ଇସଲାମାବାଦ୍: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ୭୩ ବର୍ଷୀୟ ଇମ୍ରାନ ଖାନଙ୍କ ଠାରେ ଦୃଷ୍ଟିଶକ୍ତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ରିପୋର୍ଟ ଅନୁସାରେ ଇମ୍ରାନ୍ ଏବେ ନିଜ ଗୋଟିଏ ଆଖିର ପ୍ରାୟ ୮୫% ଦୃଷ୍ଟିଶକ୍ତି ହରାଇଛନ୍ତି। ଜେଲ୍ରେ କଏଦୀ ଜୀବନ ଅତିବାହିତ କରୁଥିବା ଇମ୍ରାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଶେଷକରି ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥିବା ନେଇ ଅଭିଯୋଗ ହେବା ପରେ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏକ ସ୍ୱାସ୍ଥ୍ୟ କମିଟି ଗଠନ କରାଯାଇଥିଲା। କମିଟି ଇମ୍ରାନ୍ଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ କରିବା ସହ ତାଙ୍କ ଦୃଷ୍ଟିଶକ୍ତି ମଧ୍ୟ ଯାଞ୍ଚ୍ କରିଥିଲେ। ତେବେ କମିଟି ପାକ୍ ସୁପ୍ରିମକୋର୍ଟଙ୍କୁ ଦେଇଥିବା ରିପୋର୍ଟରେ ଇମ୍ରାନ୍ ନିଜ ଗୋଟିଏ ଆଖିର ପ୍ରାୟ ୮୫% ଦୃଷ୍ଟି ଶକ୍ତି ହରାଇସାରିଥିବା ଉଲ୍ଲେଖ କରିଛନ୍ତି। ଇମ୍ରାନ୍ ସମ୍ପ୍ରତି ନିଜ ଡାହାଣ ଆଖିରେ ସେଣ୍ଟ୍ରାଲ ରେଟିନାଲ୍ ଭେନ୍ େଆକ୍ଳୁଜନ୍ (ସିଆରଭିଓ) ରୋଗ ଦ୍ୱାରା ପୀଡ଼ିତ।
ସିଆରଭିଓ ଏକ ଗମ୍ଭୀର ଆଖି ଅବସ୍ଥା। ଏଥିରେ ଆଖି ଭିତରେ ରେଟିନାରୁ ରକ୍ତ ବହନ କରୁଥିବା ମୁଖ୍ୟ ଶିରାରେ ଏକ ଅବରୋଧ ଜଡିତ। ଶିରା ଅବରୋଧ ହେବା ପରେ, ରେଟିନାରେ ରକ୍ତ ଜମା ହେବା ଆରମ୍ଭ ହୁଏ, ଯାହା ଫୁଲିଯାଏ ଏବଂ ରକ୍ତସ୍ରାବ ହୁଏ। ଯଦି ଏହି ଅବସ୍ଥା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ, ତେବେ ରେଟିନା ସ୍ଥାୟୀ କ୍ଷତିର ସମ୍ମୁଖୀନ ହୋଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ, ଚିକିତ୍ସା ବିଳମ୍ବ ହେଲେ, ବିଶେଷକରି ଯଦି ଅବରୋଧ ସମ୍ପୂର୍ଣ୍ଣ ହୁଏ, ରେଟିନା ଗୁରୁତର ଭାବରେ ପ୍ରଦାହ ହୁଏ, କିମ୍ବା ବାରମ୍ବାର ରକ୍ତସ୍ରାବ ହୁଏ, ତେବେ ସିଆରଭିଓରେ ଦୃଷ୍ଟିଶକ୍ତି ହ୍ରାସ ହେବାର ଆଶଙ୍କା ଅଧିକ ଥାଏ। ଅନେକ କ୍ଷେତ୍ରରେ, ଯଦି ୨୪ ରୁ ୭୨ ଘଣ୍ଟା ମଧ୍ୟରେ ଚିକିତ୍ସା ନ ମିଳେ, ତେବେ କ୍ଷତି ସ୍ଥାୟୀ ହୋଇପାରେ। ଚିକିତ୍ସା ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ଉପଯୁକ୍ତ ଚିକିତ୍ସା ନ ମିଳେ, ତେବେ ଇମ୍ରାନ ସ୍ଥାୟୀ ଭାବରେ ଦୃଷ୍ଟିଶକ୍ତି ହରାଇପାରନ୍ତି। ଏତଦ୍ବ୍ୟତୀତ ଇମ୍ରାନ୍ ସାମାନ୍ୟ ଦାନ୍ତ ସମସ୍ୟା ଦେଇ ମଧ୍ୟ ଗତି କରୁଥିବା ସ୍ୱାସ୍ଥ୍ୟ କମିଟି ରିପୋର୍ଟ ଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଓକିଲ ସଲମାନ ସଫଦର ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଇମ୍ରାନ ଖାନ ଦୀର୍ଘ ସମୟ ଧରି ଜେଲ କର୍ତ୍ତୃପକ୍ଷଙ୍କୁ ଦୃଷ୍ଟିହୀନତା ବିଷୟରେ ଅଭିଯୋଗ କରିଆସୁଥିଲେ। ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ତାଙ୍କ ଦୃଷ୍ଟିଶକ୍ତି ସ୍ୱାଭାବିକ ଥିଲା, କିନ୍ତୁ ହଠାତ ସେ ତାଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ହରାଇ ବସିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଇମ୍ରାନ୍ଙ୍କ ଆଖିରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡ଼ିଥିଲା, ଯାହା ଗୁରୁତର କ୍ଷତି କରିଥିଲା। ଚିକିତ୍ସା ଏବଂ ଇଞ୍ଜେକ୍ସନ ସତ୍ତ୍ୱେ, ବର୍ତ୍ତମାନ ତାଙ୍କ ଡାହାଣ ଆଖିରେ କେବଳ ୧୫ ପ୍ରତିଶତ ଦୃଷ୍ଟିଶକ୍ତି ହିଁ ସୀମିତ ରହିଛି। ଇମ୍ରାନ ଦାବି କରନ୍ତି ଯେ ତାଙ୍କୁ ଘରୋଇ ଡାକ୍ତରଙ୍କଠାରୁ ବ୍ୟକ୍ତିଗତ ଚିକିତ୍ସା କରାଇବା ପାଇଁ ଅନୁମତି ଦିଆଯାଇନାହିଁ। ପ୍ରକାଶ, ଇମ୍ରାନ ଖାନ ଦୁର୍ନୀତି ଅଭିଯୋଗରେ ୨୦୨୩, ଅଗଷ୍ଟରୁ ଅର୍ଥାତ୍ ଗତ ୩ ବର୍ଷ ଧରି ପାକିସ୍ତାନର ଆଡିଆଲା ଜେଲରେ ବନ୍ଦୀ ଅଛନ୍ତି। ଜେଲ୍ରେ ତାଙ୍କୁ ଆଇସୋଲେସନ୍ କରି ରଖାଯାଇଛି। ଇମ୍ରାନ୍ ଖାନ୍ ସମ୍ପ୍ରତି ଗଭୀର ମାନସିକ ଚାପରେ ମଧ୍ୟ ଥିବା ଜଣାପଡିଛି।









