ଛତିଶଗଡ: ଛତିଶଗଡରେ ଏକ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୭ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବକୁଲାହିରେ ଥିବା ଇସ୍ପାତ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ। ଏକାଧିକ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ, ଛତିଶଗଡ଼ର ବାଲୋଦା ବଜାର ଜିଲ୍ଲାରେ ଏକ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି। ଇସ୍ପାତ କାରଖାନାର ଗୋଟିଏ ଉତ୍ପାଦନ ୟୁନିଟ୍ ଭିତରେ ବିସ୍ଫୋରଣ ଘଟିଥିଲା, ଯାହା ଫଳରେ ହଠାତ୍ ନିଆଁ ଲାଗିଯାଇଥିଲା ଏବଂ ଦ୍ରୁତ ଗତିରେ ବ୍ୟାପିଯାଇଥିଲା। ପ୍ରଭାବିତ ଅଂଶରେ ଉପସ୍ଥିତ ଶ୍ରମିକମାନେ ଅଚେତ ହୋଇଯାଇଥିଲେ, ଅନେକଙ୍କୁ ଖସିଯିବାର ସୁଯୋଗ ମିଳିନଥିଲା। ଫଳରେ ୭ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି।
ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିରନ୍ତର ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇପାରିଛି ଅଗ୍ନିଶମ ବାହିନୀ। ଏହା ପରେ ଉଦ୍ଧାରକାରୀ ଦଳ ପରିସରରେ ପ୍ରବେଶ କରି ପୀଡିତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛି। ଘଟଣାସ୍ଥଳରୁ ସାତ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି, ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଭାବରେ ପୋଡ଼ି ଯାଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। ଅନେକ ଆହତ ଶ୍ରମିକଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି, ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।










