ପ୍ରଧାନମନ୍ତ୍ରୀ ସୁରଟରେ ପ୍ରାୟ ୧୮,୮୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ
ପ୍ରଧାନମନ୍ତ୍ରୀ ୮ ଲେନ୍ ପ୍ରବେଶ ନିୟନ୍ତ୍ରିତ ଭଦୋଦରା-ମୁମ୍ବାଇ ଏକ୍ସପ୍ରେସ ୱେର ପ୍ରମୁଖ ପ୍ୟାକେଜ ଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ
ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ-୫୬ରେ ଗୁରୁତ୍ୱପୂର୍ଣ୍ଣ ଅଂଶ ଗୁଡ଼ିକର ଚାରିଲେନ୍ ପାଇଁ ଶିଳାନ୍ୟାସ କରିବେ; ଏହା ଆଦିବାସୀ ଅଞ୍ଚଳରେ ଯୋଗାଯୋଗ ବୃଦ୍ଧି କରିବା ଏବଂ ଷ୍ଟାଚ୍ୟୁ ଅଫ ୟୁନିଟିର ପ୍ରବେଶକୁ ବୃଦ୍ଧି କରିବା ପାଇଁ ପ୍ରକଳ୍ପ
ପ୍ରଧାନମନ୍ତ୍ରୀ ଦାମନରେ ପ୍ରାୟ ୨,୯୭୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ରକୁ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ
ପ୍ରଧାନମନ୍ତ୍ରୀ ଦାମନରେ ନମୋ ବିମାନବନ୍ଦରର ନୂତନ ଟର୍ମିନାଲ କୋଠାକୁ ଉତ୍ସର୍ଗ କରିବେ
ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ୮୮୫ କୋଟି ଟଙ୍କାର ବନ୍ଦର ପ୍ରକଳ୍ପର ଶିଳାନ୍ୟାସ କରିବେ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫ ଜୁନ୍, ୨୦୨୬ରେ ଗୁଜରାଟ ଏବଂ ଦାମନ ଗସ୍ତ କରିବେ । ଦିନ ପ୍ରାୟ ୨ଟା ୩୦ ମିିନିଟରେ, ପ୍ରଧାନମନ୍ତ୍ରୀ ସୁରଟ ଜିଲ୍ଲାର ହାଜିରା ଗସ୍ତ କରିବେ ଏବଂ ଚାଲୁଥିବା ଔଦ୍ୟୋଗିକ କାର୍ଯ୍ୟ ଓ ଭିତ୍ତିଭୂମିର ସମୀକ୍ଷା କରିବେ । ଅପରାହ୍ନ ପ୍ରାୟ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ସୁରଟରେ ପ୍ରାୟ ୧୮,୮୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଓ ଲୋକାର୍ପଣ କରି ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।
ପ୍ରଧାନମନ୍ତ୍ରୀ ତା’ପରେ ଦାମନ ଯାତ୍ରା କରିବେ, ଯେଉଁଠାରେ ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ଦାମନରେ ସେ ନମୋ ବିମାନବନ୍ଦରର ନୂତନ ଟର୍ମିନାଲ କୋଠାର ଉଦଘାଟନ କରିବେ । ଏହାପରେ ଦାମନରେ ନମୋ ହସପିଟାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯିବ । ସନ୍ଧ୍ୟା ପ୍ରାୟ ୭ଟା ୧୫ରେ ପ୍ରଧାନମନ୍ତ୍ରୀ ଦାମନରେ ପ୍ରାୟ ୨,୯୭୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ ମଧ୍ୟ କରିବେ । ସେ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ପାଇଁ ପ୍ରାୟ ୮୮୫ କୋଟି ଟଙ୍କାର ଚାରୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିବେ । ଏହି ଅବସରରେ ସେ ଉପସ୍ଥିତ ସମାବେଶକୁ ସମ୍ବାଧିତ କରିବେ ।
ସୁରଟରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ସୁରଟରେ ରାସ୍ତା, ବିଦ୍ୟୁତ ଏବଂ ଶିଳ୍ପ କ୍ଷେତ୍ରରେ ୧୮,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ ।
ପ୍ରଧାନମନ୍ତ୍ରୀ ଭଦୋଦରା-ମୁମ୍ବାଇ ଏକ୍ସପ୍ରେସ ୱେର ଷଷ୍ଠ ଏବଂ ସପ୍ତମ ପ୍ୟାକେଜକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ, ଯାହା ଗୁଜରାଟ ଏବଂ ମହାରାଷ୍ଟ୍ର ମଧ୍ୟରେ ଦ୍ରୁତ ଗତି ପରିବହନ, ଲଜିଷ୍ଟିକ୍ସ ଦକ୍ଷତା ଏବଂ ଅର୍ଥନୈତିକ ସଂଯୋଗକୁ ବୃଦ୍ଧି କରିବ । ପ୍ରଧାନମନ୍ତ୍ରୀ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କରିବେ, ଯେଉଁଥିରେ ଆଦିବାସୀ ଅଞ୍ଚଳରେ ସଂଯୋଗ ବୃଦ୍ଧି କରିବା ଏବଂ ଷ୍ଟାଚ୍ୟୁ ଅଫ ୟୁନିଟିର ପ୍ରବେଶକୁ ବୃଦ୍ଧି କରିବା ପାଇଁ ଏନଏଚ-୫୬ରେ ଗୁରୁତ୍ୱପୂର୍ଣ୍ଣ ଅଂଶ ଗୁଡ଼ିକର ଚାରି ଲେନ୍ କରିବା ଅନ୍ତର୍ଭୁକ୍ତ ।
ପ୍ରଧାନମନ୍ତ୍ରୀ ସୁରଟଠାରେ ଏକ ୨୨୦ ଶଯ୍ୟା ବିଶିଷ୍ଟ ଇଏସଆଇସି ହସ୍ପିଟାଲର ଉଦଘାଟନ କରିବେ, ଯାହା ଏକ କେନ୍ଦ୍ରୀୟ ଲାବୋରେଟୋରୀ ଏବଂ ଆନୁଷଙ୍ଗିକ ସେବା ସହିତ ପ୍ରମୁଖ ବିଭାଗଗୁଡ଼ିକରେ ଆଧୁନିକ ମାଧ୍ୟମିକ ସ୍ୱାସ୍ଥ୍ୟସେବା ଯୋଗାଇଦେବ। କର୍ମକ୍ଷେତ୍ରରେ ହେଉଥିବା ଆହତ ଏବଂ ଜରୁରୀକାଳୀନ ଚିକିତ୍ସାର ସଠିକ୍ ପରିଚାଳନା ପାଇଁ ଏଠାରେ ୨୪/୭ ଜରୁରୀକାଳୀନ ଓ ଟ୍ରମା କେୟାର ସୁବିଧା ମଧ୍ୟ ରହିଛି। ଏହା ସହିତ ପ୍ରଧାନମନ୍ତ୍ରୀ ଗୁଜରାଟରେ ଆନ୍ତଃ-ରାଜ୍ୟ ବିଦ୍ୟୁତ ପରିବହନ ବ୍ୟବସ୍ଥା ଅଧୀନରେ ବିଦ୍ୟୁତ ସଞ୍ଚାଳନ କ୍ଷମତା ବୃଦ୍ଧି କରିବା ପାଇଁ ପରିବହନ ନେଟୱର୍କ ସମ୍ପ୍ରସାରଣ ଭଳି ଗୁରୁତ୍ୱପୂର୍ଣ୍ଣ ସେବା ଏବଂ ଶିଳ୍ପ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଉଦଘାଟନ କରିବେ। ଏହାଛଡ଼ା, ସେ ଗୁଜରାଟ ସରକାରଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ କରିବେ, ଯେଉଁଥିରେ ବଲସାଡଠାରେ ସଂସ୍କାର-ଭିତ୍ତିକ ବିଦ୍ୟୁତ କ୍ଷେତ୍ର ଯୋଜନା ଅଧୀନରେ ଆଧୁନିକ ବିଦ୍ୟୁତ ବିତରଣର ନବୀକରଣ, ଦହେଜ ପିସିପିଆଇଆର୍ ଓ ସାରିଗାମ ଜିଆଇଡିସି ଠାରେ ଉନ୍ନତ ବର୍ଜ୍ୟଜଳ ନିଷ୍କାସନ ଓ ଚିକିତ୍ସା ଭିତ୍ତିଭୂମି, ଏବଂ ଜମ୍ବୁସର ବଲ୍କ ଡ୍ରଗ୍ ପାର୍କଠାରେ ଅତ୍ୟାବଶ୍ୟକ ଲେଆଉଟ୍ ଉପଯୋଗୀ ସେବା ଅନ୍ତର୍ଭୁକ୍ତ।
ଦାମନରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଦାମନରେ ପ୍ରାୟ ୨,୯୭୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ସ୍ୱାସ୍ଥ୍ୟସେବା, ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ, ଭିତ୍ତିଭୂମି, ସଂଯୋଗୀକରଣ ଏବଂ ଜନକଲ୍ୟାଣ ସମେତ ବିଭିନ୍ନ କ୍ଷେତ୍ରକୁ ବ୍ୟାପିଛି ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାବେଳୀ ଏବଂ ଦାମନ ଓ ଡିଉର ସାମଗ୍ରିକ ବିକାଶକୁ ଏକ ପ୍ରମୁଖ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।
ପ୍ରଧାନମନ୍ତ୍ରୀ ଦାମନରେ ଅନ୍ୟାନ୍ୟ ପ୍ରକଳ୍ପ ସମେତ ନମୋ ବିମାନବନ୍ଦରର ନୂତନ ଟର୍ମିନାଲ କୋଠା ଏବଂ ନମୋ ହସପିଟାଲ ସମେତ ପ୍ରାୟ ୧,୩୪୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ ଏବଂ ଲୋକାର୍ପଣ କରିବେ । ନୂତନ ବିମାନବନ୍ଦର ଟର୍ମିନାଲ ଆଞ୍ଚଳିକ ବିମାନ ସଂଯୋଗକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧିକୁ ସହଜ କରିବ । ଦାମନ ଜିଲ୍ଲାର ଜିଲ୍ଲା ହସପିଟାଲ, ନମୋ ହସପିଟାଲକୁ ପ୍ରତିଦିନ ପ୍ରାୟ ୧,୫୦୦ ଓପିଡି ରୋଗୀଙ୍କୁ ସେବା ଯୋଗାଇବା ପାଇଁ ବିକଶିତ କରାଯାଇଛି ଏବଂ ଲୋକଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସେବାର ଉପଲବ୍ଧତାକୁ ଦୃଢ଼ୀଭୂତ କରିବ ।
ପ୍ରଧାନମନ୍ତ୍ରୀ ପ୍ରାୟ ୧,୬୩୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ । ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଆଇକନିକ ସେତୁ, ଦାମନ କନଭେନସନ ସେଣ୍ଟର ଏବଂ ଦାମନରେ ଏନଆଇଏଫଟି କ୍ୟାମ୍ପସ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ଗୁଡ଼ିକ ଆଧୁନିକ ଭିତ୍ତିଭୂମିକୁ ସୁଦୃଢ଼ କରିବା, ପର୍ଯ୍ୟଟନକୁ ବୃଦ୍ଧି କରିବା, ନିବେଶକୁ ପ୍ରୋତ୍ସାହିତ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଲୋକଙ୍କ ଜୀବନଧାରଣର ଗୁଣବତ୍ତା ଉନ୍ନତ କରିବା ଆଶା କରାଯାଉଛି ।
ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ୱୀପ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରାୟ ୮୮୫ କୋଟି ଟଙ୍କା ମୂଲ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗୁଡ଼ିକର ମଧ୍ୟ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ କଳ୍ପେନି ଦ୍ୱୀପ ଏବଂ କଦମତ ଦ୍ୱୀପର ପୂର୍ବ ଏବଂ ପଶ୍ଚିମ ପାଶ୍ୱର୍ରେ ବନ୍ଦର ସୁବିଧା ବିକାଶ ଅନ୍ତର୍ଭୁକ୍ତ । ଏହି ବହୁମୁଖୀ ଜେଟି ଗୁଡ଼ିକର ବିକାଶ ଦ୍ୱାରା ୩୦୦ ମିଟର ଲମ୍ବ ପର୍ଯ୍ୟନ୍ତ କ୍ରୁଜ ଜାହାଜ ସମେତ ବଡ଼ ଯାତ୍ରୀବାହୀ ଜାହାଜର ବର୍ଷସାରା ବର୍ଥିଙ୍ଗ ସୁବିଧା ମିଳିବ । ଏହି ପ୍ରକଳ୍ପ ଗୁ୍ଡ଼ିକ ସୁରକ୍ଷିତ ଏବଂ ଦକ୍ଷ ଯାତ୍ରୀ ଏବଂ ମାଲ ପରିବହନକୁ ସକ୍ଷମ କରିବ ଏବଂ ମାଛ ପରିଚାଳନା, ଇନ୍ଧନ ବଣ୍ଟନ, ବରଫ ଯୋଗାଣ ଏବଂ ଡଙ୍ଗା ମରାମତି ପାଇଁ ସମନ୍ୱିତ ସୁବିଧା ପ୍ରଦାନ କରିବ । ଏହି ପଦକ୍ଷେପ ଗୁଡ଼ିକ ସାମୁଦ୍ରିକ ସଂଯୋଗୀକରଣକୁ ସୁଦୃଢ଼ କରିବ, ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଜୀବିକାକୁ ସମର୍ଥନ କରିବ, ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ଦ୍ୱୀପପୁଞ୍ଜର ସାମାଜିକ ଆର୍ଥିକ ବିକାଶରେ ଯୋଗଦାନ ଦେବ ।









