-ସ୍ୱାଗତ କଲେନି କି କାର୍ଯ୍ୟକ୍ରମରେ ଯୋଗଦେଲେନି ମମତା
-ରାଷ୍ଟ୍ରପତିଙ୍କ ଗସ୍ତର ପ୍ରୋଟୋକଲ୍ ଉଲ୍ଲଂଘନ
-ସାନ୍ତାଳୀ ସମ୍ମିଳନୀ ସ୍ଥଳ ପରିବର୍ତ୍ତନକୁ ନେଇ ରାଷ୍ଟ୍ରପତି କ୍ଷୁବ୍ଧ
-ମମତା ଦିଦି ମୋର ସାନ ଭଉଣୀ, ସେ ଏମିତି କାହିଁକି କଲେ: ରାଷ୍ଟ୍ରପତି
-ବୋଧହୁଏ ମମତା ଦିଦି ମୋ ଉପରେ ରାଗିଛନ୍ତି: ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ : ନବମ ଅନ୍ତର୍ଜାତୀୟ ସାନ୍ତାଳୀ ସମ୍ମିଳନୀ ପାଇଁ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସିଲିଗୁଡ଼ି ଗସ୍ତ ଅବସରରେ ତାଙ୍କୁ ଅସମ୍ମାନ କରାଯାଇଛି। ପ୍ରୋଟୋକଲ୍ ଅନୁସାରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ରହିବା କଥା । କିନ୍ତୁ ସ୍ୱାଗତ ପାଇଁ ମୁଖ୍ୟମନ୍ତ୍ରୀ କି ତାଙ୍କ କ୍ୟାବିନେଟ୍ର କୌଣସି ମନ୍ତ୍ରୀ ନଥିଲେ। ବିମାନବନ୍ଦରରେ କେବଳ ଶିଲିଗୁଡ଼ିର ମେୟର ଗୌତମ ଦେବ ଉପସ୍ଥିତ ଥିଲେ। କେବଳ ସେତିକି ନୁହେଁ ଏହି କାର୍ଯ୍ୟକ୍ରମ ପ୍ରଥମେ ଶିଲିଗୁଡ଼ିର ବିଧାନନଗରଠାରେ ଥିବା ଏକ ବଡ଼ ପଡ଼ିଆରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ସୁରକ୍ଷା କାରଣ ଦର୍ଶାଇ ପ୍ରଶାସନ ଏହାକୁ ବାଗଡୋଗ୍ରା ବିମାନବନ୍ଦର ନିକଟସ୍ଥ ଗୋସାଇଁପୁରର ଏକ ଛୋଟ ସ୍ଥାନକୁ ସ୍ଥାନାନ୍ତର କରିଥିଲା। ଯାହାକୁ ନେଇ ରାଷ୍ଟ୍ରପତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏକ ସାର୍ବଜାନୀନ କାର୍ଯ୍ୟକ୍ରମରେ ମଞ୍ଚ ଉପରୁ ବେଙ୍ଗଲ ସରକାରଙ୍କ କାର୍ଯ୍ୟଶୈଳୀକୁ ନିନ୍ଦା କରିଛନ୍ତି। ଉତ୍ତର ବେଙ୍ଗଲରେ ଏକ ଅନ୍ତର୍ଜାତୀୟ ଆଦିବାସୀ ସମ୍ମିଳନୀ ହେବାର ଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତେ । କିନ୍ତୁ ରାଜ୍ୟ ସରକାର ସେହି ସ୍ଥାନରେ ଆୟୋଜନ ପାଇଁ ଅନୁମତି ଦେଇନଥିଲେ। ଆୟୋଜନ ସ୍ଥଳ ପରିବର୍ତ୍ତନ ଓ ଲୋକଙ୍କ ପ୍ରତି ପ୍ରଶାସନର ବ୍ୟବହାରକୁ ନେଇ ରାଷ୍ଟ୍ରପତି ଅସନ୍ତୋଷ ପ୍ରକାଶ କରିଛନ୍ତି। ସାର୍ବଜନୀନ ମଞ୍ଚରୁ ରାଷ୍ଟ୍ରପତିଙ୍କ ଏଭଳି ଅସନ୍ତୋଷ ପ୍ରକାଶ କରିବା ପ୍ରଥମ ଘଟଣା।
ଶନିବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିଲିଗୁଡ଼ି ଗୋସାଇଁପୁର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଉତ୍ତରା ମଇଦାନରେ ନବମ ଅନ୍ତର୍ଜାତୀୟ ଆଦିବାସୀ ଏବଂ ସାନ୍ତାଳ ପରିଷଦ ସମ୍ମିଳନୀରେ ଯୋଗ ଦେଇଥିଲେ । ଯଦିଓ ଏହି ସମ୍ମିଳନୀ ପ୍ରଥମେ ଫାନସିଡେୱା ବ୍ଲକର ବିଧାନନଗରର ସନ୍ତୋଷିନୀ ସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବାର ଥିଲା । ଯେହେତୁ ସେହି ଅଞ୍ଚଳରେ ମୁଖ୍ୟତଃ ଚା’ ବଗିଚା ଶ୍ରମିକ ଏବଂ ଆଦିବାସୀମାନେ ବସବାସ କରନ୍ତି, ତେଣୁ ସେଠାରେ ସମ୍ମିଳନୀ ଆୟୋଜନ କରାଯିବାର ଥିଲା । କିନ୍ତୁ ପରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରୋଟୋକଲ୍ ଦୃଷ୍ଟିରୁ ସ୍ଥାନଟି ଗୋସାଇଁପୁରକୁ ପରିବର୍ତ୍ତନ କରାଯାଇଥିଲା । ଯାହାକୁ ନେଇ ରାଷ୍ଟ୍ରପତି କ୍ଷୋଭ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ; ସମ୍ମିଳନୀ ସମାପ୍ତ କରି ବିମାନବନ୍ଦରକୁ ଫେରିବା ପୂର୍ବରୁ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହଠାତ୍ ବିଧାନନଗରରେ ଆୟୋଜିତ ଆଦିବାସୀଙ୍କ ଅନ୍ୟ ଏକ ବୈଠକରେ ଉପସ୍ଥିତ ହୋଇଥିଲେ। କିନ୍ତୁ ତାଙ୍କ ସାଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯାଇନଥିଲେ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ କହିଥିଲେ,” ପୂର୍ବରୁ, ସମ୍ମିଳନୀ ଏଠାରେ ଅନୁଷ୍ଠିତ ହେବାର କଥା ଥିଲା । ହଠାତ୍, ମୁଁ ଜାଣିନାହିଁ କ’ଣ ହେଲା, କାହିଁକି ? କାର୍ଯ୍ୟକ୍ରମ ଏଠାରେ ଅନୁଷ୍ଠିତ ହୋଇନଥିଲା । ତେଣୁ ମୁଁ ଏଠାକୁ ଆସିବା ପାଇଁ ଚାହିଁଲି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରି ରାଷ୍ଟ୍ରପତି କହିଥିଲେ,” ସାଧାରଣତଃ ଯେତେବେଳେ ରାଷ୍ଟ୍ରପତି ଆସନ୍ତି, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନେ ସେଠାରେ ଥାଆନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଆସି ନଥିଲେ । ମୁଁ ମଧ୍ୟ ଜଣେ ବଙ୍ଗୀୟ ଝିଅ । କିନ୍ତୁ ମୋତେ ଏଠାକୁ ଆସିବାକୁ ଅନୁମତି ଦିଆଯାଏ ନାହିଁ। ମମତା ମୋ ଭଉଣୀ ପରି। ସେ ମୋ ଉପରେ କାହିଁକି ରାଗିଛନ୍ତି ମୁଁ ଜାଣିନାହିଁ !’ ସେ ଏହା ମଧ୍ୟ କହିଥିଲେ, “ଏହି ଭୂମି ମଧ୍ୟ ଯଥେଷ୍ଟ ବଡ଼ ଥିଲା। ପାଞ୍ଚ ଲକ୍ଷ ଲୋକ ଏଠାରେ ଏକାଠି ହୋଇପାରିଥାନ୍ତେ । ତଥାପି, ମୁଁ ଜାଣିନାହିଁ କାହିଁକି ଏଠାରେ କାର୍ଯ୍ୟକ୍ରମ ଆୟୋଜନ କରାଗଲା ନାହିଁ ।’










