ଭୁବନେଶ୍ୱର: ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପଶ୍ଚିମ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିବସରେ ରାଉରକେଲା ଠାରେ ଏକ କର୍ମୀ ଏବଂ ସାଧାରଣ ଜନତା ସଭାରେ ସମ୍ବୋଧିତ କରି କହିଲେ, ମୋର ଇଛା ଥିଲା ରାଉରକେଲା ଆସି କଂଗ୍ରେସର ନୂତନ ରୂପରେଖ ତିଆରି କରି ସଶକ୍ତ କରିବା । ରାଉରକେଲାରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ହେବ । ନିଜ ଦଳ କଂଗ୍ରେସ କର୍ମକର୍ତ୍ତା ଗଣ ନିଜ ଦଳ ପାଇଁ ନ୍ୟାୟ ଦେଇ ପାରିଲେ ରାଉରକେଲାବାସୀଙ୍କ ପାଇଁ ନ୍ୟାୟ ଦେଇପାରିବେ । ଆପଣମାନେ ମନରେଗାର ଦୁରବସ୍ଥା ଓ ନାରୀ ନିର୍ଯାତନା ବୃଦ୍ଧି ବିଷୟରେ ଜାଣିଛନ୍ତି । ବର୍ତ୍ତମାନ ସରକାର ଅତିରିକ୍ତ ଜମାରାଶି ନାମରେ ଲୁଟ କରୁଛନ୍ତି । ନିର୍ବାଚନ ପୂର୍ବରୁ ବିଜେପି ୩୦୦ ୟୁନିଟ ବିଜୁଳି ମାଗଣା ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ସରକାର ଅତିରିକ୍ତ ଜମାରାଶିର ପ୍ରସ୍ତାବ ଦେଇଛନ୍ତି । ଶିଳ୍ପ ସଂସ୍ଥାକୁ ଅତି କମ ମୂଲ୍ୟରେ ବିଜୁଳି ଯୋଗାଉଥିବା ବେଳେ କୃଷକଙ୍କୁ ମାଗଣା ବିଜୁଳି ଦିଆଯାଉ ନାହିଁ । ଅନ୍ୟ ରାଜ୍ୟରେ କୃଷକଙ୍କୁ ସଂପୂର୍ଣ୍ଣ ବିଜୁଳି ଛାଡ଼ ଅଛି ତେଣୁ ସେଠାରେ ଉତ୍ପାଦନ ହାର ଆମ ରାଜ୍ୟ ତୁଳନାରେ ଢ଼େର ଅଧିକ । ଆଜି ମନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇ ଦେଇଛନ୍ତି । ୧୦୦ ଦିନର ନିଶ୍ଚିତ କାମ ଅଧିକାରକୁ ଲୁପ୍ତ କରିଛନ୍ତି । ମହାତ୍ମା ଗାନ୍ଧୀ ନଥିଲେ କ’ଣ ଏ ଦେଶ ସ୍ୱାଧୀନ ହୋଇଥାନ୍ତା? ଆଜି ବିଜେପି ଯେଉଁ ମନମର୍ଜି ଶାସନ କରୁଛି କରିପାରିଥାନ୍ତେ କି? ଗୋଟିଏ ପଟରେ ସ୍ୱଚ୍ଛ ଭାରତ ଅଭିଯାନରେ ମହାତ୍ମା ଗାନ୍ଧୀଙ୍କ ଚଷମା ବ୍ୟବହାର କରୁଛନ୍ତି ଅନ୍ୟ ପଟରେ ନାମ ହଟାଇ ଦେଉଛନ୍ତି । ଗୋଟିଏ ପଟେ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରୁଛନ୍ତି ଅନ୍ୟପଟେ ସମ୍ବିଧାନ ପରିବର୍ତ୍ତନ କରୁଛନ୍ତି । ଏମାନଙ୍କ ଦୋମୁହାଁ ଚରିତ୍ର ଆପଣ ଜାଣନ୍ତୁ । ମହାରାଷ୍ଟ୍ର ପଂଚାୟତ ନିର୍ବାଚନରେ ଇଭିଏମ ମେସିନ ବଦଳରେ ଅନ୍ୟ ମେସିନ ସ୍ଥାପନ କଲେ କାହାକୁ କିଛି ଜଣାଇଲେ ନାହିଁ । ଫଳରେ ୪୦ ରୁ ୪୨ ଭାଗ ମତଦାତା ଭୋଟ ଦେଇ ପାରିଲେ ନାହିଁ । ଏଭଳି ଭାବରେ ଭୋଟ ଚୋରିକରି ଗଣତନ୍ତ୍ରର ହତ୍ୟା କରୁଛନ୍ତି । ଏମାନେ ସାଧାରଣ କୃଷକ, ଶ୍ରମିକ ଏବଂ ଦଳିତ ଆଦିବାସୀଙ୍କୁ କଣ ନ୍ୟାୟ ଦେବେ । ବିଜେପି ଶାସନରେ ରାଜ୍ୟରେ ଦୁଇ ହଜାର ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟିଲାଣି । ଏମାନଙ୍କ ସୁରକ୍ଷା ପାଇଁ କଂଗ୍ରେସ ବାରମ୍ବାର ଦାବି କରି ଆସୁଛି କିନ୍ତୁ ସରକାର କର୍ଣ୍ଣପାତ କରୁନାହାନ୍ତି । ଯଦି ଜନସଂଖ୍ୟାର ୫୦ ପ୍ରତିଶତ ଜନତାଙ୍କ ସୁରକ୍ଷା ସମସ୍ୟା ନୁହେଁ ତ ଆଉ କ’ଣ ହୋଇପାରେ । କଂଗ୍ରେସ ନେତାମାନେ ଗାଁ ଗାଁ ୱାର୍ଡ ୱାର୍ଡ ଯାଆନ୍ତୁ ବିଜୁଳି, କୃଷକ, ବେରୋଜଗାରୀ, ନାରୀ ନିର୍ଯାତନା ବିଷୟରେ ଆଲୋଚନା କରନ୍ତୁ । ମୁଁ କଂଗ୍ରେସ ନେତାମାନଙ୍କୁ ଆହ୍ୱାନ ଦେଉଛି ୧୦ ଗୋଟି ୱାର୍ଡରେ ଅତି କମରେ ଅନ୍ତତଃ ୨୦୦ ଜଣ କଂଗ୍ରେସ କର୍ମୀ ଓ ନେତା ସାମିଲ କରିବେ । ଯୁବକ, ଯୁବତୀ, ମହିଳା, ଅବସରପ୍ରାପ୍ତ କର୍ମଚାରୀ ଏଭଳି ସମସ୍ତେ ସାମିଲ ଥିବେ । କଂଗ୍ରେସ ଅଲବତ ଗଢ଼ାହେବ । ଜନତାଙ୍କୁ ନ୍ୟାୟ ଦେବାକୁ ହେଲେ ସୈନିକ ଗଢ଼ିବାକୁ ପଡ଼ିବ । ଯୁବ, ମହିଳା, ଛାତ୍ର, କଂଗ୍ରେସ ଏବଂ ଦଳକୁ ଶକ୍ତିଶାଳୀ କରିବାକୁ ପଡ଼ିବ । ଯଦି ଆମେ କଂଗ୍ରେସ ପାଇଁ କାମ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ । ବର୍ତ୍ତମାନ ରାଜ୍ୟର ଲୋକେ କଂଗ୍ରେସ ମୁହାଁ । କାରଣ କଂଗ୍ରେସ ସାଧାରଣ ଲୋକଙ୍କ ସ୍ୱାର୍ଥର ବିଷୟ ଉତ୍ଥାପନ କରୁଛି । ରାଜରାସ୍ତାରେ ଆନ୍ଦୋଳନ କରୁଛି । କଂଗ୍ରେସ ସରକାର ଆସିବ କିନ୍ତୁ ଆପଣମାନେ ଏକଜୁଟ ନହେଲେ ଆସିବ ନାହିଁ । ନିଜ ଭିତରେ ଏକତା ରକ୍ଷାକରି ଲୁଟ କରୁଥିବା ସରକାର ଓ ଏମାନଙ୍କ କଲେକ୍ଟର, ଏସପି ଏବଂ ଅଧିକାରୀଙ୍କ ସାମନାରେ ସାହାସର ସହ ଛିଡ଼ା ହୁଅନ୍ତୁ । ଯେତେବେଳେ ମୋ ଭଳି ଯୋଦ୍ଧା ଭୂମିରେ ପାଦ ରଖନ୍ତି ସେତେବେଳେ ସାରା ଭୂମି ଯୋଦ୍ଧାର ହୋଇଯାଏ । ଏ ଭୂମିର ସମସ୍ତ ଜନତା ପାହାଡ଼, ଜଙ୍ଗଲ, ବୃକ୍ଷଲତା ସମସ୍ତଙ୍କୁ ନିଜର ବୋଲି ହୃଦୟରେ ଚିନ୍ତା କରୁଥିବା ବ୍ୟକ୍ତି ହେଉଛନ୍ତି ପ୍ରକୃତ ଯୋଦ୍ଧା । ଆମେ ଟଙ୍କା ଖର୍ଚ୍ଚ କରି ସଭା ସମିତି, ରାଲି ଆଦି କରି ରାଉରକେଲା ଜନତାଙ୍କ ବିଶ୍ୱାସ ଭାଜନ ହୋଇପାରିବା ନାହିଁ । ଆମକୁ ଲୋକଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ତାଙ୍କ ସମସ୍ୟା ଓ ଅସୁବିଧାକୁ ନେଇ ସ୍ୱର ଉତ୍ତୋଳନ ଏବଂ ସାଂଗଠନିକ କାର୍ଯ୍ୟକଲେ ରାଉରକେଲାବାସୀଙ୍କ ବିଶ୍ୱାସ ନିଶ୍ଚୟ କଂଗ୍ରେସ ଉପରେ ଦୃଢ଼ିଭୂତ ହେବ । କାଲି କ’ଣ ହେବ ସେକଥା ଚିନ୍ତା ଛାଡ଼ନ୍ତୁ ଆଜି ପାଇଁ କାମ କରନ୍ତୁ । କ୍ରିୟାଶୀଳ ହୁଅନ୍ତୁ । ରାଉରକେଲା ସ୍ମାର୍ଟସିଟି ଘୋଷଣା ହୋଇଥିଲା, ଥରେ ହଜାରେ କୋଟି ଏବଂ ପୁଣି ଥରେ ୫ ହଜାର କୋଟି ଖର୍ଚ୍ଚ ହୋଇ ସାରିଲାଣି । କିନ୍ତୁ କହନ୍ତୁ ରାଉରକେଲାର କ’ଣ ପରିବର୍ତ୍ତନ ହୋଇଛି । ରାଉରକେଲା ମହାନଗର ନିଗମ ଘୋଷଣା ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ନିର୍ବାଚନ ହୋଇପାରିଲା ନାହିଁ । ରାଉରକେଲା ପ୍ରତି କେବଳ ଅନ୍ୟାୟ ହୋଇଛି । ଲୋକେ ପ୍ରଦୁଷିତ ପାଣି ପିଉଛନ୍ତି । ଭୁବନେଶ୍ୱରର ସମସ୍ତ ନେତାଙ୍କ ବ୍ୟବସାୟ ରାଉରକେଲାରେ ଚାଲୁଛି, ସେମାନଙ୍କ ବ୍ୟବସାୟରେ ମତଲବ ଲୋକଙ୍କ ସହିତ କିଛି ଲେନଦେନ ନାହିଁ । ଜଣେ ଆଇଏସ ଅଫିସରକୁ ବସାଇ ମହାନଗର ନିଗମର ପଇସା ଲୁଟ କରାଯାଉଛି । କିନ୍ତୁ ଦିନ ଆସିବ ଏସବୁର ହିସାବ ହେବ । ଯୁବ କଂଗ୍ରେସ ଏବଂ ଛାତ୍ର କଂଗ୍ରେସକୁ ମୁଁ ଆହ୍ୱାନ ଦେଉଛି ସେମାନେ ୧୫ ଦିନ ଅକ୍ଳାନ୍ତ ପରିଶ୍ରମ କରି ୫ଶହ ଲେଖାଏ କର୍ମକର୍ତ୍ତା କଂଗ୍ରେସରେ ସାମିଲ କରିବେ । କଂଗ୍ରେସ ନିଶ୍ଚୟ ମଜବୁତ ହେବ ବୋଲି ସଭାରେ ଶ୍ରୀ ଦାସ ନିଜ ବକ୍ତବ୍ୟ ରଖିଥିଲେ ।
ଓଡ଼ିଶା କଂଗ୍ରେସ ପ୍ରଭାରୀ ଶ୍ରୀ ଅଜୟ କୁମାର ଲଲ୍ଲୁ ଟାଟାପାୱାର ଓ ସରକାର କିପରି କୋଳାକୋଳି ହୋଇ ଲୋକଙ୍କୁ ବିଜୁଳି ନାମରେ ଲୁଟ କରୁଛି, କୃଷକଙ୍କୁ ଅଧିକାରରୁ ବଞô୍ଚତ କରୁଛି ଏବଂ ମନରେଗା ଉଚ୍ଛେଦ କରି ଗରିବ ଜନତା ଓ ଶ୍ରମିକଙ୍କ ପେଟରେ ଲାତ ମାରୁଛି ପ୍ରକାଶ କରିଥିଲେ ।ଏହି ସାଧାରଣ ସଭାରେ ରାଉରକେଲା କଂଗ୍ରେସ ସଭାପତି ସବିର ହୁସେନ, ରାଜ୍ୟ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ମାନସ ମଲ୍ଲିକ, ସାଧାରଣ ସଂପାଦକ ବିଜୟାନନ୍ଦ ଚାଉଳିଆ, ଯୁବକଂଗ୍ରେସର ଗଣେଶ ବାବୁ ଏବଂ କୃଷ୍ଣବାବୁ, ପିସିସି ସମ୍ପାଦକ ଅମିତା ବିଶ୍ୱାଳ, ସସ୍ମିତା ପଣ୍ଡା ଏବଂ ଅନିମା ମିଞ୍ଜ, ସାଧାରଣ ସମ୍ପାଦକ ପ୍ରୋଟୋକଲ ପ୍ରଦୀପ ମହାପାତ୍ର ଏବଂ ରାଉରକେଲା କଂଗ୍ରେସର ଶତାଧିକ କର୍ମକର୍ତ୍ତା ତଥା ସାଧାରଣ ଜନତା ଉପସ୍ଥିତ ଥିଲେ ।










