ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କୁ ପୃଥକ୍ ଶୌଚାଳୟ ଉପଲବ୍ଧ କରାଯିବା ଏବଂ ସାନିଟାରୀ ପ୍ୟାଡ୍ ମିଳିବା ସମ୍ପର୍କୀତ ଏକ ଆବେଦନ ଉପରେ ଶୁକ୍ରବାର ଶୁଣାଣି କରିଛନ୍ତି। ଏହିକ୍ରମେ ସୁପ୍ରିମକୋର୍ଟ ଦେଶର ସମସ୍ତ ଘରୋଇ ଏବଂ ସରକାରୀ ସ୍କୁଲଗୁଡ଼ିକୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି। ସୁପ୍ରିମକୋର୍ଟ ନିଜ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି ଯେ, ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀମାନଙ୍କୁ ପାଇଁ ପୃଥକ୍ ଶୌଚାଳୟ ସହ ସାନିଟାରୀ ପ୍ୟାଡ୍ ମିଳିବା ନିଶ୍ଚିତ କରିବେ। ରାଜ୍ୟ ସରକାର ମଧ୍ୟ ଏଦିଗରେ ଧ୍ୟାନ ଦେବେ ଏବଂ ଆବଶ୍ୟକସ୍ଥଳେ ଏହାକୁ ବାଧ୍ୟତାମୂଳକ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। କେବଳ ସେତିକି ନୁହେଁ ଆସନ୍ତା ତିନି ମାସ ମଧ୍ୟରେ ଏହି ନିର୍ଦ୍ଦେଶ ପାଳନ କରିବାକୁ ଦେଶର ସମସ୍ତ ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସ୍କୁଲ୍ପଢ଼ା ଝିଅମାନଙ୍କ କ୍ଷେତ୍ରରେ ମାସିକ ଋତୁସ୍ରାବ ସମୟଜନିତ ସମସ୍ୟା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ମାସିକ ଋତୁସ୍ରାବ ସ୍ୱଚ୍ଛତା ନୀତିକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରିବା ପାଇଁ ଦାବି ପୂର୍ବକ କରାଯାଇଥିବା ଏହି ଆବେଦନ ଉପରେ ଗତ ଚାରି ବର୍ଷ ଧରି ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି। ସମାଜସେବୀ ଜୟା ଠାକୁର ୨୦୨୨ରେ ମାସିକ ଋତୁସ୍ରାବ ସ୍ୱଚ୍ଛତା ନୀତିକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରିବା ପାଇଁ ଦାବି କରି ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହିକ୍ରମେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସେମାନଙ୍କ ରାଜ୍ୟରେ ଥିବା ପ୍ରତ୍ୟେକ ସ୍କୁଲରେ ଦିବ୍ୟାଙ୍ଗମାନଙ୍କ ପାଇଁ ଅନୁକୂଳ ଶୌଚାଳୟ ନିର୍ମାଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ସ୍କୁଲଗୁଡ଼ିକ ଏହା କରିବାରେ ବିଫଳ ହେବେ ସେମାନଙ୍କ ମାନ୍ୟତା ବାତିଲ ହେବ ବୋଲି ମଧ୍ୟ ସୁପ୍ରିମକୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି ସ୍କୁଲଗୁଡ଼ିକରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ନାହିଁ, ତେବେ ଏହା ସମ୍ବିଧାନର ଧାରା ୧୪ (ସମାନତା ଅଧିକାର) ଉଲ୍ଲଂଘନ କରେ। ସାନିଟାରୀ ପ୍ୟାଡ୍ ବିନା ଝିଅମାନେ ପାଠପଢ଼ା ଏବଂ ପାଠ୍ୟକ୍ରମ ବହିର୍ଭୁତ କାର୍ଯ୍ୟକଳାପରେ ପୁଅମାନଙ୍କ ସହିତ ସମାନ ଭାବରେ ଅଂଶଗ୍ରହଣ କରିପାରିବେ ନାହିଁ। ସେହିପରି ଋତୁସ୍ରାବ ସମୟରେ ସମ୍ମାନଜନକ ଯତ୍ନ ପ୍ରଦାନ କରିବା ସମ୍ବିଧାନର ଧାରା ୨୧ (ଜୀବନ ଏବଂ ମର୍ଯ୍ୟାଦା ଅଧିକାର)ର ଏକ ଅଂଶ। ପର୍ଯ୍ୟାପ୍ତ ସୁବିଧା ବିନା ଝିଅମାନଙ୍କର ମର୍ଯ୍ୟାଦା ଏବଂ ଗୋପନୀୟତା ବିପଦଗ୍ରସ୍ତ ହୁଏ। ସୁତରାଂ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିଶ୍ଚିତ କରିବା ଉଚିତ ଯେ, ପ୍ରତ୍ୟେକ ସରକାରୀ କିମ୍ବା ବେସରକାରୀ ସ୍କୁଲରେ ଲିଙ୍ଗଗତ ଭାବରେ ପୃଥକୀକରଣ ଶୌଚାଳୟ ଏବଂ ପାଣି ସୁବିଧା ରହିଛି। ସମସ୍ତ ନୂତନ ସ୍କୁଲରେ ଗୋପନୀୟତା ସୁନିଶ୍ଚିତ କରାଯିବା ଉଚିତ, ଯେଉଁଥିରେ ଅକ୍ଷମ ବ୍ୟକ୍ତିଙ୍କ ଅଧିକାରକୁ ସମ୍ମାନ ଦିଆଯିବା ମଧ୍ୟ ସାମିଲ ଅଛି। ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିଶ୍ଚିତ କରିବା ଉଚିତ ଯେ, ପ୍ରତ୍ୟେକ ସ୍କୁଲର ଶୌଚାଳୟ ପରିସରରେ ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ ଉପଲବ୍ଧ ହେବ। ଋତୁସ୍ରାବକାଳୀନ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ମାସିକ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରାଯିବା ଉଚିତ, ଅତିରିକ୍ତ ୟୁନିଫର୍ମ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଥିବା ମଧ୍ୟ ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି।










