କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତାକାଲି ଅର୍ଥାତ ଗୁରୁବାର ଠାରୁ ଆରମ୍ଭ ହେବ। ରାଜ୍ୟର ମୋଟ ୩୦୮୨ଟି ସେଣ୍ଟରରେ ୫ଲକ୍ଷ ୬୧ହଜାର ୯୭୯ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ। ସମସ୍ତ ପରୀକ୍ଷା କେନ୍ଦ୍ରର ସିସିଟିଭି ବ୍ୟବସ୍ଥା କରାଯାଇଛି। କପି କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କପି ଯୋଗାଇଲେ କିମ୍ବା କିଛି ଅନିୟମିତତା କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହଭଳି ଜରୁରୀକାଳୀନ ପରିସ୍ଥିତିରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଲାଗି ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ ସମୟ ଦିଆଯାଇଛି। ସକାଳ ସାଢେ ୯ଟାରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଲାଗି ଅନୁମତି ଦିଆଯିବ। ପୂର୍ବରୁ ୯ଟା ୧୫ ମିନିଟ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥିଲା। ଏଥିରେ ଆଉ ୧୫ ମିନିଟ ବୃଦ୍ଧି କରାଯାଇଛି।
ତେବେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଲାଗି ଅତିରିକ୍ତ ୫୦ ମିନିଟ ସମୟ ଦିଆଯିବ। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ସହାୟକ ଲେଖାଳି ସେଣ୍ଟର ଯୋଗାଇଦେବେ। ଯଦି ନିଜେ ଚାହିଁବେ ତେବେ ଦଶମ ଶ୍ରେଣୀରୁ ତଳ ଶ୍ରେଣୀର ଛାତ୍ରଙ୍କୁ ସହାୟକ ଲେଖାଳି ଭାବେ ଭିନ୍ନକ୍ଷମ ପରୀକ୍ଷାର୍ଥୀ ଆଣି ପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। ମାଟ୍ରିକ ସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ମଧ୍ୟ କାଲିଠାରୁ ଆରମ୍ଭ ହେବ। ଏଥିଲାଗି ନୋଡାଲ୍ ସେଣ୍ଟର ସମେତ ପରୀକ୍ଷା କେନ୍ଦ୍ରରେ ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ମୋଟ ୩୨୨ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷା ବଳୟ ମଧ୍ୟରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ନୋଡାଲ୍ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଯାଇଛି। ପଶ୍ନପତ୍ରକୁ ସଶସ୍ତ୍ର ପୁଲିସ ୨୪ଘଣ୍ଟିଆ ସୁରକ୍ଷା ବଳରେ ଜଗି ରହିଛନ୍ତି। ପରୀକ୍ଷା ଦିନ ଅର୍ଥାତ ଆସନ୍ତାକାଲି ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପଠାଯିବ। ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ର ସମେତ ନୋଡାଲ ସେଣ୍ଟରରେ ଲାଇଭଷ୍ଟ୍ରିମଙ୍ଗ ବ୍ୟବସ୍ଥା ହୋଇଛି। କୌଣସି ବିଶୃଙ୍ଖଳା ହେଲେ ଏହି ବ୍ୟବସ୍ଥାରେ ବୋର୍ଡ ମୁଖ୍ୟାଳୟ ଜାଣିପାରିବ। ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ବୁକଲେଟର ପ୍ରତି ପୃଷ୍ଠା ତଥା ପ୍ରତି ନମ୍ବରରେ ୱାଟରମାର୍କ ରହିଛି।
ପ୍ରଶ୍ନପତ୍ର ଭାଇରାଲ୍ ହେଲେ, ତାହା ସହଜରେ ଧରି ହେବ। ପ୍ରଥମ ଦିନ ଛାତ୍ରଛାତ୍ରୀ ପ୍ରଥମ ଭାଷା ମାତୃଭାଷାରେ ବିଷୟରେ ପରୀକ୍ଷା ଦେବେ। ସେହିଭଳି ୨୧ରେ ଦ୍ୱିତୀୟ ଭାଷା ଇଂରାଜୀ, ୨୩ରେ ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ, ୨୫ରେ ବିଜ୍ଞାନ,୨୭ରେ ସାମାଜିକ ବିଜ୍ଞାନ ଏବଂ ମାର୍ଚ୍ଚ ୨ତାରିଖରେ ଗଣିତ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତିଦିନ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। ପୂର୍ବାହ୍ଣ ୯ଟାରୁ ସାଢେ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ପ୍ରତି ବିଷୟରେ ଛାତ୍ରଛାତ୍ରୀ ଅଢ଼େଇ ଘଣ୍ଟା ପରୀକ୍ଷା ଦେବେ। କେବଳ ଗଣିତ ପରୀକ୍ଷାରେ ଅଧିକ ୧୫ ମିନିଟ୍ ସମୟ ମିଳିବ। ସବ୍ଜେକ୍ଟିଭ ଏବଂ ଅବ୍ଜେକ୍ଟିଭରେ ଯଥାକ୍ରମେ ୫୦ ମାର୍କର ପ୍ରଶ୍ନ ରହିବ। ଚଳିତ ବର୍ଷ ବୋର୍ଡ଼ ପକ୍ଷରୁ ୩୭ଟି ସ୍କ୍ୱାଡ ଗଠନ କରାଯାଇଛି। ପ୍ରତି ସ୍କ୍ୱାଡ୍ରେ ୨ଜଣ ଲେଖାଏ ସଦସ୍ୟ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବୋର୍ଡ଼ ପକ୍ଷରୁ ୭୪ଜଣ ସଦସ୍ୟଙ୍କୁ ନେଇ ୩୭ଟି ଦଳ ଗଠିତ କରାଯାଇଛି। ଏହି ସ୍କ୍ୱାଡ୍କୁ ଜୋନ୍ ଅନୁଯାୟୀ ବିଭକ୍ତ କରାଯାଇଛି। କେନ୍ଦ୍ରୀୟ ଜୋନ ପାଇଁ ୮ଟି ଦଳ ରହିଥିବାବେଳେ, ଭୁବନେଶ୍ୱର ଜୋନ ପାଇଁ ୪ଟି ଦଳ ରହିଛି। ସେହିଭଳି ବାଲେଶ୍ୱର ଜୋନର ବିଭିନ୍ନ ପରୀକ୍ଷା କେନ୍ଦ୍ର ନିମନ୍ତେ ୫ଟି, ବ୍ରହ୍ମପୁର ଜୋନରେ ୫ଟି, ସମ୍ବଲପୁର ଜୋନରେ ୧୦ ଏବଂ ଜୟପୁର ଜୋନରେ ୪ଟି ସ୍କ୍ୱାଡ ଗଠନ ହୋଇଛି। ପରୀକ୍ଷା କେନ୍ଦ୍ରରେ କେଉଁ ସୁବିଧା ରହିବ, ପ୍ରଶ୍ନପତ୍ର ଏବଂ ଉତ୍ତରଖାତା କିଭଳି ନିର୍ଦ୍ଧାରିତ ସମୟ ଅନୁଯାୟୀ ପହଞ୍ôଛବ, ସେଥିପାଇଁ କରାଯାଇଥିବା ବ୍ୟବସ୍ଥାକୁ ଅନୁପାଳନ ନିମନ୍ତେ ବୋର୍ଡ ପକ୍ଷରୁ କୁହାଯାଇଛି।










