35.1 C
Bhubaneswar
Thursday, March 26, 2026
Homeଓଡିଶାଆଉ ଖୋଲିବନି ନୂଆ ମଦ ଦୋକାନ

ଆଉ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ଵର : ଆସିଲା ନୂଆ ଅବକାରୀ ନୀତି ୨୦୨୬-୨୯। ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କଲେ ରାଜ୍ୟ ସରକାର। ରାଜ୍ୟରେ ନୂତନ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି। ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ବି ମିଳିବନି ଅନୁମତି। ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ପାଖରେ ଖୋଲିବନି ମଦ ଦୋକାନ। CCTV ନିରୀକ୍ଷଣରେ ରହିବ ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ। ନୂଆ ଅବକାରୀ ଲାଇସେନ୍ସ ପାଇଁ ୧୦ ପ୍ରତିଶତ ବଢିଲା ଆବେଦନ ଶୁଳ୍କ। ଏଣିକି ହୋମ୍ ଡେଲିଭରିରେ ମିଳିବନି ମଦ। ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଲାଇସେନ୍ସ ଶୁଳ୍କ ବାର୍ଷିକ ୧୦ ରୁ ୨୦ ପ୍ରତିଶତ ବୃଦ୍ଧି ପାଇବ। IMFL ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ବୃଦ୍ଧି ହୋଇଛି। ନୂଆ ଅବକାରୀ ନୀତିରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ ସ୍ୱୀକାର କରାଯାଇଛି।

ରାଜ୍ୟ ସରକାର ୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରିଛନ୍ତି। ନୂତନ ନୀତି ଆସିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ। ପୂର୍ବ ପ୍ରଚଳିତ ବାର୍ଷିକ ନୀତି ପରିବର୍ତ୍ତେ ତ୍ରୈବାର୍ଷିକ ଅବକାରୀ ନୀତି ରୂପରେଖ ପ୍ରବର୍ତ୍ତନ ମାଧ୍ୟମରେ ସରକାର ଏହି କ୍ଷେତ୍ରରେ ନୀତିରେ ସ୍ଥିରତା ଓ ସ୍ୱଚ୍ଛତା ଆଣିବାକୁ ଉଦ୍ୟମ କରୁଛନ୍ତି। ଏହାସହିତ ଆବଶ୍ୟକ ହେଲେ ଏହାକୁ ପରିବର୍ତ୍ତନ କରିବାର ପ୍ରକ୍ରିୟା ମଧ୍ୟ ରଖୁଛନ୍ତି। ଏହି ନୀତି ଅଧୀନରେ ଏକ ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତ ହେଉଛି ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ ପ୍ରବର୍ତ୍ତନ । ଏହା ମାଧ୍ୟମରେ ମଦକୁ ଏକ କ୍ଷତିକାରକ ପଦାର୍ଥ ଭାବେ ସ୍ଵୀକାର କରାଯାଇଛି । ଏହି ସେସ୍‌ରୁ ଆସୁଥିବା ଆୟ ମଡେଲ ଡି-ଆଡିକ୍ସନ କେନ୍ଦ୍ର ସ୍ଥାପନ ଓ ସୁଦୃଢ଼ କରିବାରେ ବ୍ୟୟ କରାଯିବ।

ଏକ ମୁଖ୍ୟ ସଂରଚନାତ୍ମକ ସଂଶୋଧନ ଭାବେ Minimum Guaranteed Quantity (MGQ) ପ୍ରଣାଳୀରୁ Minimum Guaranteed Excise Revenue (MGER) ପ୍ରଣାଳୀକୁ ଆଣାଯାଇଛି। ଏହା ଦ୍ବାରା ସରକାରୀ ରାଜସ୍ୱ ସୁରକ୍ଷିତ ହେବା ସହିତ ବ୍ୟବସାୟୀମାନଙ୍କୁ କେବଳ ପରିମାଣ ଲକ୍ଷ୍ୟ ପୂରଣ ପାଇଁ ବିକ୍ରି ବଢ଼ାଇବାର ଚାପ ହ୍ରାସ ପାଇବ । ଏହା “କୁଚିଆ” ବିକ୍ରୟ ପ୍ରଥାକୁ ରୋକିବାରେ ସହାୟକ ହେବ। ଏହି ନୀତି ଅନୁଯାୟୀ ରାଜ୍ୟରେ ନୂତନ OFF, CL କିମ୍ବା OS ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହଁ । ଗ୍ରାମୀଣ ଅଞ୍ଚଳରେ ମଧ୍ୟ ନୂତନ ON ଦୋକାନ ଖୋଲିବା ନିମନ୍ତେ ଅନୁମତି ଦିଆଯିବ ନାହିଁ। କେବଳ ଶିଳ୍ପାଞ୍ଚଳର ୩-ତାରକା ଓ ତାହା ଠାରୁ ଉପର ହୋଟେଲ୍‌ ଓ କ୍ଲବ୍‌ରେ ଛାଡ଼ ରହିବ। ଧାର୍ମିକ ଓ ସାଂସ୍କୃତିକ ଭାବନାକୁ ସମ୍ମାନ ଦେଇ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଚାଲୁ ହେବ ନାହିଁ । ଏହା ସହିତ ଘରକୁ ମଦ ପହ‌ଞ୍ଚାଇବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ।

Out-Still (OS) ଉତ୍ପାଦନ ୟୁନିଟ୍ ଗୁଡ଼ିକୁ ଆଧୁନିକୀକରଣ, ଉନ୍ନ‌ତ ପ୍ୟାକେଜିଂ ଏବଂ ଗୁଣବତ୍ତା ନିୟନ୍ତ୍ରଣ ଯନ୍ତ୍ରପାତି ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । FSSAI ସାର୍ଟିଫିକେସନ୍ ଓ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପାଳନ ଅନିବାର୍ଯ୍ୟ କରାଯିବ। ନିର୍ଦ୍ଧାରିତ ସମୟ ସୀମାରେ ଆଧୁନିକୀକରଣ ସମ୍ପୂର୍ଣ୍ଣ କରୁଥିବା ୟୁନିଟ୍ ମାନଙ୍କୁ ପ୍ରୋତ୍ସାହନ ମଧ୍ୟ ଦିଆଯିବ। ସରକାର ENA ଗତିବିଧି ନିରୀକ୍ଷଣ ଓ ଉତ୍ପାଦନରୁ ବିକ୍ରୟ ପର୍ଯ୍ୟନ୍ତ ପ୍ରତ୍ୟେକ ବୋତଲକୁ ଟ୍ରାକ୍ କରିବା ପାଇଁ Track & Trace ପ୍ରଣାଳୀ ପ୍ରବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି । ସମସ୍ତ ଉତ୍ପାଦନ ୟୁନିଟ୍ ଓ ଖୁଚୁରା ଦୋକାନ ଗୁଡ଼ିକୁ CCTV ନିରୀକ୍ଷଣ ଅଧୀନରେ ଆଣାଯିବ ଏବଂ ଏହାକୁ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଓ ସମ୍ପର୍କିତ ଜିଲ୍ଲା କାର୍ଯ୍ୟାଳୟ ସହ ସଂଯୋଜିତ କରାଯିବ। ଏହା ସହିତ ରାଜ୍ୟର ଅବକାରୀ ରାସାୟନିକ ପରୀକ୍ଷାଗାର ଗୁଡ଼ିକୁ ଆଧୁନିକ ପ୍ରଯୁକ୍ତି ଓ ପ୍ରଶିକ୍ଷିତ ମାନବ ସମ୍ବଳ ମାଧ୍ୟମରେ ସୁଦୃଢ଼ ଓ ଉନ୍ନ‌ତ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking