ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ପଦବୀ ପାଇଁ ଦୁଇଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ଏହାକୁ ନେଇ ରାଜ୍ୟ ରାଜନୀତି ରୋଚକ ମୋଡ଼ରେ ପହଞ୍ଚିଛି। ଉଭୟ ପ୍ରାର୍ଥୀ ଜିତିବେ ବୋଲି କହୁଛନ୍ତି। କିନ୍ତୁ ସଂଖ୍ୟା ଗଣିତ ଦେଖିଲେ ଜଣେ ପ୍ରାର୍ଥୀ ଜିତିବେ। ହେଲେ ସେ କିଏ? ଏହାକୁ ନେଇ ନାନା ତର୍ଯମା ଚାଲିଛି। ବିଜେପି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲୀପ ରାୟ ଏବଂ ବିଜେଡି, କଂଗ୍ରେସ ଓ ସିପିଏମ୍ର ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ ଡାକ୍ତର ଦତ୍ତ୍ୱେଶ୍ୱର ହୋତା ଅବର୍ତିନ ହୋଇଛନ୍ତି। ବିଧାନସଭାର ୧୪୭ ସଦସ୍ୟ ଓଡ଼ିଶାର ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଦେବେ। ବିଜେପି, ବିଜେଡି,କଂଗ୍ରେସ ଓ ସିପିଏମ୍ର ସଦସ୍ୟ ସଂଖ୍ୟା ଯାହା ସେଥିରେ ଦେଖିଲେ ଦୁଇଜଣ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପି ସକ୍ଷମ ଓ ବିଜେଡି ଜଣେ ପ୍ରାର୍ଥୀଙ୍କୁ ଜିତାଇବାକୁ ସକ୍ଷମ। ୩ ବିରୋଧୀ ଦଳ ଏକାଠି ହେଲେ ଚତୁର୍ଥ ଆସନ ଜିତିପାରିବେ। ବିଜେପି ହାତରେ ତୃତୀୟ ପ୍ରାର୍ଥୀ ଜିତାଇବାର ସଂଖ୍ୟା ନାହିଁ। ଏହି ସଂଖ୍ୟା ହିସାବକୁ ନେଲେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ନୀତିଗତ ଭାବେ ଜିତିପାରିବେ ନାହିଁ। କିନ୍ତୁ ମିଳିତ ବିରୋଧ ଦଳର ସ୍ୱାଧୀନ ପ୍ରାର୍ଥୀ ସହଜରେ ଜିତିପାରିବେ।
ପ୍ରାର୍ଥୀପତ୍ର ଦାଖଲ ଓ ଯାଞ୍ଚ ପରେ ଏବେ ନାନା ପ୍ରକାର କଳ୍ପନା ଜଳ୍ପନା ଚତୁର୍ଥ ପ୍ରାର୍ଥୀଙ୍କୁ ନେଇ ଚାଲିଛି। ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ କହିଛନ୍ତି ଯେ ସେ ନିଶ୍ଚୟ ଜିତିବେ। ବିଜେପି ହାତରେ ଆବଶ୍ୟକ ସଂଖ୍ୟା ନଥିଲେ ବି ସେ ଜିତିବା ନେଇ ଆଶାବାଦୀ ଅଛନ୍ତି। ୨୦୦୨ରେ ସେ ଆବଶ୍ୟକୀୟ ସଂଖ୍ୟା ନଥାଇ ବି ଜିତିଥିଲେ। ଏଥର ସେହି ପଦ୍ଧତି ଆପଣାଇବେ ବୋଲି କୁହାଯାଉଛି। ଦିଲୀପ କହିଛନ୍ତି ବିଧାୟକମାନେ ତାଙ୍କ ବିବେକ ଅନୁସାରେ ଭୋଟ୍ ଦେବେ ଓ ସେ ଜିତିବେ। ତାଙ୍କର ଏହି କଥାକୁ ଯଦି ଦେଖାଯାଏ ବାସ୍ତବରେ ବିଧାୟକମାନେ ଯଦି ଅବିବେକି ନହୋଇ ବିବେକା ଅନୁମୋଦିତ ଭୋଟ୍ ଦିଅନ୍ତି ତେବେ ଦିଲୀପଙ୍କ ପରାଜୟ ନିଶ୍ଚିତ। ସେ ବିଧାୟକଙ୍କ ବିବେକକୁ ଯେଉଁ ଆହ୍ୱାନ ଦେଇଛନ୍ତି ବୋଧହୁଏ ଏହାକୁ ଭଲ ଭାବରେ ତର୍ଜର୍ମା କରିନାହାଁନ୍ତି।
ଦିଲୀପଙ୍କୁ ବିଜେଡି, କଂଗ୍ରେସ ଓ ସିପିଏମ୍ ଦଳ ସମର୍ଥନ କରୁନାହାଁନ୍ତି। ତାଙ୍କୁ ଜିତିବା ପାଇଁ ବିଜେପି ସମର୍ଥନକୁ ଛାଡ଼ିଲେ ବିରୋଧୀ ଦଳର ୮ ବିଧାୟକଙ୍କ ସମର୍ଥନ ଦରକାର। ଏହି କ୍ଷେତ୍ରରେ ୩ ବିରୋଧୀ ଦଳ ଦତ୍ତ୍ୱେଶ୍ୱରଙ୍କ ସପକ୍ଷରେ ଭୋଟ୍ ଦେବାକୁ ଘୋଷଣା କରିଛନ୍ତି। ଏପରିକି ତାଙ୍କର ମନୋନୟନ ଦାଖଲ ସମୟରେ ଉପସ୍ଥିତ ରହି ଖୋଲାଖୋଲି ଭାବେ ମତ ରଖିଛନ୍ତି। ଯଦି କଂଗ୍ରେସ ଓ ବିଜେଡିରୁ ଦିଲୀପ ଅତିତ ଭଳି ୮ ଭୋଟ୍ ନିଅନ୍ତି ତେବେ ସଂପୃକ୍ତ ବିଧାୟକମାନେ ବିବେକ ବାହାରକୁ ଯାଇ ଦଳ ଓ ନେତାଙ୍କ ପ୍ରତି ଅବମାନନା କରି ଏବଂ ନୀତି ଓ ନୈତିକତାକୁ ଜଳାଞ୍ଜଳି ଦେଲେ ଯାଇ ଏହା ସମ୍ଭବ ହେବ।
ବିଜେଡି, କଂଗ୍ରେସ ଓ ସିପିଏମ୍ରେ କେହି ଜଣେ ହେଲେ ସ୍ୱାଧୀନ ସମର୍ଥିତ ବିଧାୟକ ନାହାଁନ୍ତି। ସମସ୍ତେ ହେଉଛନ୍ତି ଦଳୀୟ ପ୍ରାର୍ଥୀ। ଦଳର ସଂକେତରେ ଓ ସମର୍ଥନରେ ଲଢ଼ି ବିଜୟ ହୋଇଛନ୍ତି। ଯିଏ ଦିଲୀପଙ୍କୁ ସମର୍ଥନ କରିବ ସେ ଦଳ ଓ ନେତାଙ୍କ ପ୍ରତି ବେଇମାନ କଲେ ବୋଲି ଜଣାପଡ଼ିବ। ଦଳରେ କିଛି ଅସନ୍ତୁଷ୍ଟ ଅଛନ୍ତି। ନେତାଙ୍କ କାର୍ଯ୍ୟଧାରା ହୁଏତ କିଛି ବିଧାୟକଙ୍କୁ ଭଲଲାଗୁ ନଥାଇପାରେ। ହେଲେ ଦଳ ଯେଉଁ ନିଷ୍ପତ୍ତି ନେବ ତାକୁ ମାନିବା ଦରକାର। ଯଦି ବିବେକକୁ ଦେଖନ୍ତି ତେବେ ସେ ଦଳରୁ ଇସ୍ତଫା ଦେଇ ଦିଲୀପଙ୍କୁ ସମର୍ଥନ କରିପାରନ୍ତି। ଥରେ ଇସ୍ତଫା ଦେଲେ ତାଙ୍କ ସଦସ୍ୟ ପଦ ଚାଲିଯିବ। ଫଳରେ ସେ ଏପରି ପଦକ୍ଷେପ ନେବେ ନାହିଁ। ଦଳ ନିଷ୍ପତ୍ତି ବିରୋଧରେ ଗଲେ ତାହା ସଙ୍ଗେ ସଙ୍ଗେ ଜଣାପଡ଼ିଯିବ। କାରଣ ଜଣେ ବିଧାୟକ ଭୋଟ୍ ଦେଇ ସାରିବା ପରେ ତାହା କାହାକୁ ଦେଲେ ଦଳୀୟ ଏଜେଣ୍ଟକୁ ଦେଖାଇବା ପାଇଁ ବାଧ୍ୟ। ଯଦି ଏଥିରେ ବ୍ୟତିକ୍ରମ କରନ୍ତି ତେବେ ତାଙ୍କ ଭୋଟ୍ ନାକଚ୍ ହୋଇଯିବ। ଏହି କଥା ସମସ୍ତ ବିଧାୟକ ଭଲ ଭାବେ ଜାଣନ୍ତି। ବିରୋଧୀ ଦଳରୁ ଜଣେ ବି ସଦସ୍ୟ ଦିଲୀପଙ୍କୁ ଭୋଟ୍ ଦେଲେ ସଙ୍ଗେ ସଙ୍ଗେ ତାହା ଜଣାପଡ଼ିଯିବ।
ସଂପୃକ୍ତ ବିଧାୟକ କ’ଣ ପାଇଁ ଦିଲୀପଙ୍କୁ ଭୋଟ୍ ଦେଲେ ତାହା ପଛର ରହସ୍ୟ ଆଉ ଅଛପା ରହିବ ନାହିଁ। ଆବଶ୍ୟକ ସଂଖ୍ୟା ନଥିବାରୁ ବିଜେପି ଦିଲୀପଙ୍କୁ ଛିଡ଼ା କରାଇବା ଓ ସେ ନିଜେ ପ୍ରାର୍ଥୀ ହେବା ଫଳରେ ଜଣାଇ ଦେଇଛନ୍ତି ଯେ, ଅନୈତିକ ଉପାୟରେ ଜିତିବାକୁ ଆଶା ରଖିଛନ୍ତି। ୨୦୦୨ରେ ଏହି ପନ୍ଥା ସେ ଆପଣାଇ ଥିଲେ। ଅନୈତିକ କାର୍ଯ୍ୟ ପାଇଁ ବିଜେପି ମଧ୍ୟ ଅସ୍ମିତାକୁ ପଛରେ ପକାଇ ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ଏପରି ସୁଯୋଗ ଦିଲୀପଙ୍କୁ ଦେଇଛି। ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ ହେବା ବେଳେ ବିଜେପି ହାତରେ ଆବଶ୍ୟକ ସଂଖ୍ୟା ନଥିଲା। କିନ୍ତୁ ବିଜେଡି ଖୋଲା ସମର୍ଥନ ଦେଇଥିଲା। ଏଣୁ ସେ ଅନୈତିକ ଉପାୟରେ ଜିତି ନଥିଲେ। ବିଜେପି-ବିଜେଡିର ମିଳିତ ସମର୍ଥନରେ ସେ ଦୁଇଥର ରାଜ୍ୟସଭାକୁ ଯାଇଛନ୍ତି। ହେଲେ ଦିଲୀପଙ୍କୁ ବିଜେଡି ସମର୍ଥନ ଦେଉନାହିଁ। ବିଜେପି ହାତରେ ଆବଶ୍ୟକ ସଂଖ୍ୟା ନଥିବାରୁ ସେ କିପରି ଭାବେ ଜିତିବେ। ତାଙ୍କର ଜିତିବାର ପଛରେ ଏକମାତ୍ର କାରଣ ହେଉଛି ଯାହା ଚର୍ଚ୍ଚା କରାଯାଉଛି ଘୋଡ଼ା ବେପାର କଥା ତାହା ହିଁ ନିଶ୍ଚିତ। ସେ କେଉଁ ବିଧାୟକଙ୍କ ପ୍ରତି କେତେ ଦର କସୁଛନ୍ତି ତାହା ଉପରେ ସବୁ ନିର୍ଭର କରିବ। ଯେଉଁ ବିଧାୟକତାଙ୍କୁ ଭୋଟ୍ ଦେବେ ତାହା ସଙ୍ଗେ ସଙ୍ଗେ ଜଣାପଡ଼ିଯିବ ଓ ଲୋକେ ବୁଝିଯିବେ କାହିଁକି ସେ ଭୋଟ୍ ଦେଲେ। ଯେତେ ସଫେଇ ଦେଲେ ବି ଲୋକଙ୍କ ପାଖରେ ଅବୁଝା ରହିବ ନାହିଁ। ଆଲୋଚନା ହେଉଛି ଅବିବେକି ବିଧାୟକ ଓ ଅନୈତିକ କାର୍ଯ୍ୟ ସଫଳ ହେଲେ ଦିଲୀପଙ୍କ ବିଜୟ ନିଶ୍ଚିତ।










