26.1 C
Bhubaneswar
Friday, March 20, 2026
Homeଓଡିଶାରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ: ୬ଟି ପ୍ରକଳ୍ପକୁ ମିଳିଲା ସୁପାରିଶ

ରାଜ୍ୟ ବନ୍ୟପ୍ରାଣୀ ପରିଷଦର ସ୍ଥାୟୀ କମିଟି ବୈଠକ: ୬ଟି ପ୍ରକଳ୍ପକୁ ମିଳିଲା ସୁପାରିଶ

ଭୁବନେଶ୍ୱର: ରାଜ୍ୟରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଏବଂ ଏହି କ୍ଷେତ୍ରରେ ଉପୁଜିଥିବା ବିଭିନ୍ନ ସମସ୍ୟାର ସମୟୋପଯୋଗୀ ସମାଧାନ ପାଇଁ ଆଜି ରାଜ୍ୟ ବନ୍ୟପ୍ରାଣୀ ପରିଷଦର  ସ୍ଥାୟୀ କମିଟିର ୧୨ତମ ବୈଠକ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କନଫରେନ୍ସ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ସମ୍ପନ୍ନ ହୋଇଛି। ବନ୍ୟଜନ୍ତୁ ସଂଶୋଧନ ଅଧିନିୟମ (ସୁରକ୍ଷା) ୨୦୨୨ର ଧାରା-୬ (A) ଅନୁଯାୟୀ ଗଠିତ ଏହି କମିଟି ବନ୍ୟପ୍ରାଣୀଙ୍କ ସମୃଦ୍ଧି ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ କାର୍ଯ୍ୟ କରୁଛି।

ଏହି ବୈଠକରେ ସମୁଦାୟ ଛଅଟି ବିକାଶମୂଳକ ପ୍ରସ୍ତାବ କମିଟି ସମ୍ମୁଖରେ ଉପସ୍ଥାପିତ ହୋଇଥିଲା। ସେଥିମଧ୍ୟରୁ ତିନିଟି ପ୍ରସ୍ତାବ ଅନୁଗୁଳ ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତାବିତ ମୁଖ୍ୟ ଜଳସେଚନ ପ୍ରକଳ୍ପ ସହିତ ଜଡ଼ିତ ଥିଲା। ଏହି ଜଳସେଚନ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଚାଷୀମାନେ ନିଶ୍ଚିତ ଜଳସେଚନ ସୁବିଧା ପାଇବା ସହ ଏହା ଗ୍ରାମୀଣ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାସହ ସାତକୋଶିଆ, ଶିମିଳିପାଳ ଏବଂ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରହୁଥିବା ଗ୍ରାମବାସୀଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ପାଇଁ ଅନ୍ୟ ତିନିଟି ପାନୀୟ ଜଳ ପ୍ରକଳ୍ପ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ବୈଠକ ଶେଷରେ, ବିସ୍ତୃତ ପର୍ଯ୍ୟାଲୋଚନା ପରେ କମିଟି ସମସ୍ତ ୬ଟି ଉନ୍ନୟନମୂଳକ ପ୍ରକଳ୍ପକୁ ସୁପାରିଶ କରିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବନ୍ୟପ୍ରାଣୀ ପରିଷଦର ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ଏହି ପ୍ରସ୍ତାବଗୁଡ଼ିକୁ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ବନ୍ୟପ୍ରାଣୀ ପରିଷଦ ନିକଟକୁ ଚୂଡ଼ାନ୍ତ ମଞ୍ଜୁରୀ ପାଇଁ ପ୍ରେରଣ କରାଯିବ। ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ସହିତ ସ୍ଥାନୀୟ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପୂରଣ ହୋଇପାରିବ। ଏହି ବୈଠକରେ ବିଧାୟକ (ଭଟଲି) ଶ୍ରୀ ଇରାଶିଷ ଆଚାର୍ଯ୍ୟ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଡକ୍ଟର କେ. ମୁରୁଗେସନ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ପ୍ରେମ କୁମାର ଝାଙ୍କ ସମେତ ପରିଷଦର ଅନ୍ୟାନ୍ୟ କମିଟି ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking