ରାଜଧାନୀ ରାଜରାସ୍ତାରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ
ରାଜ୍ୟରେ ଦିନକୁ ୪ ହତ୍ୟା ଓ ୮ ଦୁଷ୍କର୍ମ
ବଙ୍ଗୀୟ ମହିଳା ଓଡିଶାରେ ଅସୁରକ୍ଷିତ, ଓଡିଶା ବିଜେପି ନେତା ପଶ୍ଚିମବଙ୍ଗରେ ମହିଳା ସୁରକ୍ଷା ଉପରେ ପ୍ରଚାର କରିବା ଦୁର୍ଭାଗ୍ୟଜନକ
ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନରେ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ
ଭୁବନେଶ୍ୱର: ମାର୍ଚ୍ଚ ୨୭ ତାରିଖରେ ରାଜଧାନୀ ଭୁବନେଶ୍ୱରର ତମଣ୍ଡୋ ଥାନା ଅଞ୍ଚଳରେ ଘଟିଥିବା ଜଘନ୍ୟ ଗଣଦୁଷ୍କର୍ମ ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜୁ ଜନତା ଦଳ । ପଶ୍ଚିମବଙ୍ଗର ଜଣେ ୨୫ ବର୍ଷୀୟ ମହିଳା ପର୍ଯ୍ୟଟକ ଭୁବନେଶ୍ୱର ରେଳଷ୍ଟେସନକୁ ଯିବା ପାଇଁ ଅପେକ୍ଷା କରିଥିଲେ । ଆମ୍ୱୁଲାନ୍ସରେ ଲିଫ୍ଟ ଦେବା ବାହାନାରେ ଷ୍ଟେସନକୁ ନେବା ପରିବର୍ତ୍ତେ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିଲେ ୨ ଜଣ ଦୁର୍ବୁତ୍ତ । ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରଠାରୁ ମହିଳା ସୁରକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି କହିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଶ୍ରୀମତୀ ସୁମିତ୍ରା ଜେନା କହିଥିଲେ, ବିଜେପି କ୍ଷମତାକୁ ଆସିବା ପରେ ଓଡିଶାରେ ମହିଳା ମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତର ଅନୁଯାୟୀ, ଜୁଲାଇ ୧, ୨୦୨୪ରୁ ୩୧ ଡିସେମ୍ୱର ୨୦୨୫ ପର୍ଯ୍ୟନ୍ତ ମାତ୍ର ୧୮ ମାସରେ ଓଡ଼ିଶାରେ ୪୮,୭୯୮ଟି ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି । ଏଥିରେ ୪୨୯୨ଟି ଦୁଷ୍କର୍ମ ମାମଲା ସାମିଲ୍ ରହିଛି, ଯାହା ଓଡ଼ିଶା ଇତିହାସରେ କେବେ ଘଟି ନଥିଲା । ବର୍ତ୍ତମାନ ମହିଳା ଅସଦାଚରଣ ମାମଲାରେ ବିଜେପି ଶାସିତ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ର ଦ୍ୱିତୀୟ ସ୍ଥାନରେ ରହିଛି ।
ରାଜ୍ୟରେ ୨୦୨୫ ବର୍ଷରେ ୨,୨୯,୮୮୧ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି, ଯାହା ୨୦୨୪ ତୁଳନାରେ ୭.୩% ବୃଦ୍ଧି ପାଇଛି । ହତ୍ୟା ମାମଲା ୧,୩୦୪ଟି (ପ୍ରତିଦିନ ୪ଟି ହତ୍ୟା) ଏବଂ ଦୁଷ୍କର୍ମ ମାମଲା ୨୯୯୪ଟି (ପ୍ରତିଦିନ ୮ଟି ଦୁଷ୍କର୍ମ) । ରାଜ୍ୟରେ ଦିନକୁ ୪ ହତ୍ୟା ଓ ୮ ଦୁଷ୍କର୍ମ ଘଟଣା ହେଉଛି ବିଜେପି ସରକାରର ସଫଳତା । ଗୋପାଳପୁର, ଧଉଳି, ବାଲିହାରଚଣ୍ଡୀ, ଚନ୍ଦ୍ରଗିରି ସହିତ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀରେ ଗଣଦୁଷ୍କର୍ମ ଘଟଣା ବୃଦ୍ଧି ପାଉଛି । ବିଜେଡି ସରକାର ସମୟରେ କରାଯାଇଥିବା ୬୦୦ ମହିଳା ଓ ଶିଶୁ ଡେସ୍କ ଏବେ ସମ୍ପୂର୍ଣ୍ଣ ଅଚଳ । ମାତ୍ର ୫ ମାସରେ ୫୦ରୁ ଅଧିକ ନାବାଳିକା ଗର୍ଭବତୀ ହୋଇଛନ୍ତି । ଏହା ଓଡ଼ିଶାର ମହିଳା ଓ ଶିଶୁ ସୁରକ୍ଷାର ଦୁର୍ବଳ ଚିତ୍ର ଉପସ୍ଥାପନ କରୁଛି ।
ଶ୍ରୀମତୀ ଜେନା ଆହୁରି କହିଥିଲେ, ଓଡିଶାରେ ମହିଳା ମାନେ ଅସୁରକ୍ଷିତ ଥିଲାବେଳେ ପଶ୍ଚିମବଙ୍ଗରେ ମହିଳା ମାନଙ୍କ ସୁରକ୍ଷାକୁ ନେଇ ଓଡ଼ିଶା ବିଜେପିର ମାଳ ମାଳ ନେତା, ମନ୍ତ୍ରୀ ଓ ବିଧାୟକ ନିର୍ବାଚନ ପ୍ରଚାର କରିବା ହାସ୍ୟାସ୍ପଦ ଏବଂ ଦୁର୍ଭାଗ୍ୟଜନକ । ରାଜଧାନୀର ରାଜରାସ୍ତାରେ ପଶ୍ଚିମବଙ୍ଗର ଜଣେ ମହିଳା ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ ଘଟଣା ପ୍ରମାଣ କରୁଛି ଯେ, ମହିଳାମାନଙ୍କୁ ସୁରକ୍ଷା ପ୍ରଦାନରେ ରାଜ୍ୟ ପୋଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ । ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ନାରୀ ସୁରକ୍ଷା ଦିଗରେ ସରକାର ଯତ୍ନବାନ ହୁଅନ୍ତୁ । ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ପାଇଁ ବିଜୁ ଜନତା ଦଳ ସର୍ବଦା ଲଢ଼େଇ କରିଆସିଛି, ଆଗାମୀ ଦିନରେ ମଧ୍ୟ ଏହି ଲଢ଼େଇ ଜାରି ରଖିବ ବୋଲି ଶ୍ରୀମତୀ ଜେନା କହିଥିଲେ ।










