23.1 C
Bhubaneswar
Friday, February 20, 2026
Homeଓଡିଶାଦେଶର ସର୍ବଶ୍ରେଷ୍ଠ ପାଞ୍ଚ ରାଜ୍ୟରେ ସ୍ଥାନୀତ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଦେଶର ସର୍ବଶ୍ରେଷ୍ଠ ପାଞ୍ଚ ରାଜ୍ୟରେ ସ୍ଥାନୀତ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବହୁମୁଖୀ ଦାରିଦ୍ର‌୍ୟ ହାର ୫ ପ୍ରତିଶତକୁ ଆଣିବା ପାଇଁ ଆମେ ଯୋଜନା ପ୍ରସ୍ତୁତ କରିଛୁ। ମୋଟାମୋଟି ଭାବେ ଏକ ସମୃଦ୍ଧ, ସଶକ୍ତ ଓ ସମାବେଶୀ ଓଡ଼ିଶା ଗଠନର ଅଭିବ୍ୟକ୍ତି ପ୍ରକାଶ ପାଇଛି। ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ରାଜ୍ୟକୁ ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଜ୍ୟ ମଧ୍ୟରେ ସ୍ଥାନ ଦେବା। ଏହା କେବଳ ଏକ ପରିକଳ୍ପନା ନୁହେଁ, ଏହା କରଣୀୟ ଏବଂ ଆମେ କରିବୁ ମଧ୍ୟ। ହଁ, ଆମେ କରିପାରିବୁ ଓ କାରଣ, ଆମ ପାଇଁ ଓଡ଼ିଶାର ଜନସାଧାରଣ ହେଉଛନ୍ତି ‘ସର୍ବୋପରି’।

ଗୁରୁବାର ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଏହି ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟପାଳ ଆସନ୍ତା ବର୍ଷରେ ରାଜ୍ୟ ସରକାରଙ୍କ କ’ଣ ଆଭିମୁଖ୍ୟ ହେବ, ଶାସନ-ପ୍ରଶାସନରେ ସରକାର କେଉଁ ପ୍ରକାର ସଂସ୍କାର ଆଣିବାକୁ ଯାଉଛନ୍ତି, ବିଗତ ଦିନରେ ସରକାରଙ୍କ ସଫଳତା କ’ଣ, ସେ ସବୁ ବିଷୟରେ ଆଲୋକପାତ କରିଥାନ୍ତି। ତେଣୁ ପରମ୍ପରା ଅନୁସାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇଥାଏ ଯେଉଁ ମଞ୍ଚକୁ ଉପଯୋଗ କରି ଉଭୟ ବିରୋଧୀ ଓ ଶାସକ ଦଳ ନିଜ ନିଜ ପକ୍ଷ ବିଧାନସଭାରେ ରଖିଥାନ୍ତି, ଏବଂ ବିଧାନସଭା ମାଧ୍ୟମରେ ରାଜ୍ୟବାସୀଙ୍କୁ ଜଣାଇଥାନ୍ତି। ଏହି ଆଲୋଚନାରେ ବିରୋଧୀ ଦଳ ଅନେକ ଗଠନମୂଳକ ମତାମତ ରାଜ୍ୟବାସୀଙ୍କ କଲ୍ୟାଣପାଇଁ ଦେଇ ଥାଆନ୍ତି, ଯାହାକୁ ସରକାର ଗୁରୁତ୍ୱର ସହିତ ବିଚାର କରି ନିଜ କାର୍ଯ୍ୟକ୍ରମରେ ଯୋଡ଼ି ଥାଆନ୍ତି। କିନ୍ତୁ, ଦୁଃଖର ବିଷୟ ବିରୋଧୀ ଦଳର ସଦସ୍ୟମାନେ ଆଲୋଚନାରେ ବିଶେଷ ଯୋଗଦାନ ନ ରଖି, ପାଟିତୁଣ୍ଡ, ହୋ ହାଲ୍ଲା କରି ଗୃହକୁ ବାରମ୍ୱାର ଅଚଳ କରିଥିଲେ। ଗଣତାନ୍ତ୍ରିକ ପରମ୍ପରାରେ ବିରୋଧୀ ଦଳର ପ୍ରଶ୍ନ ପଚାରିବାର ଅଧିକାର ଅଛି। କିନ୍ତୁ, ଗତ ଦୁଇ ଦିନର କାର୍ଯ୍ୟକଳାପକୁ ଦେଖିଲେ ମନେ ହୁଏ ଲୋକଙ୍କ ସ୍ୱରକୁ ବିଧାନସଭାରେ ରଖିବାକୁ ଚାହୁଁନାହାନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି ୨୦୩୬ ସୁଦ୍ଧା ଓଡ଼ିଶାକୁ ‘ସମୃଦ୍ଧ ଓଡ଼ିଶା’ ଏବଂ ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ପରିକଳ୍ପିତ ‘ବିକଶିତ ଭାରତ’ର ଗ୍ରୋଥ ଇଞ୍ଜିନ କରିବା। କେବଳ ଘୋଷଣା ନୁହେଁ, ଏଥିପାଇଁ ଏକ ସ୍ପଷ୍ଟ ଦିଶା ନିର୍ଦ୍ଦେଶ ସହ ରୋଡ଼ ମ୍ୟାପ୍ ବି ରାଜ୍ୟପାଳ ଉଲ୍ଲେଖ କରିଛନ୍ତି। ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ୧୫୦୦ ବିଲିଅନ ଡଲାର ଅର୍ଥନୀତି ହାସଲ ଆମର ଲକ୍ଷ୍ୟ । ବର୍ଷକୁ ୯.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରି ୨୦୪୭ରେ ବାର୍ଷିକ ମୁଣ୍ଡପିଛା ଆୟ ୩୨ ଲକ୍ଷ ଟଙ୍କା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କନ୍ୟାଦାନ ଯୋଜନା ଆମେ ବଜେଟରେ ରଖିଥିଲୁ। ବଜେଟ ପାଇଁ ସାଧାରଣ ଲୋକଙ୍କ ପ୍ରସ୍ତାବ ନିଆଯାଇଥିଲା। ସେମାନଙ୍କ ପ୍ରସ୍ତାବରୁ ହିଁ, ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। ବିରୋଧୀ ଦଳର ପ୍ରସ୍ତାବ ଗ୍ରହଣ କରିବା ପାଇଁ ଆମେ ପ୍ରସ୍ତୁତ , କିନ୍ତୁ ସେମାନେ ପ୍ରସ୍ତାବ ଦେବା ପାଇଁ ପ୍ରସ୍ତୁତ ନାହାନ୍ତି। ତାଙ୍କ ଅମଳରେ ଚାଷୀର ଆୟ କଥା ଟିକେ ଲୋକଙ୍କୁ ଜଣାଇ ଦେଇଥିଲେ ଭଲ ହୋଇ ଥାଆନ୍ତା। ସରକାରୀ ତଥ୍ୟ ଅନୁସାରେ ୨୪ ବର୍ଷର ସରକାରଙ୍କ ସମୟରେ ଓଡ଼ିଶାର ଚାଷୀଙ୍କ ଆୟ ସାରା ଭାରତରେ ଶେଷଆଡୁ ଥିଲା ଦ୍ୱିତୀୟ, ମାସିକ ଆୟ ଥିଲା ମାତ୍ର ୫ ହଜାର ୧୧୫ ଟଙ୍କା। ଏ କଥା ସେମାନେ ଭୁଲି ଯାଉଛନ୍ତି, ତେଣୁ ବାରମ୍ବାର ତାଙ୍କୁ ମନେ ପକାଇବାକୁ ପଡ଼େ। ଯେଉଁମାନେ ଆଜି ସରକାରଙ୍କ ଇନପୁଟ୍ ସବ୍‌ସିଡି ବିଷୟରେ ପ୍ରଶ୍ନ ଉଠାଉଛନ୍ତି, ସେମାନେ ବୋଧେ ଭୁଲି ଯାଉଛନ୍ତି, ସେମାନେ ବରଗଡ଼ର ସୋହେଲା ଠାରେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ୍‌କହି ଦେଇନଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯୁବବର୍ଗ ହେଉଛନ୍ତି ଆମର ପ୍ରକୃତ ଶକ୍ତି। ଏହି ଶକ୍ତିକୁ ଉପଯୋଗ କରିବା ପାଇଁ ଆମର ଅନୁଭବ ହେଉଛି, ‘ସାର୍ଟିଫିକେଟ ନୁହେଁ, ସ୍କିଲ୍‌’ । ଅର୍ଥାତ୍‌, ଯୁବବର୍ଗଙ୍କୁ ଶିକ୍ଷା ନାମରେ କେବଳ ଡିଗ୍ରୀ ପ୍ରଦାନ କରାଯିବ ନାହିଁ। ଆମର ଫୋକସ୍ ହେଉଛି ସ୍କିଲ୍ । ଓଡ଼ିଶା ଏବେ କେବଳ ଦେଶ ନୁହେଁ, ସାରା ବିଶ୍ୱର ଶିଳ୍ପ ସଂସ୍ଥା ଓ ନିବେଶକ ମାନଙ୍କର ଆସ୍ଥାର ପାତ୍ର ହୋଇଛି। ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଆସିଛି। ତନ୍ମଧ୍ୟରୁ ପ୍ରାୟ ଅଢ଼େଇ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଗ୍ରାଉଣ୍ଡିଙ୍ଗ୍ ହୋଇ ସାରିଛି। ଏହାଦ୍ୱାରା ପ୍ରାୟ ୨ ଲକ୍ଷ ନିଯୁକ୍ତି ଆମେ ସୃଷ୍ଟି କରିସାରିଛୁ। ରାଜ୍ୟର ମୁଖ୍ୟ ସେବକ ଭାବରେ ମୁଁ ନିଜେ, ଏବଂ ମୋ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଓଡ଼ିଶାର ବିକାଶ ପାଇଁ କଠିନ ପରିଶ୍ରମ କରୁଛନ୍ତି। ଓଡ଼ିଶା ଭଳି ଗୋଟିଏ ରାଜ୍ୟରେ ମାତ୍ର ଦେଢ଼ ବର୍ଷ ମଧ୍ୟରେ ଏତେ ଟଙ୍କାର ପୁଞ୍ଜି ବିନିଯୋଗ ହେବା, ପୂର୍ବରୁ କେବେ ନଜିର ନାହିଁ। ଏହା କୌଣସି ଚମତ୍କାର ଠାରୁ କମ୍ ନୁହେଁ। ଏ ଚମତ୍କାର ହେଉଛି ଆମର ଡବଲ ଇଞ୍ଜିନ ସରକାର’ର ଇଚ୍ଛାଶକ୍ତି ଓ ଆମ ଅବିଶ୍ରାନ୍ତ ପରିଶ୍ରମର ସୁଫଳ। ତେଣୁ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ କର୍ତ୍ତବ୍ୟପଥରେ ଆଗେଇ ଚାଲିବାକୁ ଅନୁରୋଧ କରୁଛି ଏବଂ ସମସ୍ତଙ୍କ ସହଯୋଗ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking