ରାୟଗଡ଼ା : ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ୫ ବର୍ଷର ପୁଅକୁ ଅପହରଣ ପରେ ହତ୍ୟା। ଗଳା କାଟି ବସ୍ତାରେ ପୁରାଇ ଫିଙ୍ଗିଦେଲେ ଦୁର୍ବୃତ୍ତ। ଚାଟିକଣା ଷ୍ଟେସନ ସାହିରେ ହତ୍ୟାକାଣ୍ଡ। ଜଣଙ୍କୁ ଅଟକ ରଖି ତନାଘନା କରୁଛି ବିଷମ କଟକ ପୁଲିସ।ସୂଚନାନୁଯାୟୀ, ବିଷମକଟକ ଥାନା ଚାଟିକଣା ଷ୍ଟେସନ ସାହିର ପୁରୁଷୋତ୍ତମ ଗାନ୍ତାୟତଙ୍କ ୫ ବର୍ଷର ପୁଅ ଋଷିକୁ କେହି ଅପହରଣ କରି ନେଇଥିଲେ। ଶୁକ୍ରବାର ସନ୍ଧ୍ୟାରେ ଋଷିଙ୍କ ମାମୁଁଙ୍କ ମୋବାଇଲକୁ ଏକ ଅଜଣା ନମ୍ଵରରୁ ମେସେଜ୍ ଆସିଥିଲା। ୪ ଲକ୍ଷ ଟଙ୍କା ଦେଲେ ଋଷିକୁ ଛାଡ଼ିଦେବେ ବୋଲି ଲେଖାଥିଲା। ଏପରିକି ସକାଳ ସୁଦ୍ଧା ୪ ଲକ୍ଷ ଟଙ୍କା ନଦେଲେ ଋଷିକୁ ହତ୍ୟା କରିବୁ ବୋଲି ଚେତାବନୀ ଦିଆଯାଇଥିଲା। ଏହି ସଂକ୍ରାନ୍ତିରେ ପୁଲିସ କିମ୍ବା କୌଣସି ବାହାର ଲୋକକୁ ଜଣେଇଲେ ଏହାର ପରିଣାମ ଭୟଙ୍କର ହେବ ବୋଲି କୁହାଯାଇଥିଲା। ଏନେଇ ଋଷିର ମାମୁଁ ଘରଲୋକଙ୍କୁ କହିଥିଲେ। ଏହାପରେ ପରିବାର ଲୋକେ ଋଷିକୁ ଚାରିଆଡ଼େ ଖୋଜାଖୋଜି କରିଥିଲେ। ଏହି ସମୟରେ ପୁରୁଣା ଘର ପଛପଟେ ଏକ ବସ୍ତା ଭିତରେ ଋଷିର ମୃତଦେହ ପଡ଼ିଥିବା ଦେଖିଥିଲେ। ଖବର ପାଇ ବିଷମକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ନାବାଳକର ଗଳା କାଟି ହତ୍ୟା କରାଯାଇଛି। ତେବେ ୫ ବର୍ଷର କୁନି ପିଲାଟିକୁ କିଏ ଏଭଳି ନିର୍ମମ ଭାବେ ହତ୍ୟା କଲା ତାହା ଜଣାପଡ଼ି ନାହିଁ। ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।










