ଭୁବନେଶ୍ୱର : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗତକାଲି(ସୋମାବର) ସନ୍ଧ୍ୟା ରେ କଟକ ଯାଇ ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ ଏସ୍ସିବି ମେଡିକାଲ କଲେଜ ର ଆଇସିୟୁ ବୁଲି ଦେଖିବା ସହ ସ୍ଥାନାନ୍ତର ହୋଇଥିବା ଆହତ ରୋଗୀଙ୍କୁ ଭେଟି ଥିଲେ ଓ ସେମାନଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ। କଟକ ବଡ଼ ଡାକ୍ତରଖାନା ପରିଦେଶର ଏକ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଅନୁଷ୍ଠାନର ଆଇସିୟୁରେ ଏଭଳି ଦୁର୍ଘଟଣାରେ ଶ୍ରୀ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଥିଲେ। ବିଜେଡି ସରକାର ସମୟରେ ଏସ୍ସିବିକୁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବେ ଗଢ଼ିବା ପାଇଁ କାମ ଆରମ୍ଭ କରିଥିଲେ। କିନ୍ତୁ ବିଜେପି ସରକାର ଏସ୍ସିବିର ବିକାଶ କାମରେ ଗୁରୁତର ଅବହେଳା କରିଛନ୍ତି। ଆଜିର ଦୁର୍ଘଟଣା ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ଯିବାର ଦୁଃଖଦ ଉଦାହରଣ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିରୋଧୀ ଦଳ ନେତାଙ୍କ ସହ କଟକ ମେୟର ସୁବାସ ସିଂ ଙ୍କ ସମେତ ବିଜେଡିର ନେତୃବର୍ଗ କଟକ ମେଡିକାଲ କଲେଜକୁ ଯାଇଥିଲେ।










