19.1 C
Bhubaneswar
Sunday, January 18, 2026
Homeଓଡିଶାଅରବିନ୍ଦ ମୋହରା, ଗୁଳି ବିଜୟଙ୍କୁ

ଅରବିନ୍ଦ ମୋହରା, ଗୁଳି ବିଜୟଙ୍କୁ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହଠାତ୍ ଅପ୍ରତ୍ୟାସିତ ଭାବେ ଏଭଳି ଏକ ବାଣ ମାରିଛନ୍ତି ଯାହାକୁ ନେଇ ରାଜ୍ୟ ରାଜନୀତି କିଛିଦିନି ହେଲା ସରଗରମ ହୋଇଚାଲିଛି। ବିଶେଷକରି ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପୁତ୍ର ଜଣେ ଉଚ୍ଚଶିକ୍ଷିତ ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରିବା ଘଟଣାକୁ ନେଇ ସବୁଆଡ଼େ ଚର୍ଚ୍ଚା ଚାଲିଛି। ବିଜେଡିର ନେତାମାନେ ଲଗାତାର ଭାବରେ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ବୟାନ ଦେଇ ଚାଲିଛନ୍ତି। ସେମାନଙ୍କର ମୁଖ୍ୟ ଟାର୍ଗେଟ ହେଉଛନ୍ତି ବିଜୟ ମହାପାତ୍ର। ଅରବିନ୍ଦ କେବଳ ମୋହରା ବନିଛନ୍ତି ବୋଲି କୁହାଯାଉଛି। ବିଜୟ ବିଜେଡିର ସଦସ୍ୟ ନ ହେଲେ ବି ପୁଅକୁ ଦଳରେ ସାମିଲ କରାଇଥିବାରୁ ପରୋକ୍ଷରେ ସେ ଦଳ ସହ ଜଡ଼ିତ ବୋଲି ଭାବି ନିଆଯାଇଥିଲା। ନୂଆ ଦଳ ଗଠନ ନେଇ ଚର୍ଚ୍ଚା ଜୋର୍ ଧରିବା ଓ ୨୦୨୬ରେ ରାଜନୀତିରେ ଅନେକ ନୂଆ ଘଟଣା ଘଟିବ ବୋଲି ବିଜୟ ଗଣମାଧ୍ୟମରେ ବୟାନ ଦେବା ପରେ ନବୀନଙ୍କ କ୍ୟାମ୍ପରେ ଥିବା ତାଙ୍କର ବିରୋଧୀ ଗୋଷ୍ଠୀ ଅଧିକ ସକ୍ରିୟ ହୋଇ ଉଠିଲେ। ସେମାନଙ୍କୁ ବିଜୟ ଗୋଟିଏ ପରେ ଗୋଟିଏ ସୁଯୋଗ ଦେଲେ, ଯେଉଁଥିରେ ପାରିପାଶ୍ୱର୍କ ପରିବେଶ ସୃଷ୍ଟି କରାଗଲା ଯେ ବିଜେଡିରେ ଅସନ୍ତୁଷ୍ଠ ନେତାମାନଙ୍କୁ ବିଜୟ ଏକାଠି କରି ନୂଆ ଦଳ ଗଠନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଯାହାର ପରିମାଣସ୍ୱରୁପ ତାଙ୍କ ପୁଅ ଉପରେ ନବୀନ ଏତେବଡ଼ କାର୍ଯ୍ୟାନୁଷ୍ଠାନ ନେଇ ରାଜନୀତିକ କାର୍ଯ୍ୟଧାରାରେ ଦାଗ ଲଗାଇଲେ। କୁହାଯାଉଛି ଅରବିନ୍ଦଙ୍କ ବିରୋଧରେ ନୁହେଁ ବିଜୟଙ୍କ ବିରୋଧରେ ନବୀନଙ୍କ ତୃତୀୟ କାର୍ଯ୍ୟାନୁଷ୍ଠାନ। ପୂର୍ବରୁ ପ୍ରଥମେ ନବୀନ ଦଳରୁ ନିଲମ୍ବିତ କରିଥିଲେ ପରେ ଟିକେଟ୍ କାଟି ଦୂରେଇ ଦେଇଥିଲେ। ଏବେ ପୁଅ ମାଧ୍ୟମରେ ଆଉ ଏକ ପଦକ୍ଷେପ।

ଗତ କିଛି ମାସ ହେଲା ରାଜ୍ୟ ରାଜନୀତିରେ ଯେଉଁ ସବୁ ଘଟଣାମାନ ଘଟି ଚାଲିଛି ସେଥିରେ ଉଭୟ ବିଜେପି ଓ ବିଜେଡି ଚିନ୍ତାରେ ଅଛନ୍ତି। ବିଶେଷକରି ବିଜେଡି ଅଧିକ ଭୟଭିତ ଅଛି ବୋଲି କୁହାଯାଉଛି। ଦଳ ସରକାରରୁ ଯିବା ପରେ ଜଣଙ୍କ ପରେ ଜଣେ ନେତା ମୁହଁ ଖୋଲି ସାଧାରଣରେ ସମାଲୋଚନା କରିବା ପ୍ରକ୍ରିୟା ବଢ଼ିଚାଲିଛି। କଂଗ୍ରେସରୁ ମହମ୍ମଦ ମୋକିମ୍ ବିଦା ହେବା ପରେ ସେ ନୂଆଦଳ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ଇତିମଧ୍ୟରେ ସେ ରାଜ୍ୟର ବିଭିନ୍ନ ଅସନ୍ତୁଷ୍ଠ ନେତାମାନଙ୍କ ସହ ଯୋଗାଯୋଗ କରିବାରେ ଲାଗିଛନ୍ତି। ବିଜୟ ମହାପାତ୍ରଙ୍କୁ ତାଙ୍କ ବାସଭବନରେ ଭେଟିବା ଏବଂ ପରବର୍ତ୍ତି ସମୟରେ ବିଜୟ ମହାପାତ୍ର ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦିପାଳୀ ଦାସ ଓ ତାଙ୍କ ଭାଇଙ୍କୁ ଏକ ହୋଟେଲ୍‌କୁ ଡ଼ାକି ଆଲୋଚନା କରିଥିଲେ ବୋଲି କୁହାଯାଉଛି। ଏକଥା ବି ଚର୍ଚ୍ଚା ହେଉଛି ଯେ ନୂଆ ଦଳ ଗଠନ ନେଇ ଦିପାଳୀ ଓ ତାଙ୍କ ଭାଇଙ୍କ ସହ ବିଜୟ ଯେଉଁ ଆଲୋଚନା କରିଥିଲେ ସେ ଖବର କୁଆଡ଼େ ଟିକିନିଖି ଭାବେ ବିଜେଡି ଶିବିରରେ ପହଞ୍ôଚଥିଲା। ବିଜୟ ଯେଉଁ ଆଲୋଚନା କରିଥିଲେ ତାହା ପଛର ସତ୍ୟତା କେତେ ରହିଛି ସେ କଥାକୁ କେହି ଯାଞ୍ଚ କରିବାକୁ ନାହିଁ। କିନ୍ତୁ ବିଜୟ ଯେ ନୂଆ ଦଳ ପାଇଁ ଉଦ୍ୟମ ଚଳାଇଥିବା ବିଷୟକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏପରିକି ବିଧାୟକ ସନାତନ ମହାକୁଡ଼ଙ୍କ ସହ ବିଜୟ ଆଲୋଚନା କରିଥିବା କଥା ବି ଚର୍ଚ୍ଚା କରାଯାଉଛି। ବିଜୟ ବିଜେଡିରୁ ଯିବା ପରେ ‘ଓଡ଼ିଶା ଗଣପରିଷଦ’ ନାମରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ ଓ ଗୋଟିଏ ବିଧାନସଭା ଆସନ ଅକ୍ତିଆର୍ କରିବାରେ ସଫଳ ହୋଇଥିଲେ। ଦଳ ଚଳାଇବା ସମ୍ଭବ ନହେବାରୁ ଓ କିଛି ସହଯୋଗୀ ଧୋକା ଦେବାରୁ ଏହା ବିଲୋପ ହୋଇଯାଇଥିଲା। ପୁଣି ଏକ ଆଞ୍ଚଳିକ ଦଳ ଗଠନ କରି ତାକୁ ଛିଡ଼ା କରାଇବା କେତେଦୂର ସମ୍ଭବ ତାହା ବିଜୟ ହିଁ ଭଲଭାବେ ଜାଣିଛନ୍ତି। ସେ ଯାହା ବି ହେଉ ନୂଆ ଆଞ୍ଚଳିକ ଦଳର ‘ଭୂତ’ ନବୀନ ଓ ତାଙ୍କ କୋଟରୀଙ୍କୁ ଖାଉଛି।

କୁହାଯାଉଛି ବିଜୟ ତାଙ୍କ ପୁଅକୁ ବିଜେଡିରେ ସାମିଲ କରି ମସ୍ତବଡ଼ ରାଜନୈତିକ ଅପରାଧ କରିଛନ୍ତି। ନବୀନଙ୍କୁ ଚିହ୍ନିବାରେ ତାଙ୍କ ରାଜନୈତିକ ଅଭିଜ୍ଞତାର କେଉଁଠି ଟିକେ ଫିକା ପଡ଼ିଗଲା। ବିଜେଡି ଗଠନ ପରେ ପ୍ରଥମେ ଏକ ରାଜ୍ୟସଭା ନିର୍ବାଚନ ଆସିଲା। ସେ ସମୟରେ ନବୀନଙ୍କ ଡୁନ୍‌ସ୍କୁଲ୍ ସାଥୀ ଅନଙ୍ଗଉଦୟ ସିଂହଦେଓ ପ୍ରାର୍ଥୀ ହେବା ପାଇଁ ଆଗ୍ରହ ପ୍ରକାଶ କଲେ। କିନ୍ତୁ ବିଜୟ ଓ ତାଙ୍କ ସହଯୋଗୀମାନେ ଚାହୁଁ ନଥିଲେ। ହେଲେ ସାଙ୍କ ହିସାବରେ ନବୀନଙ୍କୁ ପ୍ରଭାବିତ କରି ଅନଙ୍ଗ ଦଳୀୟ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନରେ ସେ ଜିତିପାରିଲେ ନାହିଁ। ବିଜେଡିର କିଛି ବିଧାୟକ କ୍ରଶ୍ ଭୋଟିଂ କରିଥିଲେ। ଯେଉଁଥିପାଇଁ ଅନଙ୍ଗ ଜିତି ପାରି ନଥିଲେ। ଏହି ଘଟଣାରେ ନବୀନ ବିଜୟଙ୍କ ସମେତ ୬ଜଣ ଦଳୀୟ ବିଧାୟକଙ୍କୁ ନିଲମ୍ବିତ କରିଥିଲେ। ପରେ ସମସ୍ତଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲା। ବିଜେଡି ଗଠନ ପରେ ୨୦୦୦ ମସିହାରେ ଦଳ ସାଧାରଣ ନିର୍ବାଚନର ସମ୍ମୁଖିନ ହୋଇଥିଲା। ଦଳ ପକ୍ଷରୁ ଯେଉଁ ଟିକେଟ୍ ବଣ୍ଟ କରାଗଲା ସେଥିରେ ବିଜୟଙ୍କର ବେଶ୍ ଭୂମିକା ଥିଲା। ନବୀନଙ୍କ ଠାରୁ ଟିକେଟ୍ ନେଇ ବିଜୟ ପାଟକୁରାରୁ ଲଢ଼ିବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ନବୀନ ସେ ଟିକେଟ୍‌କୁ ଏପରି ଚତୁରତାର ସହ କାଟିଲେ ଯାହାର ଟିକେ ବି ସୁରାଗ ବିଜୟ ପାଇ ପାରି ନଥିଲେ ଓ ନିର୍ବାଚନ ପ୍ରତିଦ୍ୱନ୍ଦିତାରୁ ଦୂରେଇ ଗଲେ। ପରେ ଦିଲୀପ ରାୟ, ନଳୀନ ମହାନ୍ତିଙ୍କ ନେତାଙ୍କୁ ବି ନବୀନ ଦୂରେଇ ଦେଇଥିଲେ।
ରାଜନୈତିକ ଘଟଣାକ୍ରମେ ଦିଲୀପ ପୁଣି ବିଜେଡିକୁ ଫେରିବା ନେଇ ଏକ ପ୍ରକ୍ରିିୟା ହୋଇଥିଲା। ଦିଲୀପ ଏ ନେଇ ନବୀନଙ୍କ ସହ ଆଲୋଚନା କରିଥିଲେ। ଏହି ମିଶ୍ରଣରେ ବିଜୟଙ୍କ ନାମ ବି ସାମିଲ ଥିଲା। ଦିଲୀପଙ୍କର ନବୀନଙ୍କ ନିକଟରେ ତାଙ୍କ ସହ ବିଜୟଙ୍କ ମିଶ୍ରଣର ସର୍ତ ରହିଥିଲା। ଶେଷ ମୁହୂର୍ତ୍ତରେ ଏହି ମିଶ୍ରଣ ଫେଲ୍ ମାରିଥିଲା। କ’ଣ ପାଇଁ ସବୁ ଯୋଜନା ସତ୍ତ୍ୱେ ମିଶ୍ରଣ ହୋଇପାରିଲା ନାହିଁ, ସେଥିରେ ଜଣାପଡ଼ିଲା ଯେ ନବୀନ ପଟ୍ଟନାୟକ କୌଣସି ପରିସ୍ଥିତିରେ ବିଜୟଙ୍କୁ ସାମିଲ୍ କରାଯିବ ନାହିଁ ବୋଲି ରୋକ୍‌ଠୋକ୍ ମନା କରି ଦେଇଥିଲେ।

ନବୀନ ପଟ୍ଟନାୟକ କୌଣସି ପରିସ୍ଥିରେ ତାଙ୍କୁ ବିଶ୍ୱାସକୁ ନେବେ ନାହିଁ, ଏକଥା ଭଲଭାବେ ଜାଣି ହାଣ ମୁହଁକୁ ପୁଅକୁ ଠେଲି ଦେବାଭଳି ବିଜେଡିରେ ମିଶାଇଥିଲେ ବୋଲି କୁହଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking