କଲମ୍ବୋ: ଚଳିତ ବିଶ୍ୱକପ୍ରେ ଶୁକ୍ରବାର ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଜିମ୍ବାୱେ ୨୩ ରନ୍ର ପୂର୍ବତନ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ହରାଇ ଦେଇଛି। ସ୍ଥାନୀୟ ଆର୍. ପ୍ରେମଦାସା ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଜିମ୍ବାୱେ ୨୦ ଓଭର୍ରେ ୨ ୱିକେଟ୍ ହରାଇ ୧୬୯ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆର ପୂରା ଟିମ୍ ୧୯.୩ ଓଭର୍ରେ ୧୪୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। ଏହା ଅଷ୍ଟ୍ରେଲିଆ ବିପକ୍ଷରେ ଜିମ୍ବାୱେର ଦ୍ୱିତୀୟ ବିଜୟ। ପୂର୍ବରୁ ୨୦୦୭ ଟି-୨୦ ବିଶ୍ୱକପ୍ରେ ଅଷ୍ଟ୍ରେଲିଆକୁ ପାଞ୍ଚ ୱିକେଟ୍ରେ ହରାଇଥିଲା। ଏହି ବିପର୍ଯ୍ୟୟ ସହ ଗ୍ରୁପ୍-ବି’ରେ ସୁପର୍-୮ରେ ପହଞ୍ଚିବା ଲଢ଼େଇ ମଧ୍ୟ ରୋଚକ ହୋଇଛି। ଏହି ପରାଜୟ ସହ ଅଷ୍ଟ୍ରେଲିଆର ସୁପର-୮ ଦୌଡ଼ରୁ ବାଦ୍ ପଡ଼ିବା ବିପଦ ସୃଷ୍ଟି ହୋଇଛି। ଏବେ ଟିମ୍କୁ ସମସ୍ତ ମ୍ୟାଚ୍ ଜିତିବାକୁ ପଡ଼ିବ। ଗୋଟିଏ ପରାଜୟ ଟିମ୍ର ଆଶଚୁ ଧୂଳିସାତ୍ କରିଦେବ। ଦୁଇଟି ମ୍ୟାଚ୍ ପରେ ଅଷ୍ଟ୍ରେଲିଆ ଏବେ ତୃତୀୟ ସ୍ଥାନରେ ରହିଛି। ଟିମ୍ ନିଜର ପରବର୍ତ୍ତୀ ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ।
ଯଦି ଏହି ମ୍ୟାଚ୍ରେ ପରାଜିତ ହୁଏ, ତେବେ ବାହାର ହୋଇଯିବ। ଜିମ୍ବାୱେ କିମ୍ବା ଶ୍ରୀଲଙ୍କା ଗୋଟିଏ ଲେଖାଏଁ ମ୍ୟାଚ୍ ହାରିବା ସହ ଅଷ୍ଟ୍ରେଲିଆ ବାକି ମ୍ୟାଚ୍ ବଡ଼ ବ୍ୟବଧାନରେ ଜିତିଲେ ହିଁ ସୁପର୍-୮ରେ ପହଞ୍ଚିପାରିବ। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଜିମ୍ବାୱେ ପ୍ରଥମରୁ ଉନ୍ନତ ଆରମ୍ଭ କରିଥିଲା। ଟିମ୍କୁ ୬୧ ରନ୍ର ସ୍କୋର୍ରେ ପ୍ରଥମ ଝଟ୍କା ଲାଗିଥିଲା। ତାଦିୱାନାଶେ ମରୁମାନୀ ୨୧ ବଲ୍ରେ ୩୫ ରନ୍ କରିଥିବା ବେଳେ ମାର୍କସ ଷ୍ଟୋଇନିସ୍ ତାଙ୍କୁ ଜୋଶ୍ ଇଙ୍ଗଲିସ୍ଙ୍କ ହାତରେ କ୍ୟାଚ୍ କରାଇଥିଲେ। ଏହାପରେ ର୍ୟାନ୍ ବର୍ଲ (୩୦)ଙ୍କୁ ଆଉଟ୍ କରି କାମେରନ୍ ଗ୍ରୀନ୍ ଟିମ୍କୁ ଦ୍ୱିତୀୟ ଝଟ୍କା ଦେଇଥିଲେ। ଓପ୍ନର୍ ବ୍ରାୟନ୍ ବେନେଟ୍ ୫୬ ବଲ୍ରେ ସାତ ଚୌକା ସହାୟତାରେ ୬୪ ରନ୍ କରି ଅପରାଜିତ ରହିଥିଲେ। ସେହିପରି କ୍ୟାପ୍ଟେନ୍ ସିକନ୍ଦର ରଜା ୧୩ ବଲ୍ରେ ଦୁଇ ଚୌକା ଓ ଗୋଟିଏ ଛକା ବଳରେ ଅପରାଜିତ ୨୫ ରନ୍ କରିଥିଲେ। ଦୁହିଁଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୨୪ ବଲ୍ରେ ୩୮ ରନ୍ର ପାର୍ଟନରଶିପ୍ ହୋଇଥିଲା।
୧୭୦ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆକୁ ୧୩ ରନ୍ର ସ୍କୋର୍ରେ ପ୍ରଥମ ଝଟ୍କା ଲାଗିଥିଲା। ଓପ୍ନର୍ ଜୋଶ୍ ଇଙ୍ଗିଲିସ୍ (୮ରନ୍)ଙ୍କୁ ବ୍ଲେସିଙ୍ଗ୍ ମୁଜରବାନୀ କ୍ୟାଚ୍ ଆଉଟ୍ କରାଇଥିଲେ। ଏହାପରେ କାମେରନ୍ ଗ୍ରୀନ୍ ଓ ଟିମ୍ ଡେଭିଡ୍ ଖାତା ଖୋଲିବା ପୂର୍ବରୁ ଯଥାକ୍ରମେ ବ୍ରାଡ୍ ଇଭାନ୍ସ ଓ ମୁଜରବାନୀଙ୍କ ଶିକାର ହୋଇଥିଲେ। ଟ୍ରେଭିସ୍ ହେଡ୍ ୧୭ ରନ୍ରେ ବ୍ରାଡ୍ ଇଭାନ୍ସଙ୍କ ଦ୍ୱାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ସେତେବେଳକୁ ଅଷ୍ଟ୍ରେଲିଆ ସ୍କୋର୍ ୪ ୱିକେଟ୍ରେ ୨୯ ରନ୍ ହୋଇଥିଲା। ଏହାପରେ ଗ୍ଲେନ୍ ମାକ୍ସୱେଲ୍ ଓ ମ୍ୟାନ୍ ରେନ୍ସାଁ ଇନିଂସ୍ ସମ୍ଭାଳି ପଞ୍ଚମ ୱିକେଟ୍ ପାଇଁ ୫୯ ବଲ୍ରେ ୭୭ ରନ୍ର ପାର୍ଟନରଶିପ୍ କରି ଟିମ୍ର ସ୍କୋର୍ ୧୦୦ ରନ୍ ପାର୍ କରାଇଥିଲେ। ମାକ୍ସୱେଲ୍ (୩୧ ରନ୍)ଙ୍କୁ ବୋଲ୍ଡ ଆଉଟ୍ କରି ର୍ୟାନ୍ ବର୍ଲ ଏହି ପାର୍ଟନରଶିପ୍ରେ ବ୍ରେକ୍ ଲଗାଇଥିଲେ। ଏହାପରେ ମାର୍କସ୍ ଷ୍ଟୋଇନିଂସ୍ (୬ ରନ୍) ୱେଲିଂଟନ୍ ମଦାକାଦ୍ଜାଙ୍କ ଶିକାର ହୋଇଥିଲେ। ମୁଜରବାନୀ ଏହାପରେ ମ୍ୟାଟ୍ ରେନ୍ସାଁ ଏବଂ ଆଦାମ୍ ଜାମ୍ପାଙ୍କ ୱିକେଟ୍ ଅକ୍ତିଆର କରିଥିଲେ। ରେନ୍ସାଁ ୪୪ ବଲ୍ରେ ପାଞ୍ଚ ଚୌକା ଓ ଗୋଟିଏ ଛକା ବଳରେ ୬୫ ରନ୍ କରିଥିଲେ। ମାଥ୍ୟୁ କୁହ୍ନେମନ୍ ରନ୍ଆଉଟ୍ ହେବାପରେ ଜିମ୍ବାୱେ ଇତିହାସ ରଚିଥିଲା। ଟିମ୍ ପକ୍ଷରୁ ମୁଜରବାନୀ ସର୍ବାଧିକ ୪ଟି, ବ୍ରାଡ୍ ଇଭାନ୍ସ ୩ଟି ୱିକେଟ୍ ନେଇଥିବା ବେଳେ ମସାକାଦ୍ଜା ଓ ବର୍ଲଙ୍କୁ ୧-୧ ସଫଳତା ମିଳିଥିଲା।










