ଖୋର୍ଦ୍ଧା: : ମଙ୍ଗଳବାର ରାତିରେ ଥାର୍ ଦୁର୍ଘଟଣାରେ ଭୁବନେଶ୍ୱରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବୁଧବାର ପୁଣି ଖୋର୍ଦ୍ଧାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଛି। ଇନ୍ଫୋଭ୍ୟାଲି ଥାନା ୧୬ ନଂ ଜାତୀୟ ରାଜପଥ ପିତାପଲ୍ଲୀ ଛକ ନିକଟରେ ଏକ ଟ୍ରେଲର ପଛକୁ ମହିଦ୍ରା ଥାର୍ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ଇନ୍ଫୋଭାଲି ଥାନା ଅଧୀନ ମଦନପୁର ପଞ୍ଚାୟତ ଅନ୍ତର୍ଗତ କାଇମାଟିଆ ଅଞ୍ଚଳର ହର୍ଷ, ଆଲେସ୍କ, ଏବଂ କରନ୍ ବୋଲି ଜଣାଯାଇଛି। ସମସ୍ତଙ୍କ ବୟସ ୨୦ରୁ ୨୧ ବର୍ଷ ବୋଲି ଜଣାଯାଇଛି। ସୂଚନା ଅନୁସାରେ ଓଡ଼ି ୩୩ ଏ ଭି ୯୪୨୦ ନମ୍ବର ବିଶିଷ୍ଟ ଥାର୍ରେ ମୋଟ ୪ଜଣରାତ୍ର ୮ଟା ସମୟରେ ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ। ଏହି ସମୟରେ ସେହି ଦିଗରେ ଯାଉଥିବା ଏକ ଟ୍ରେଲରକୁ ଥାର୍ଟି ପଛରୁ ଜୋର୍ରେ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଆହାତଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ୩ ମୃତଦେହକୁ ଖୋର୍ଦ୍ଧା ହସ୍ପିଟାଲରେ ରଖାଯାଇଛି। ସବୁଠାରୁ ବଡ଼ କଥା ହେଲା ଯେ ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ଥାର ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି। ଦୁର୍ଘଟଣା ପରେ କଟର ସାହାଯ୍ୟରେ ଗାଡ଼ି କଟାଯାଇ ମୃତଦେହକୁ ଉଦ୍ଧାର କରାଯାଇଥିଲା।










