କଟକ: ଚୌଦ୍ୱାର କାରାଗାରରୁ ଫେରାର ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରୁ ଜଣକୁ କମିଶନରେଟ ପୁଲିସ ଉତ୍ତରପ୍ରଦେଶର ବୃନ୍ଦାବନରୁ ଗିରଫ କରିଛି। ଫେରାର ଅଭିଯୁକ୍ତ ମଧୁକାନ୍ତ ରାଣା ସେଠାରେ ଥିôବା ଏକ ଗେଷ୍ଟ ହାଉସରେ ନାମ ବଦଳାଇ କାମ କରୁଥିଲା ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ଏସ ଦେବଦତ୍ତ ସିଂହ ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟଜଣେ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯିବ ବୋଲି କମିଶନର କହିଛନ୍ତି। ପୁଲିସ ସୂଚନା ମୁତାବକ ଗତ ଅକ୍ଟୋବର ୩ ତାରିଖ ମଧ୍ୟରାତ୍ରିରେ ଚୌଦ୍ୱାର ସର୍କଲ ଜେଲରୁ ୨ଜଣ କଏଦୀ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଫେରାର ହୋଇଯାଇଥିଲେ। ଲୁହା ରଡ଼, କମ୍ବଳ ଓ ରସି ବ୍ୟବହାର କରି ଉଭୟ ଅନ୍ଧକାରର ସୁଯୋଗ ନେଇ ପାଚେରୀ କାନ୍ଥ ଡେଇଁ ଖସି ଯାଇଥିଲେ । ଏ ସଂପର୍କରେ ଚୌଦ୍ୱାର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା ।
ମଧୁକାନ୍ତ ଓ ତା ସହଯୋଗୀକୁ ଧରାଇଦେଲେ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ଘୋଷଣା କରାଯାଇଥିଲା। ଏହାପରେ କମିଶନରେଟ ପୁଲିସର ଏକ ୨୬ ଜଣିଆ ସ୍ୱତନ୍ତ୍ର ଅଣ୍ଡର କଭର ଟିମ ଗଠନ କରାଯାଇ ଭାରତର ବିଭିନ୍ନ ରାଜ୍ୟରେ ସେମାନଙ୍କୁ ଖୋଜାଖୋଜି କରାଯାଇଥିଲା । ମଧୁକାନ୍ତ ଓ ରାଜା ଆନ୍ତଃରାଜ୍ୟ ଡକାୟତ ଟିମର ସଦସ୍ୟ ଥିଲେ ବୋଲି ପୁଲିସ କମିଶନର ସୂଚନା ଦେଇଛି । ଚୌଦ୍ୱାର ଜେଲରୁ ଫେରାର ହେବା ପରେ ଉଭୟ ଟ୍ରେନ ଯୋଗେ ପୁରୀ ଅଭିମୁଖେ ପଳାଇଥିଲେ। ଏହାର ଗୋଟିଏ ଦିନ ପରେ ସେମାନେ ପୁଣି ଟ୍ରେନ ଯୋଗେ ବିହାର ପଳାଇ ଯାଇଥିଲେ ବୋଲି ସିପି ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଏହା ପରେ ୨ ଅଭିଯୁକ୍ତ ଅଲଗା ହୋଇଯାଇଥିଲେ। ପୁଲିସର ସ୍ୱତନ୍ତ୍ର ଗୁପ୍ତ ଟିମ ସେମାନଙ୍କୁ ପାଟନା, ନୋଏଡ଼ା ଓ ନାଗାଲାଣ୍ଡରେ ଖୋଜାଖୋଜି କରିଥିଲେ । ଫେରାର ଅଭିଯୁକ୍ତ ମଧୁକାନ୍ତ ବୃନ୍ଦାବନରେ ଏକ ଗେଷ୍ଟ ହାଉସରେ କାମ କରୁଥିଲା ।
ମଧୁକାନ୍ତ ନିଜ ନାଁ ଓ ବେଶ ବଦଳାଇ ବାସୁ ପାଣ୍ଡେ ନାଁରେ ସେଠାରେ କାମ କରୁଥିଲା ବୋଲି ପୁଲିସ ସୂଚନା ଦେଇଛି । ସ୍ୱତନ୍ତ୍ର ଟିମ ଅଭିଯୁକ୍ତ ମଧୁକାନ୍ତ କୁମାର ରାଣା ଓରଫ ମଧୁକାନ୍ତ ସିଂହଙ୍କୁ ୧୩ ଫେବୃଆରୀ ୨୦୨୬ରେ ଉତ୍ତରପ୍ରଦେଶ ବୃନ୍ଦାବନର ଏକ ଅତିଥି ଗୃହରୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ମଧୁକାନ୍ତ (୨୪)ର ଘର ବିହାର ରାଜ୍ୟ ସରଣ ଜିଲ୍ଲାରେ ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ, ୨୦୨୫ ଜାନୁଆରୀ ୪ ତାରିଖରେ ଯାଜପୁର ଜିଲ୍ଲା ପାଣିକୋଇଲିଠାରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଲୁଟପାଟ ପାଇଁ ଅଭିଯୁକ୍ତମାନେ ୨ ଜଣକୁ ହତ୍ୟା କରିଥିଲେ । ସେତେବେଳେ ସାଧାରଣ ଲୋକେ ଅଭିଯୁକ୍ତ ମଧୁକାନ୍ତ ରାଣା ଓ ରାଜା ସାହାଣୀକୁ ଘଟଣା ସ୍ଥଳରୁ ଧରି ପୁଲିସର ଜିମା ଦେଇଥିଲେ । ପୁଲିସ ଉଭୟ ୨ ବିହାରୀ ଅଭିଯୁକ୍ତକୁ ଗିରଫ କରି ଯାଜପୁର ରଗଡ଼ି ଜେଲକୁ ପଠାଇ ଦେଇଥିଲେ । ଜେଲରେ ଥିବାବେଳେ ଅଧିକ ସୁରକ୍ଷା ଦୃଷ୍ଟିରୁ ଆଠ ମାସ ତଳେ ଅଭିଯୁକ୍ତଙ୍କୁ ଚୌଦ୍ୱାର ଜେଲର ୨ଟି ସ୍ୱତନ୍ତ୍ର ସେଲରେ ରଖା ଯାଇଥିଲା ।










