୟ ବା ଦୁର୍ବିପାକ ଜନିତ ବ୍ୟୟ ବହନ କରିବାର ଅଦ୍ୟାବଧି ଆବଶ୍ୟକତା ସୃଷ୍ଟି ହୋଇ ନାହିଁ ।
ଏହି ସମ୍ବନ୍ଧିତ ବଜେଟରେ ଥିବା ପ୍ରସ୍ତାବିତ ରାଶି ଖର୍ଚ୍ଚ ନହୋଇପାରିବା ହେଉଛି, ଆମ ପାଇଁ ବଳକା, ଏବଂ ଏହାକୁ ନେଇ ଯଦି କିଛି ସଦସ୍ୟ ବଜେଟରେ ପ୍ରସ୍ତାବିତ ଅର୍ଥ ସରକାର ଖର୍ଚ୍ଚ କରି ପାରୁନାହାନ୍ତି ବୋଲି କହିବେ, ଏଥିରୁ ବଡ ହାସ୍ୟାସ୍ପଦ କଥା ଆଉ କିଛି ହେଇ ନ ପାରେ । ମାନ୍ୟବର ବାଚସ୍ପତି ମହୋଦୟା! କିଛି ମାନ୍ୟବର ବିଧାୟକ ଆଲୋଚନା ବେଳେ ରାଜ୍ୟର ଋଣ ଭାର ତଥା ବର୍ଷ ୨୦୨୬-୨୭ପାଇଁ କରାଯାଇଥିବା ଆକଳନ ଉପରେ ଚିନ୍ତା ପ୍ରକଟ କରିଛନ୍ତି। ଆପଣମାନେ ଭଲ ଭାବରେ ଜାଣିଛନ୍ତି, ଏହି ବଜେଟ ଏକ ଜନକୈନ୍ଦ୍ରିକ ଓ ବିକାଶମୁଖୀ ବଜେଟ । ରାଜ୍ୟର ଋଣ ଭାର ମଧ୍ୟ ଗ୍ରହଣୀୟ ସ୍ଥିତିରେ ରହିଛି । ଫେବୃଆରୀ, ୨୦୨୬ଶେଷ ସୁଦ୍ଧା ରାଜ୍ୟର ସମୁଦାୟ ଋଣ ୧ ଲକ୍ଷ ୨୫ ହଜାର ୯୫୧କୋଟି ଟଙ୍କା ରହିଛି । ୨୦୨୬-୨୭ଆର୍ଥିକ ବର୍ଷର ବଜେଟରେ ଆମେ ୪୬ ହଜାର ୪୦୦କୋଟି ଟଙ୍କା ଋଣ କରିବାର ପ୍ରାବଧାନ କରିଥିଲୁ, ମାତ୍ର ଅର୍ଥର ସୁବିନିଯୋଗ ଦ୍ଵାରା ଆମେ ଏହି ଅବଧି ମଧ୍ୟରେ ଫେବୃଆରୀ ମାସ ଶେଷ ସୁଦ୍ଧା ମାତ୍ର ୨୩ ହଜାର ୫କୋଟି ଟଙ୍କା ଋଣ ଆହରଣ କରିଛୁ ଏବଂ ୧୭ ହଜାର ୭୬୪ କୋଟି ଟଙ୍କାର ଋଣ ପରିଶୋଧ ମଧ୍ୟ କରିଛୁ।
କିଛି ମାନ୍ୟବର ସଦସ୍ୟ ରାଜ୍ୟର ମୁଣ୍ଡ ପିଛା ଋଣ ଉପରେ ଚିନ୍ତା ପ୍ରକଟ କରିଛନ୍ତି । ମୁଁ ଏଠାରେ ଆହୁରି ସୂଚାଇ ଦେବାକୁ ଚାହେଁ ଯେ, ଋଣ ଭାରର ପୋଷଣୀୟତା ମାପିବା ପାଇଁ ଦୁଇ ଗୋଟି ପରିମାପକର ବ୍ୟବସ୍ଥା କରାଯାଇଛି – a. ଋଣ ଭାର ଓ ରାଜ୍ୟ ମୋଟ୍ ଘରୋଇ ଉତ୍ପାଦର ଅନୁପାତ (Debt-GSDP ratio) ୨୫ପ୍ରତିଶତ ମଧ୍ୟରେ ସୀମିତ ରହିବା ଆବଶ୍ୟକ, ଏବଂ
b. ସୁଧ ଦେୟ ଓ ରାଜସ୍ୱ ପ୍ରାପ୍ତି (IP/RR ratio) ର ଅନୁପାତ ୧୫ପ୍ରତିଶତ ମଧ୍ୟରେ ରଖିବା ଆବଶ୍ୟକ । ମହାଲେଖାକାରଙ୍କ ଠାରୁ ମିଳିଥିବା ହିସାବ ଅନୁଯାଇ ଫେବୃଆରୀ, ୨୦୨୬ଶେଷ ସୁଦ୍ଧା ରାଜ୍ୟର Debt-GSDP ଅନୁପାତ ୧୨.୭ପ୍ରତିଶତ ରହିଅଛି ଏବଂ IP/RR ଅନୁପାତ ୨.୨୮ପ୍ରତିଶତରେ ସୀମିତ ରଖାଯାଇଛି । ରାଜସ୍ୱ ବଳକା ସ୍ଥିତି ବଜାୟ ରହିବା ସହ ସମସ୍ତ ଋଣ ଉନ୍ନୟନମୂଳକ ଓ ପୁଞ୍ଜି ଖର୍ଚ୍ଚ ପାଇଁ ବ୍ୟବହୃତ ହେଉଛି । ରାଜ୍ୟର ମୁଣ୍ଡ ପିଛା ଋଣଭାର ମାତ୍ର ୨୬ ହଜାର ୭୮୩ରହିଛି ଯାହା କୌଣସି ଦୃଷ୍ଟିରୁ ଚିନ୍ତାଜନକ ନୁହେଁ । ତେଣୁ ଏହି ଗୃହ ରାଜ୍ୟର ଋଣ ହାରର ପୋଷଣୀୟତା ବାବଦକୁ ସନ୍ଦେହ ପ୍ରକାଶ କରିବାର ଆବଶ୍ୟକତା ନାହିଁ।
ବିରୋଧୀ ଦଳର ବିଧାୟକମାନେ ଉଚ୍ଚ ସୁଧ ହାରରେ ଖୋଲା ବଜାରରୁ ଋଣ ଆହରଣ ବାବଦକୁ ଚିନ୍ତା ପ୍ରକଟ କରିଛନ୍ତି । ତାଙ୍କର ଏହି ଚିନ୍ତା ନିରାଧାର ଅଟେ । ମୁଁ ଏଠାରେ ଉଲ୍ଲେଖ କରିବାକୁ ଚାହେଁ ଯେ ଖୋଲା ବଜାରରୁ ଋଣ ଆମର ବିତ୍ତୀୟ ନିଅଣ୍ଟକୁ ଭରଣା କରିବା ପାଇଁ ଏକ ଉତ୍ସ । ଏହାର ସୁଧ ହାର RBIର ତତ୍ତ୍ଵାବଧାନରେ ନିଲାମ ଜରିଆରେ ସ୍ଥିରିକୃତ ହୋଇଥାଏ । ଫେବୃଆରୀ ମାସ ଶେଷ ସୁଦ୍ଧା ଆମେ ୧୧ହଜାର କୋଟି ଟଙ୍କାର ଖୋଲା ବଜାରରୁ ଋଣ ଆହରଣ କରିଛୁ, ଯାହାର ହାରାହାରି ସୁଧ ହାର ପ୍ରାୟ ୭ପ୍ରତିଶତ ରହିଅଛି। ଏହି ସୁଧ ହାର GPF ର ସୁଧ ହାର (୭.୧ପ୍ରତିଶତ ) ଠାରୁ ମଧ୍ୟ କମ ଅଟେ ।
ମୁଁ ଗୃହର ଅବଗତି ନିମନ୍ତେ ଜଣେଇ ଦେବାକୁ ଚାହେଁ ଯେ, ଋଣ ସମ୍ବନ୍ଧରେ ରାଜ୍ୟର ବର୍ତ୍ତମାନର ଏବଂ ମଧ୍ୟକାଳୀନ ଭବିଷ୍ୟତ ସ୍ଥିତି ବିଷୟରେ ଏକ ସ୍ଵଚ୍ଛ ଏବଂ ସଠିକ ତଥ୍ୟର ପରିପ୍ରକାଶ ପାଇଁ ରାଜ୍ୟ ଅର୍ଥ ବିଭାଗ “Status Paper on Public Debt” ନାମକ ଏକ ପୁସ୍ତିକା ପ୍ରକାଶ କରିଛି । ଏହାକୁ ଆମେ ଗୃହରେ ବଜେଟ୍ ସହ ଉପସ୍ଥାପନ କରିଛୁ । ଏହା ବ୍ୟତୀତ ଆର୍ଥିକ ସ୍ୱଚ୍ଛତା ଏବଂ ଅନୁଶାସନକୁ ସୁନିଶ୍ଚିତ କରିବା ପାଇଁ ଆମେ ବାର୍ଷିକ ବଜେଟ୍ ସହିତ କେତେକ ପ୍ରମୁଖ ଦଲିଲ ମଧ୍ୟ ପ୍ରକାଶ କରିଛୁ । ରାଜ୍ୟର ଋଣ ଏବଂ ଆର୍ଥିକ ନିଅଣ୍ଟକୁ ଏକ ନିର୍ଦ୍ଧାରିତ ସୀମା ମଧ୍ୟରେ ରଖି ଓଡ଼ିଶାର ଦୀର୍ଘକାଳୀନ ଆର୍ଥିକ ସ୍ଥିରତା ପ୍ରତି ଆମର ପ୍ରତିବଦ୍ଧତା ପାଇଁ ଆମେ ପ୍ରତି ବର୍ଷ FRBM Statement ପ୍ରକାଶ କରୁଛୁ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହି ବଜେଟ କେବଳ ଗୋଟିଏ ବର୍ଷର ଲେଖା ଜୋଖାର ହିସାବ ନୁହେଁ। ଏହା ସମୃଦ୍ଧ ଓଡିଶା ଗଠନ କରିବାର ଏକ ରୋଡ ମ୍ୟାପ। ଏହି ବଜେଟରେ ରାଜ୍ୟର ପ୍ରତ୍ଯେକ ବର୍ଗର ଲୋକଙ୍କ ପାଇଁ କିଛି ନା କିଛି ପ୍ରାବଧାନ ଅଛି। କାରଣ, ରାଜ୍ୟର ପ୍ରତ୍ଯେକ ବ୍ୟକ୍ତି ଓଡିଶାର ବିକାଶ କରିବା ପାଇଁ ନିଜ ନିଜର ସାମର୍ଥ୍ୟ ଅନୁସାରେ ଅବଦାନ ଦେଉଛନ୍ତି। ଉଦାହରଣ ସ୍ୱରୂପ କେବଳ ମହିଳାଙ୍କ ବିକାଶ ପାଇଁ ବଜେଟରେ ୧ ଲକ୍ଷ ୨୨ ହଜାର ୭୬୪ କୋଟି ଟଙ୍କାର ପ୍ରବଧାନ କରାଯାଇଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ହେଉଛନ୍ତି ସମଗ୍ର ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ। ତେଣୁ, ତାଙ୍କର ବିକାଶ ପାଇଁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ୬ ହଜାର ୬୪୯ କୋଟି ୩୩ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଆମ ବିକାଶ ମଡେଲ,‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’।
ଆଜି ଏହି ଅବସରରେ ମୁଁ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଆପଣଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି। ଆଜି ସମଗ୍ର ବିଶ୍ଵ ଏକ ସଙ୍ଘର୍ଷମୟ ପରିସ୍ଥିତି ଦେଇ ଗତି କରୁଛି। ସଂପୂର୍ଣ୍ଣ, ମଧ୍ୟପ୍ରାଚ୍ୟ ଗତ ଏକ ମାସ ହେଲା ଏକ ନୂତନ ଯୁଦ୍ଧ ବିଭୀଷିକା ମଧ୍ୟରେ ଗତି କରୁଛି ଯାହାର ସିଧା ସଳଖ ପ୍ରଭାବ ସମଗ୍ର ବିଶ୍ଵ ଉପରେ ପଡୁଛି।
ଆଜି ଭାରତ ବିଶ୍ୱର ଏକମାତ୍ର ଦେଶ ଭାବେ ଏକ୍ସାଇଜ୍ ଡ୍ୟୁଟି ଛାଡ୍ କରିଛି । ଦରଦାମ୍ ନିୟନ୍ତ୍ରଣରେ ଅଛି, ଗ୍ୟାସ୍ ଗଚ୍ଛିତ ଅଛି, ଏଭଳି ପରିସ୍ଥିତିରେ କଳାବଜାରୀ ଓ ଅସାଧୁ ବ୍ୟବସାୟୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ ଗଠନ କରାଯାଇ ଚଢ଼ାଉ କରାଯାଉଛି । ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବୈଠକ କରିଛନ୍ତି । ଆମ ରାଜ୍ୟରେ ବିଭିନ୍ନ ସ୍ତରରେ ଏ ପରିସ୍ଥିତିର ରିଭ୍ୟୁ କରାଯାଇଛି । ଆମେ ସମ୍ପୂର୍ଣ୍ଣ ସଜାଗ ଅଛୁ, ପ୍ୟାନିକ୍ ହେବାର କୌଣସି କାରଣ ନାହିଁ, ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଆମ ଦେଶଏଥିରୁ ଅଲଗା ନୁହେଁ, କାରଣ ଆମ ଦେଶର ଏକ ବଡ ଭାଗ ତୈଳ ଗ୍ଯାସ ଏହି ଅଞ୍ଚଳରୁ ଆମଦାନୀ ହୋଇଥାଏ। କିନ୍ତୁ, ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ଵରେ ସାଧାରଣ ଜନତାଙ୍କ ଉପରେ ଭାରକୁ ଯେତେଦୂର ସମ୍ଭବ ଲାଘବ କରାଇବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ପ୍ରାୟ ସବୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ଆଶାତୀତ ଭାବେ ବୃଦ୍ଧି ହୋଇଥିବା ବେଳେ, ଭାରତରେ ଏଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ।
ମୁଁ ଆପଣଙ୍କ ମାଧ୍ୟମରେ ରାଜ୍ୟବାସୀଙ୍କୁ ଆଶ୍ଵସ୍ତ କରିବାକୁ ଚାହୁଁଛି ଯେ ରାଜ୍ୟରେ ପେଟ୍ରୋଲ, ଡିଜେଲ କିମ୍ବା ରନ୍ଧନ ଗ୍ଯାସରେ କୌଣସି ସଙ୍କଟ ନାହିଁ।
ଆମ ପାଖରେ ଯଥେଷ୍ଟ ଷ୍ଟକ ମହଜୁଦ ଅଛି। ତେଣୁ, ଅଯଥାରେ ଭୟତୁର ହୋଇ ଗଚ୍ଛିତ କରନ୍ତୁ ନାହିଁ। ଯଦି ଏହି ବିଷୟକୁ ନେଇ କେହି ଗୁଜବ କରିବେ, ସରକାର କଡା ପଦକ୍ଷେପ ନେବାକୁ ପଛେଇବେ ନାହିଁ । ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଉପଲବ୍ଧ ସମ୍ୱଳର ସୁବିନିଯୋଗ ନିମନ୍ତେ ଏହି ବଜେଟ୍ ରେ ଅର୍ଥ ବ୍ୟବସ୍ଥା କରାଯାଇଛି । ବର୍ଷ ୨୦୨୬-୨୭ର ବଜେଟ୍ ପାଇଁ ଉପସ୍ଥାପିତ ବ୍ୟୟ ମଞ୍ଜୁରୀ ବିଧେୟକକୁ ଏହି ଗୃହର ଅନୁମୋଦନ ମିଳିଲେ, ରାଜ୍ୟର ବିକାଶ ପାଇଁ ଆବଶ୍ୟକୀୟ ଅର୍ଥ ବ୍ୟୟ କରାଯାଇ ପାରିବ । ତେଣୁ ମୁଁ ଆଜି ଏହି ପବିତ୍ର ଗୃହର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ଏହି ବିଧେୟକକୁ ପାରିତ କରିବା ପାଇଁ ଅନୁରୋଧ କରୁଅଛି ।









