ମୟୂରଭଞ୍ଜ : ପିଲା ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇ ଥିବା ଆଲୋଚନା ହେଉଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଭଳି ଏକ ଅଭାବନୀୟ ତଥା ଦୁର୍ଭାଗ୍ୟଜନକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳରେ। ଜଣେ ଯୁବକଙ୍କୁ ପିଲା ଚୋର ସନ୍ଦେହ କରି ମାଡ଼ ମାରିବା ଫଳରେ ଉକ୍ତ ଯୁବକ ଜଣକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ଦିନ ୧୨ଟା ସମୟରେ ମୋରଡ଼ା ଥାନା ଅଧୀନ ଡେଙ୍ଗାଶୋଳ ଲୋଧା ସାହି ନିକଟରେ ଚାରିଜଣ ଯୁବକ ଏକ ପିଲାକୁ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଗାଁ ଲୋକେ ଦେଖି ଉକ୍ତ ଚାରି ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ତେବେ ଘଟଣାସ୍ଥଳରୁ ତିନି ଜଣ ଯୁବକ ଫେରାର ହେବାକୁ ସକ୍ଷମ ହୋଇଥିବା ବେଳେ ଜଣକୁ ଗାଁ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ପରେ କୌଣସି ସୂତ୍ରରୁ ଘଟଣା ସମ୍ପର୍କରେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହିତ ବାରମାଇଲ ସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଯୁବକ ଜଣକ ମୃତ୍ୟୁବରଣ କରିଛନ୍ତି। ପୋଲିସ ମୃତଦେହ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଯୁବକ ଜଣକ ମାନସିକ ଭାରସାମ୍ୟ ହରାଇଥିବା ଥାନା ଅଧିକାରୀ ସୁମିତ କୁମାର ସୋରେନ କହିଥିବା ବେଳେ ମୃତ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନଥିବା ସୂଚନାରୁ ଜଣାପଡ଼ିଛି।
ଅପରପକ୍ଷରେ ଗ୍ରାମବାସୀ ମାନେ କେହି କ୍ୟାମେରା ସାମ୍ନାରେ ମୁହଁ ଖୋଲୁ ନାହାନ୍ତି । ତେବେ କ୍ୟାମେରା ପଛ ପଟେ ଘଟଣାର ସତ୍ୟାସତ୍ୟ ଥିବା କଥା କହୁଥିବା କ୍ୟାମେରାରେ ରେକର୍ଡ ହୋଇଛି । ସେହିପରି ଛୁଆ ଚୋରି ଘଟଣା ପ୍ରଘଟ ପରେ ମୋରଡା ଥାନା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଉଥିବା ବେଳେ ଗତକାଲି କୋହି ଗ୍ରାମରେ ଛୁଆ ଚୋର ଆସିଥିବା କଥା ପ୍ରଚାର ପ୍ରସାର ହେବା ପରେ ଗାଁ ଲୋକେ ଠେଙ୍ଗା, ବାଡ଼ି ଧରି ରାତି ତମାମ ଗାଁକୁ ଜଗିଥିବାର ଦେଖିବାକୁ ମିଳିଛି। ତେବେ ଲୋକମାନେ କାହାକୁ ପିଲା ଚୋର ସନ୍ଦେହରେ ଆକ୍ରମଣ କରିବା ପୂର୍ବରୁ ଆଲୋଚନା ମାଧ୍ୟମରେ ବାସ୍ତବତା ଅନୁଧ୍ୟାନ କରି ଆବଶ୍ୟକ ସ୍ଥଳେ ସ୍ଥାନୀୟ ପୋଲିସର ସାହାୟତା ନେବା ଉଚିତ ବୋଲି ମଧ୍ୟ ମତପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି। ଯାହାକୁ ପିଲା ଚୋର ସନ୍ଦେହରେ ମାରଣାନ୍ତକ ଆକ୍ରମଣ କରାଯାଉଛି, ସେ ମଧ୍ୟ କୋଉ ବାପା ମାଆର ପିଲା ବୋଲି ବୁଝିବା ଉଚିତ। ଯଦି କୌଣସି ସାନ୍ଦିଗ୍ଧ ବ୍ୟକ୍ତିତ୍ୱକୁନେଇ ସନ୍ଦେହ ସୃଷ୍ଟି ହେଉଛି ସେ କ୍ଷେତ୍ରରେ ପୋଲିସର ସାହାୟତା ନେବା ଆବଶ୍ୟକ। କିନ୍ତୁ କାହାକୁ ସନ୍ଦେହରେ ମାରଣାନ୍ତକ ଆକ୍ରମଣ କରିବା ଆଇନତଃ ଅପରାଧ ଭୁଲିଯିବା ଅନୁଚିତ ବୋଲି ମଧ୍ୟ ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି l ତେଵେ ଏଘାଟଣାକୁନେଇ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନଥିବା ଜଣାପଡ଼ିଛି।ମାତ୍ର ଆଗକୁ ଘଟଣା କୋଉ ମୋଡ଼ ନେଉଛି ତାଉପରେ ସମସ୍ତଙ୍କର ନଜର।










