28.1 C
Bhubaneswar
Monday, March 30, 2026
Homeଓଡିଶାନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ଉପରେ ଦିଲୀପ ରାୟଙ୍କ ପୋଷ୍ଟ କେବଳ ଲୋକ ଦେଖାଣିଆ: ବିଜେଡି

ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ଉପରେ ଦିଲୀପ ରାୟଙ୍କ ପୋଷ୍ଟ କେବଳ ଲୋକ ଦେଖାଣିଆ: ବିଜେଡି

ବିଜେପି ସାଂସଦଙ୍କ ମନ୍ତବ୍ୟକୁ ଖଣ୍ଡନ କରିବା ପାଇଁ ଦିଲୀପଙ୍କ ସତ୍ସାହସ ନାହିଁ
ଦିଲୀପଙ୍କ ବିଜୁ ଲିଗାସୀ ଦାବି କେବଳ ଉପରଠାଉରିଆ
ସତ୍ସାହସ ଥିଲେ ଦୁବେଙ୍କ ମନ୍ତବ୍ୟ ଖଣ୍ଡନ କରିବା ସହିତ ତାଙ୍କ ଠାରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରନ୍ତୁ ଦିଲୀପ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅରୁଚିକର ମନ୍ତବ୍ୟ ଲୋକଲୋଚନକୁ ଆସିବା ପରେ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ନିକଟରେ ବିଜେପି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ଯାଇଥିବା ଦିଲୀପ ରାୟ ବିଜୁ ବାବୁଙ୍କ ସମର୍ଥନରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଦେଇଛନ୍ତି । ନିଜକୁ ବିଜୁ ଲିଗାସୀର କର୍ଣ୍ଣଧାର ବୋଲାଉଥିବା ଦିଲୀପ ରାୟଙ୍କ ଏହି ପୋଷ୍ଟ ଉପରେ କଡା ପ୍ରତିକ୍ରିୟା ରଖିଛି ବିଜୁ ଜନତା ଦଳ । ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ବିଜୁ ବାବୁଙ୍କ ସମ୍ମାନ ଓ ପ୍ରତିଷ୍ଠା କ୍ଷୁଣ୍ଣ କରୁଥିବା ବେଳେ ଦେଶବ୍ୟାପୀ ଏହାର ବିରୋଧରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ବିଜୁ ଲିଗାସୀ ଦ୍ୱାହି ଦେଇ ରାଜନୀତି କରୁଥିବା ଦିଲୀପ ରାୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ବିଜୁ ବାବୁଙ୍କ ବ୍ୟକ୍ତିତ୍ୱ, ସାହାସିକତା, ଦେଶପ୍ରେମ ଓ ରାଜ୍ୟ ତଥା ଦେଶ ପ୍ରତି ତାଙ୍କ ଅବଦାନ ଉପରେ ଶ୍ରୀ ରାୟ ବର୍ଣ୍ଣନା କରିଛନ୍ତି । ତାଙ୍କର ଏହି ପୋଷ୍ଟକୁ ତାଙ୍କର କିଛି ସମର୍ଥକ ରି ପୋଷ୍ଟ କରି ଦିଲୀପ ନିଜର ସାହାସିକତା ପ୍ରଦର୍ଶନ କରିଛନ୍ତି ବୋଲି ଟିପ୍ପଣୀ ଦେଇଛନ୍ତି । କିନ୍ତୁ ଦିଲୀପ ରାୟଙ୍କ ପୋଷ୍ଟ ପଢିଲେ, ଯେ କେହି ବି ଜାଣିପାରିବ ଯେ ଦିଲୀପ ନିଜର ସାହାସିକତା ନୁହେଁ ବରଂ ନିଜର ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଦିଲୀପ ନିଜ ପୋଷ୍ଟରେ ବିଜୁ ବାବୁଙ୍କ ବିରୋଧରେ ଏଭଳି ଅବାଂଛନୀୟ ମନ୍ତବ୍ୟ ରଖିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିରୋଧରେ ପଦଟିଏ ମଧ୍ୟ ଲେଖି ନାହାନ୍ତି । ବିଜୁ ବାବୁଙ୍କ ବ୍ୟକ୍ତିତ୍ୱ ବିଷୟରେ ସେ ଯାହା ଲେଖିଛନ୍ତି, ତାହା ଇତିହାସର ଅଂଶବିଶେଷ । ବିଜୁ ବାବୁଙ୍କ ଉପରେ ଅନେକ ପ୍ରତିଷ୍ଠିତ ଲେଖକ ଅନେକ ବହି ଲେଖିଛନ୍ତି । ସେଇ ଗୁଡିକ ବିଭିନ୍ନ ପାଠାଗାରରେ ଉପଲବ୍ଧ ରହିଛି । ଆଜିର ପ୍ରସଙ୍ଗ ହେଉଛି ପ୍ରବାଦ ପୁରୁଷ ଓ ଅପ୍ରତିଦ୍ୱନ୍ଦ୍ୱୀ ନେତା ବିଜୁ ବାବୁଙ୍କ ଉପରେ ଜଣେ ବିଜେପି ସାଂସଦଙ୍କ ଅରୁଚିକର ମନ୍ତବ୍ୟ । ତେଣୁ ରାଜ୍ୟର ଜଣେ ନେତା ଭାବେ ପ୍ରଥମ ଆବଶ୍ୟକତା ହେଉଛି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଖଣ୍ଡନ ଓ ତାଙ୍କ ଠାରୁ ନିସର୍ତ୍ତ କ୍ଷମା ପ୍ରାର୍ଥନାର ଦାବି, ଯାହା ଶ୍ରୀ ରାୟ ତାଙ୍କ ପୋଷ୍ଟରେ କରିନାହାନ୍ତି । କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ବିଜୁ ବାବୁଙ୍କ ଶ୍ରୁତିଗାନରେ ନିଜର ପୋଷ୍ଟକୁ ସୀମିତ ରଖିଛନ୍ତି ।

ଡ଼ ମହାନ୍ତି କହିଛନ୍ତି, ବୁଝିବାକୁ ବାକିନାହିଁ ଯେ, ଶ୍ରୀ ରାୟ ବିଜେପିର ସଦସ୍ୟ ଥାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜେପି ସମର୍ଥନରେ ନିର୍ବାଚନ ଜିତି ଥିବାରୁ, ବିଜେପି ସାଂସଦଙ୍କ ମନ୍ତବ୍ୟକୁ ଖଣ୍ଡନ କରିବାକୁ ସତ୍ସାହସ ଦେଖାଇ ପାରିନାହାନ୍ତି । କେବଳ ଉପରଠାଉରିଆ ଭାବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ପୋଷ୍ଟ ଦେଇ ବିଜୁ ଲିଗାସୀ ଦାୟିତ୍ୱଟି ତୁଲାଇଛନ୍ତି ବୋଲି ଗୋଟିଏ ବାର୍ତ୍ତା ଦେଇଛନ୍ତି । ପୁଣି ସମର୍ଥକଙ୍କ ଦ୍ୱାରା ଏହି ପୋଷ୍ଟର ପ୍ରଶଂସା କରାଉଛନ୍ତି । ଶ୍ରୀ ରାୟଙ୍କ ଏହି ପୋଷ୍ଟ କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଉଦ୍ଦିଷ୍ଟ । ଯଦି ସେ ବାସ୍ତବରେ ବିଜୁ ଲିଗାସୀରେ ବିଶ୍ୱାସ ରଖନ୍ତି ଓ ବିଜୁ ବାବୁଙ୍କ ସାହାସିକତାରୁ କାଣିଚାଏ ତାଙ୍କ ନିକଟରେ ରହିଛି, ତାହେଲେ ସିଧାସଳଖ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଖଣ୍ଡନ କରନ୍ତୁ ଓ ତାଙ୍କଠାରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking