ନାଉଗାଁ: ଠିକାଦାରଙ୍କ ଦୁଇ କର୍ମଚାରୀଙ୍କୁ ଜଣେ ଯୁବକ ଦାଦାବଟି ମାଗିଥିବା ବେଳେ ଟଙ୍କା ନମିଳିବାରୁ ଯୁବକ ଜଣକ ସେମାନଙ୍କୁ ଛୁରାରେ ଆକ୍ରମଣ କରିଥିବା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ନାଉଗାଁ ଥାନା ଅନ୍ତର୍ଗତ କୋରୁଅ ପଞ୍ଚାୟତ ବାଉଁଶଜୋରିରୁ ସାଧୁଗୋସ୍ୱାମୀ ଦେଇ ନନ୍ଦିଗ୍ରାମ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଛି। ଉକ୍ତ କାର୍ଯ୍ୟ ନିକଟରେ ଥିବା ଠିକାଦାରଙ୍କ ଦୁଇ କର୍ମଚାରୀ କୋରୁଅ ବାଲିଗାଁ ଅଞ୍ଚଳର ସୁଶୀଲ କୁମାର ପରିଡା ଓ ସାଇଣ୍ଟୋ ଅଞ୍ଚଳର ସଞ୍ଜୟ ଭୋଇଙ୍କୁ କୋରୁଅ ଗ୍ରାମର ଲିଟୁ ସ୍ୱାଇଁ ଓ ରାଜା ପଲେଇ ନାମକ ଦୁଇ ଯୁବକ ୫ଲକ୍ଷ ଟଙ୍କା ଦାଦାବଟି ମାଗିବା ସହିତ ଟଙ୍କା ନଦେଲେ ସେମାନଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ଏମିତିକି ପରବର୍ତ୍ତି ମୁହୂର୍ତ୍ତରେ ଟଙ୍କା ନମିଳିବାରୁ ଏକ ଧାରୁଆ ଛୁରୀ ସାହାଯ୍ୟରେ ସେମାନଙ୍କୁ ଜୀବନରୁ ମାରିଦେବା ଆକ୍ରମଣ ମଧ୍ୟ କରିଥିଲେ। ଯାହା ଫଳରେ ଉକ୍ତ ଦୁଇ କର୍ମଚାରୀଙ୍କୁ ଗଭୀର ଆଘାତ ଲାଗି ରକ୍ତସ୍ରାବ ହେଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିି କରାଯାଇଥିଲା। ଏବଂ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଲିଟୁ ସ୍ୱାଇଁଙ୍କୁ କାବୁ କରି ଗାରୋଇ ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେବା ପରେ ଘଟଣାସ୍ଥଳରେ ଫାଣ୍ଡି ଅଧିକାରୀ ପହଞ୍ôଚ ଲିଟୁକୁ ଆଣି ନାଉଗାଁ ଥାନାରେ ଅଟକ ରଖିଥିଲେ। ଏହି ଘଟଣାକୁ ଆଧାର କରି ଠିକାଦାର ରଘୁନାଥ କାଣ୍ଡି ସଂପୃକ୍ତ ଦୁଇ ଯୁବକଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଥାନାରେ ଅଟକ ଥିବା ଲିଟୁ ସ୍ୱାଇଁଙ୍କ ମାଆ ମଧ୍ୟ ଏକ ପାଲଟା ଅଭିଯୋଗ କରିଥିବା ଜଣାଯାଇଛି। ତେବେ ଉଭୟ ଘଟଣାକୁ ଆଧାର କରି ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଏହି ଘଟଣାରେ ସଂପୃକ୍ତ ଥିବା ଲିଟୁ ଓ ରାଜା ପୂର୍ବରୁ ବିଭିନ୍ନ ଅସାମାଜିକ ଘଟଣାରେ ସଂପୃକ୍ତ ଥିବାବେଳେ ସବୁବେଳେ ଗ୍ରାମବାସୀଙ୍କୁ ଆତଙ୍କିତ କରୁଥିବା ନେଇ ଗ୍ରାମବାସୀମାନେ ଗାରୋଇ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣାର ପ୍ରକୃତ ତଦନ୍ତ କରାଯିବା ସହ ପଦାରେ ବୁଲୁଥିବା ଯୁବକକୁ ତୁରନ୍ତ ଗିରଫ କରିବା ଦାବିରେ ୫୦ରୁ ଊର୍ଦ୍ଧ୍ୱ ଲୋକେ ଫାଣ୍ଡି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।










