ଭୁବନେଶ୍ୱର: ଓଡ଼ିଶାର ଗ୍ରାମାଞ୍ଚଳ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ସଶକ୍ତିକରଣ ପାଇଁ ଚଳିତ ବଜେଟ୍ରେ ରାଜ୍ୟ ସରକାର ଅଭୂତପୂର୍ବ ଗୁରୁତ୍ୱ ପ୍ରଦାନ କରିଛନ୍ତି I ବୁଧବାର ସନ୍ଧ୍ୟାରେ ଓଡ଼ିଶା ବିଧାନସଭାର ସମ୍ମିଳନୀ କକ୍ଷରେ ମାନନୀୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ବିଭାଗୀୟ ବଜେଟ୍ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି I ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ମୋଟ ୩୪,୧୦୪.୦୬ କୋଟି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ମୋଟ ୧୦,୨୦୪.୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ଏହି ପ୍ରସ୍ତାବ ଗୃହରେ ପାରିତ ହୋଇଛି I ଏହି ବୃହତ ପାଣ୍ଠି ମାଧ୍ୟମରେ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ, ସଡ଼କ ସଂଯୋଗୀକରଣ ଏବଂ ଜୀବିକା ନିର୍ବାହର ନୂତନ ସୁଯୋଗ ସୃଷ୍ଟି କରାଯିବ ବୋଲି ଆଶା ରଖାଯାଇଛି I
ଗ୍ରାମାଞ୍ଚଳର ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇଦେବା ପାଇଁ ଆବାସ ଯୋଜନାକୁ ବଜେଟ୍ରେ ପ୍ରାଧାନ୍ୟ ଦିଆଯାଇଛି I ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ପାଇଁ ୨,୪୪୫ କୋଟି ଟଙ୍କା, ଅନ୍ତ୍ୟୋଦୟ ଯୋଜନା ପାଇଁ ୨,୦୦୦ କୋଟି ଟଙ୍କା ଏବଂ ପିଏମ୍-ଜନମନ ଯୋଜନା ପାଇଁ ୩୦ କୋଟି ଟଙ୍କା ନିର୍ଦ୍ଧାରିତ କରାଯାଇଛି I ରାଜ୍ୟରେ ଗ୍ରାମୀଣ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବା ପାଇଁ ‘ଭିବି-ଜି ରାମ ଜି’ ଯୋଜନା ପାଇଁ ୫,୫୭୫ କୋଟି ଟଙ୍କା ରଖାଯାଇଛି I ଏହି ଯୋଜନାରେ ବାର୍ଷିକ ୧୨୫ ଦିନର ନିଶ୍ଚିତ କର୍ମନିଯୁକ୍ତି ସହ ଚାଷ ସମୟରେ ୬୦ ଦିନର ବିରତି ସୁବିଧା ରହିଛି I କାର୍ଯ୍ୟ ଶେଷ ହେବାର ସର୍ବାଧିକ ୧୫ ଦିନ ମଧ୍ୟରେ ମଜୁରୀ ପ୍ରଦାନ କରାଯିବ ଏବଂ କାମ ନମିଳିଲେ ଦୈନିକ ବେକାରୀ ଭତ୍ତାର ବ୍ୟବସ୍ଥା ମଧ୍ୟ କରାଯାଇଛି I ଏହା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ମନରେଗା ପାଇଁ ୧,୬୨୬ କୋଟି ଟଙ୍କା ରଖାଯାଇଛି I ଏଥିସହିତ ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ପରି ୯ଟି ଜିଲ୍ଲାର ୩୦ଟି ବ୍ଲକ୍ରେ ଦାଦନ ସମସ୍ୟା ରୋକିବା ପାଇଁ ସ୍ୱତନ୍ତ୍ର ଯୋଜନା- ‘କର୍ମବର୍ଦ୍ଧିଷ୍ଣୁ ପଦ୍ଧତି ମାଧ୍ୟମରେ ଜୀବିକା ଅଭିବୃଦ୍ଧି’ କାର୍ଯ୍ୟକାରୀ କରାଯିବ I ୩୬ ମାସର ଏହି ମିଶନ ପାଇଁ ୨୦୨୬-୨୭ ବର୍ଷରେ ୨୨୦ କୋଟି ଟଙ୍କା ଅନୁମୋଦିତ ହୋଇଛି I
୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ପ୍ରତି ଗ୍ରାମୀଣ ପରିବାରକୁ ଶତପ୍ରତିଶତ ପାଇପ୍ ଜଳ ଯୋଗାଇ ଦେବାର ଲକ୍ଷ୍ୟ ମାନନୀୟ ମନ୍ତ୍ରୀ ଶ୍ରୀ ନାଏକ ଦୋହରାଇଥିଲେ I ୧ ମାର୍ଚ୍ଚ ୨୦୨୬ ସୁଦ୍ଧା ୭୭.୧୫ % ପରିବାର ଏହି ସୁବିଧା ପାଇଥିବା ବେଳେ ଚଳିତ ବର୍ଷ ପାଇଁ ‘ଜଳ ଜୀବନ ମିଶନ’ରେ ୭,୦୦୦ କୋଟି, ‘ବସୁଧା’ ଯୋଜନାରେ ୪୯୫ କୋଟି ଏବଂ ଆରପିଡବ୍ଲୁଏସ୍ (RPWS) ଯୋଜନା ପାଇଁ ୧,୦୦୦ କୋଟି ଟଙ୍କା ନିର୍ଦ୍ଧାରିତ ହୋଇଛି I ଏଥିସହିତ ନୂତନ ‘ମିଶନ ପାୱାର’ ଯୋଜନାରେ ୧,୦୦୦ କୋଟି ଟଙ୍କା ବିନିଯୋଗ କରାଯାଇ ୧,୦୪୩ଟି ଅଣ-ସଂଯୋଗୀକୃତ ବସତିକୁ ମୋଟ ୮୯୯୨.୯୭ କି.ମି ସଡ଼କ ଓ ଘାଟ ନିର୍ମାଣ ମାଧ୍ୟମରେ ସଂଯୋଗ କରାଯିବ I
ଚଳିତ ବର୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗ ୫,୨୦୦ କି.ମି ସଡ଼କ ଓ ୩୦୦ଟି ସେତୁ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୯,୭୦୦ କି.ମି ନୂତନ ରାସ୍ତା ଓ ୩୫୦ଟି ନୂତନ ସେତୁ ପ୍ରକଳ୍ପ ହାତକୁ ନେବ I ଏଥିସହିତ ୧୪୨ଟି ନିର୍ବାଚନ ମଣ୍ଡଳୀରେ ରାସ୍ତାର ଉନ୍ନତିକରଣ ପାଇଁ ୧୪୨ କୋଟି ଏବଂ ଦୈବୀଦୁର୍ବିପାକରୋଧି (Disaster Resilient) ରାସ୍ତା ପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି I ଆର୍ଥିକ ବର୍ଷ ୨୦୨୬-୨୭ରେ କୋଠାବାଡି ନିର୍ମାଣ ନିମନ୍ତେ ୧୦୨.୫୦ କୋଟି ଟଙ୍କା ନିର୍ଦ୍ଧାରିତ ହୋଇଛି I ରାଜ୍ୟର ଗ୍ରାମାଞ୍ଚଳକୁ ଆତ୍ମନିର୍ଭରଶୀଳ କରିବା ଏବଂ ବିକାଶର ସୁଫଳ ଶେଷ ଧାଡ଼ିର ମଣିଷ ପାଖରେ ପହଞ୍ଚାଇବା ପାଇଁ ସରକାର ଏହି ବଜେଟ୍ରେ ବ୍ୟାପକ ବ୍ୟବସ୍ଥା କରିଛନ୍ତି I ‘ସେବା, ସୁବିଧା ଓ ସଶକ୍ତିକରଣ’ ମନ୍ତ୍ରକୁ ପାଥେୟ କରି ଗ୍ରାମୀଣ ଓଡ଼ିଶାର ରୂପରେଖ ବଦଳାଇବା ପାଇଁ ବିଭାଗ ସଂକଳ୍ପବଦ୍ଧ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ପ୍ରକାଶ କରିଛନ୍ତି I










