22.1 C
Bhubaneswar
Friday, February 13, 2026
Homeଖେଳଈଶାନ୍‌-ହାର୍ଦ୍ଦିକଙ୍କ ବିସ୍ଫୋରଣ ପରେ ବରୁଣଙ୍କ ଘାତକ ବୋଲିଂ; ନାମ୍ବିଆ ବିପକ୍ଷରେ ଭାରତର ବଡ଼ ବିଜୟ

ଈଶାନ୍‌-ହାର୍ଦ୍ଦିକଙ୍କ ବିସ୍ଫୋରଣ ପରେ ବରୁଣଙ୍କ ଘାତକ ବୋଲିଂ; ନାମ୍ବିଆ ବିପକ୍ଷରେ ଭାରତର ବଡ଼ ବିଜୟ

ନୂଆଦିଲ୍ଲୀ: ଈଶାନ୍ କିଶନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ ବରୁଣ ଚକ୍ରବର୍ତ୍ତୀଙ୍କ ଘାତକ ବୋଲିଂ ବଳରେ ଭାରତ ଚଳିତ ଟି-୨୦ ବିଶ୍ୱକପ୍‌ର ଗ୍ରୁପ୍‌-ଏ’ ମ୍ୟାଚ୍‌ରେ ନାମ୍ବିୟାକୁ ୯୨ ରନ୍‌ର ଚମତ୍କାର ବିଜୟ ହାସଲ କରିଛି। ସ୍ଥାନୀୟ ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଜିମ୍ବାୱେ ଆଗରେ ଭାରତ ୨୧୦ ରନ୍‌ର ଲକ୍ଷ୍ୟ ରଖିଥିଲା। ଜବାବରେ ନାମ୍ବିୟା ଟିମ୍ ୧୬.୨ ଓଭର୍‌ରେ ୧୧୬ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ବରୁଣ ୨ ଓଭର୍‌ରେ ୭ ରନ୍ ଦେଇ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଅକ୍ଷର ପଟେଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨-୨ ସଫଳତା ମିଳିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି। ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଟୁର୍ଣ୍ଣାମେଣ୍ଟ୍‌ରେ ଲଗାତାର ଦ୍ୱିତୀୟ ବିଜୟ ସହ ଗ୍ରୁପ୍ ଶୀର୍ଷରେ ପହଞ୍ଚିଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସଠାରୁ ୭ ୱିକେଟ୍‌ରେ ହାରିବା ପରେ ନାମ୍ବିୟାର ଏହା ଦ୍ୱିତୀୟ ପରାଜୟ।
ଲକ୍ଷ୍ୟର ପିଛା କରୁଥିବା ନାମ୍ବିଆକୁ ଚତୁର୍ଥ ଓଭର୍‌ରେ ଅର୍ଶଦୀପ ସିଂହ ପ୍ରଥମ ଝଟ୍‌କା ଦେଇଥିଲେ। ସେ ଜାନ୍ ଫାଇଲିଙ୍କ୍ (୨୨)ଙ୍କୁ ଆଉଟ୍ କରିଥିଲେ। ଏହାପରେ ଲରେନ୍ ଷ୍ଟିନ୍‌କ୍ୟାମ୍ପ୍ ଓ ନିକୋଲ୍ ଲାଫ୍‌ଟି-ଇଟନ୍ ୩୪ ରନ୍ ଯୋଡ଼ିଥିଲେ। ଷ୍ଟିନ୍‌କ୍ୟାମ୍ପ୍ (୨୯)ଙ୍କୁ ଆଉଟ୍ କରି ମିଷ୍ଟ୍ରି ସ୍ପିନର୍ ବରୁଣ ଚର୍କବର୍ତ୍ତୀ ଏହି ଯୋଡ଼ି ଭାଙ୍ଗିଥିଲେ। ବରୁଣ ଏତିକିରେ ଅଟକି ନଥିଲେ। ନିଜର ପରବର୍ତ୍ତୀ ଓଭର୍‌ରେ ସେ ନିକୋଲ ଲାଫ୍ଟି-ଇଟନ୍ (୧୩) ଓ ଜେଜେ ସ୍ମିଟ୍ (୦)ଙ୍କୁ ପ୍ୟାଭିଲିୟନ୍ ପଠ।।ଇଥିଲେ। ଏହାପରେ ଅକ୍ଷର ପଟେଲ୍ କ୍ୟାପ୍‌ଟେନ୍ ଗେରାହାର୍ଡ ଇରାସ୍‌ମସ୍ (୧୮)ଙ୍କୁ ଆଉଟ୍ କରିଥିଲେ। ପରେ ମଲାନ୍ କ୍ରୁଗର୍ (୫)ଙ୍କୁ ଆଉଟ୍ କରି ଅକ୍ଷର ଭାରତକୁ ୬ଷ୍ଠ ସଫଳତା ଦେଇଥିଲେ। ରୁବେନ୍ ଟ୍ରମ୍ପେଲ୍‌ମ୍ୟାନ୍ (୬)ଙ୍କୁ ବୁମ୍‌ରା କ୍ଲିନ୍ ବୋଲ୍ଡ କରିଥିଲେ। ପୁଣି ବର୍ନାଟ୍‌ଜ ଶୋଲ୍ଟଜ (୪) ଓ ବେନ୍ ଶିକୋଙ୍ଗୋ (୦)ଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ପ୍ୟାଭିଲିୟନ୍ ପଠାଇଥିଲେ। ୧୭ତମ ଓଭର୍‌ରେ ୱିକେଟ୍‌କିପର୍ ଜେନ୍ ଗ୍ରୀନ୍ ୧୧ ରନ୍ କରି ଶିଭମ୍ ଦୁବେଙ୍କ ବଲ୍‌ରେ ହିଟ୍ ୱିକେଟ୍ ହୋଇଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଭାରତୀୟ ଟିମ୍‌ର ଆରମ୍ଭ ସେପରି ଖାସ୍ ନଥଲା ଏବଂ ଟିମ୍ ସଞ୍ଜୁ ସାମ୍‌ସନ୍‌ଙ୍କ ୱିକେଟ୍ ଶସ୍ତାରେ ହରାଇଥିଲା। ସଞ୍ଜୁ ତିନି ଛକା ଓ ଗୋଟିଏ ଚୌକା ବଳରେ ୮ ବଲ୍‌ରେ ୨୨ ରନ୍ କରିଥିଲେ। ସଞ୍ଜୁଙ୍କୁ ବେନ୍ ଶିକୋଙ୍ଗୋ ଆଉଟ୍ କରିଥିଲେ। ଏହାପରେ ଈଶାନ୍ କିଶନ୍ ଓ ତିଳକ ବର୍ମା ଦ୍ୱିତୀୟ ୱିକେଟ୍ ପାଇଁ ୭୯ ରନ୍‌ର ପାର୍ଟନରଶିପ୍ କରିଥିଲେ। ଇତିମଧ୍ୟରେ ଈଶାନ୍ ମାତ୍ର ୨୦ ବଲ୍‌ରେ ୫ ଚୌକା ଓ ଚାରି ଛକା ସହାୟତାରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଷଷ୍ଠ ଓଭର୍‌ରେ ଜେଜେ ସ୍ମିଟ୍‌ଙ୍କ ବିପକ୍ଷରେ ଈଶାନ୍ ଲଗାତାର ୪ ଛକା ମାରିବା ସହିତ ମୋଟ ୨୮ ରନ୍ ଉଠାଇଥିଲେ। ଈଶନ୍ ମୋଟ ୬ ଚୌକା ଓ ପାଞ୍ଚ ଛକା ସହାୟତାରେ ୨୪ ବଲ୍‌ରେ ୬୧ ରନ୍ କରିଥିଲେ। ଈଶାନ୍ ବିସ୍ଫୋରକ ଇନିଂସ୍ ଖେଳିଥିଲେ ମଧ୍ୟ କ୍ୟାପ୍‌ଟେନ୍ ସୂର୍ଯ୍ୟକୁମାର ଯାଦବ ଓ ତିଳକ ବର୍ମା ନିରାଶ କରିଥିଲେ। ସୂର୍ଯ୍ୟା ୧୨ ଏବଂ ତିଳକ ୨୫ ରନ୍ କରି ଆଉଟ୍ ହୋଇଥିଲେ। ତିଳକ ଆଉଟ୍ ବେଳକୁ ଭାରତର ସ୍କୋର୍ ୧୨୪/୪ ଥିଲା। ଏହିଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିଭମ୍ ଦୁବେ ମିଶି ପଞ୍ଚମ ୱିକେଟ୍ ପାଇଁ ୮୧ ରନ୍‌ର ପାର୍ଟନରଶିପ୍ କରି ଭାରତକୁ ବଡ଼ ସ୍କୋର୍‌ରେ ପହଞ୍ଚାଇଥିଲେ। ହାର୍ଦ୍ଦିକ ଚାରିଟି ଲେଖାଏଁ ଛକା ଓ ଚୌକା ଦମ୍‌ରେ ୨୮ ବଲ୍‌ରେ ୫୨ ରନ୍ କରିଥିଲେ। ଏହି ଅବସରରେ ୨୭ ବଲ୍‌ରେ ତାଙ୍କର ଅର୍ଦ୍ଧଶତକ ପୂରଣ ହୋଇଥିଲା। ଶିଭମ୍ ଦୁବେ ୨୩ ରନ୍‌ର ଯୋଗଦାନ ଦେଇଥିଲେ। ନାମ୍ବିୟା କ୍ୟାପ୍‌ଟେନ୍ ଗେରହାର୍ଡ ଇରାସ୍‌ମସ୍ ୧୯ତମ ଓଭର୍‌ର ଦ୍ୱିତୀୟ ଓ ତୃତୀୟ ବଲ୍‌ରେ ହାର୍ଦ୍ଦିକ ଓ ଶିଭମ୍‌ଙ୍କୁ ଆଉଟ୍ କରିବା ପରେ ଶେଷ ବଲ୍‌ରେ ଅକ୍ଷର ପଟେଲ୍ (୦)ଙ୍କୁ ମଧ୍ୟ ପ୍ୟାଭିଲିୟନ୍ ରାସ୍ତା ଦେଖାଇଥିଲେ। ଏହାପରେ ଭାରତ ଅନ୍ତିମ ଓଭର୍‌ରେ ରିଙ୍କୁ ସିଂହ (୧ ରନ୍‌) ଓ ଅର୍ଶଦୀପ୍ ସିଂହ (୨)ଙ୍କୁ ୱିକେଟ୍ ହରାଇଥିଲା। ଦେଖିବାକୁ ଗଲେ ଭାରତ ଅନ୍ତିମ ଦୁଇ ଓଭର୍‌ରେ ୧୦ ରନ୍ ମଧ୍ୟରେ ୫ ୱିକେଟ୍ ହରାଇଥିଲା। ଗେରହାର୍ଡ ଇରାସ୍ମସ୍ ଚମତ୍କାର ବୋଲିଂ କରି ୪ ୱିକେଟ୍ ଅକ୍ତିଆର କରିଥିଲେ। ବର୍ନାର୍ଡ ଶୋଲ୍ଟଜ, ବେନ୍ ଶିକୋଙ୍ଗୋ ଓ ଜେଜେ ସ୍ମିଟ୍‌ଙ୍କୁ ୧-୧ ସଫଳତା ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking