ଗୁଆହାଟୀ/ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଡିସନ୍ ବ୍ଲୁ ହୋଟେଲଠାରେ ଆୟୋଜିତ ତ୍ରିଦିବସୀୟ ‘ଓଡ଼ିଶା ପର୍ବ ୨୦୨୬’ ସଫଳତାର ସହ ସମାପ୍ତ ହୋଇଛି। ଏହି କାର୍ଯ୍ୟକ୍ରମ ଓଡ଼ିଶା ଏବଂ ଉତ୍ତର-ପୂର୍ବ ଭାରତ ମଧ୍ୟରେ ସାଂସ୍କୃତିକ ସମ୍ପର୍କ, ପ୍ରବାସୀ ଓଡ଼ିଆଙ୍କ ସହ ସଂଯୋଗ ଏବଂ ପର୍ଯ୍ୟଟନ ଓ ବ୍ୟବସାୟିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।
ଉଦଘାଟନୀ ସମାରୋହ:
୩୦ ଜାନୁଆରୀ ୨୦୨୬ରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ଏବଂ ପ୍ରଦର୍ଶନୀ ମଣ୍ଡପର ଉଦଘାଟନ ସହିତ ଏହି ଉତ୍ସବ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ଉଭୟ ରାଜ୍ୟର ବରିଷ୍ଠ ପଦାଧିକାରୀ ଏବଂ ପ୍ରମୁଖ ଅଂଶୀଦାରମାନେ ଉପସ୍ଥିତ ଥିଲେ। ଉଦଘାଟନୀ ସନ୍ଧ୍ୟାରେ ଓଡ଼ିଶାର ଶାସ୍ତ୍ରୀୟ, ଲୋକ ଏବଂ ଆଦିବାସୀ ନୃତ୍ୟ ପ୍ରଦର୍ଶିତ ହୋଇ ଦର୍ଶକଙ୍କୁ ବିମୋହିତ କରିଥିଲା।
ପ୍ରମୁଖ କାର୍ଯ୍ୟକ୍ରମ ଓ ସଫଳତା
ଓଡ଼ିଶା ପର୍ବ କେବଳ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଓଡ଼ିଶାର ଐତିହ୍ୟ, ଖାଦ୍ୟପେୟ, ପର୍ଯ୍ୟଟନ ପ୍ରୋତ୍ସାହନ ଏବଂ ଶିଳ୍ପ ସହଭାଗିତାର ଏକ ବ୍ୟାପକ ମଞ୍ଚ ଭାବେ ଉଭା ହୋଇଛି। ଏହି ଅବସରରେ ଓଡ଼ିଶାକୁ ଏକ ସ୍ଥାୟୀ ପର୍ଯ୍ୟଟନ କେନ୍ଦ୍ର ଭାବେ ଉପସ୍ଥାପିତ କରାଯାଇଥିଲା।
ପ୍ରବାସୀ ଓଡ଼ିଆ ସମ୍ମିଳନୀ: ଦ୍ୱିତୀୟ ଦିନରେ ସମ୍ମିଳନୀରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଏବଂ ଆସାମର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଜଳସେଚନ ମନ୍ତ୍ରୀ ଶ୍ରୀ ଅଶୋକ ସିଂଘଲ ଯୋଗ ଦେଇଥିଲେ। ଓଡ଼ିଶା ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ ମଧ୍ୟ ଏଠାରେ ଉପସ୍ଥିତ ଥିଲେ। ଉପ-ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆମାନଙ୍କୁ ଓଡ଼ିଶାର ‘ସାଂସ୍କୃତିକ ରାଷ୍ଟ୍ରଦୂତ’ ଭାବେ ଅଭିହିତ କରି ରାଜ୍ୟର ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ବ୍ୟବସାୟିକ ଆଲୋଚନା (G2B ଓ B2B): ଏହି ଅବସରରେ ଅନେକ ନିବେଶକ ଓଡ଼ିଶାର ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଆସାମ ଏବଂ ଉତ୍ତର-ପୂର୍ବର ଟୁର ଅପରେଟରମାନଙ୍କ ସହ ଓଡ଼ିଶା ପର୍ଯ୍ୟଟନ ଅଧିକାରୀମାନେ ଯୋଗାଯୋଗ ଓ ମିଳିତ ପର୍ଯ୍ୟଟନ ପ୍ରୋତ୍ସାହନ ଉପରେ ଆଲୋଚନା କରିଥିଲେ।
ପର୍ଯ୍ୟଟନ ରୋଡ୍-ସୋ: କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂଙ୍କ ନେତୃତ୍ୱରେ ଆୟୋଜିତ ଏହି ରୋଡ୍-ସୋ ମାଧ୍ୟମରେ ଓଡ଼ିଶାର ବିବିଧ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା। ଓଡ଼ିଶାର ସଂଶୋଧିତ ପର୍ଯ୍ୟଟନ ନୀତି, ଦୁଃଶାହସିକ ପର୍ଯ୍ୟଟନ ନୀତି ନିବେଶକ ଏବଂ tour operator ମାନଙ୍କ ମଧ୍ୟରେ ବିଶେଷ ଉଛାହ ସୃଷ୍ଟି କରିଥିଲା ତିନି ଦିନ ଧରି ଚାଲିଥିବା ଏହି ପ୍ରଦର୍ଶନୀରେ ଓଡ଼ିଶାର କଳା, ହସ୍ତତନ୍ତ, ବୟନଶିଳ୍ପ ଏବଂ ସୁଆଦିଆ ବ୍ୟଞ୍ଜନକୁ ଲୋକମାନେ ଖୁବ୍ ପସନ୍ଦ କରିଥିଲେ। ଘୁମୁରା, ପାଇକ ଆଖଡ଼ା, ଓଡ଼ିଶୀ, ଗୋଟିପୁଅ, ସାହିଯାତ, ଢେମସା ଏବଂ ଝାଗେଡି ପରି ପାରମ୍ପରିକ ନୃତ୍ୟ ଓଡ଼ିଶାର ସମୃଦ୍ଧ ସଂସ୍କୃତିର ପରିଚୟ ପ୍ରଦାନ କରିଥିଲା। ଗୁଆହାଟୀରେ ଆୟୋଜିତ ଓଡ଼ିଶା ପର୍ବ କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଓଡ଼ିଶା ଏବଂ ଉତ୍ତର-ପୂର୍ବ ଭାରତ ମଧ୍ୟରେ ଏକ ସେତୁ ସଦୃଶ କାର୍ଯ୍ୟ କରିଛି, ଯାହା ଆଗାମୀ ଦିନରେ ପର୍ଯ୍ୟଟନ ଓ ବ୍ୟବସାୟିକ ସମ୍ପର୍କକୁ ଏକ ନୂତନ ଶିଖରରେ ପହଞ୍ଚାଇବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।










