ନୂଆଦିଲ୍ଲୀ: ବର୍ଷ ୨୦୨୫ର ଅନ୍ତିମ ମାସ ଅର୍ଥାତ୍ ଡିସେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ପୂର୍ବ ମାସ ତୁଳନାରେ ୧.୩୩%କୁ ବୃଦ୍ଧି ପାଇଛି, ଯାହା ଗତ ତିନି ମାସ ମଧ୍ୟରେ ସର୍ବୋଚ୍ଚ ହାର। ପୂର୍ବରୁ, ନଭେମ୍ବରରେ ଏହା ୦.୭୧% ଏବଂ ଅକ୍ଟୋବରରେ ଏହା ୦.୨୫% ଥିଲା, ଯାହା ୧୪ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର ବୋଲି ବିବେଚନା କରାଯାଇଥିଲା। ଯେତେବେଳେ କି ଗତ ସେପ୍ଟେମ୍ବରରେ ଏହା ୧.୪୪% ଥିଲା। ତେବେ ଡାଲି, ପନିପରିବା, ମାଂସ, ମାଛ, ଅଣ୍ଡା ଏବଂ ବିଦ୍ୟୁତ୍ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଚାହିଦା ଆଧାରରେ ବର୍ଦ୍ଧିତ ମୂଲ୍ୟ ଯୋଗୁଁ ଡିସେମ୍ବରରେ ମୁଦ୍ରାସ୍ଫୀତି ବୃଦ୍ଧି ପାଇଥିବା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।
ସୋମବାର, ଜାନୁଆରୀ ୧୨ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାସିକ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ରିପୋର୍ଟକୁ ସାର୍ବଜନୀନ କରିଛନ୍ତି। ଏଥିରେ ଖାଦ୍ୟ ପଦାର୍ଥର ଦର ହ୍ରାସ ପ୍ରକ୍ରିୟା ମନ୍ଥର ହେବା କାରଣରୁ ମୁଦ୍ରାସ୍ଫୀତିରେ ଏହି ବୃଦ୍ଧି ଘଟିଥିବା ଦର୍ଶାଯାଇଛି। ସେହିପରି ଗତ ନଭେମ୍ବରରେ ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ୦.୧୦% ରୁ ୦.୭୬%କୁ ବୃଦ୍ଧି ପାଇଥିବା ବେଳେ ସହରାଞ୍ଚଳ ମୁଦ୍ରାସ୍ଫୀତି ୧.୪୦% ରୁ ୨.୦୩% କୁ ବୃଦ୍ଧି ପାଇଥିବା ଦର୍ଶାଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଥିବାରୁ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ଗତିଶୀଳ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗତ ମାସରେ ସୁଧ ହାରରେ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଥିଲା। ଚଳିତ ଆର୍ôଥକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୭.୪% ରହିବ ବୋଲି ଅନୁମାନ କରାଯାଉଛି। ଭାରତରେ ବର୍ତ୍ତମାନର ସିପିଆଇ ସିରିଜ୍ ୨୦୧୨ର ଏକ ମୂଳ ବର୍ଷ ଉପରେ ଆଧାରିତ। ଏହାର ଅର୍ଥ ହେଉଛି ୨୦୧୨ ମୂଲ୍ୟକୁ ୧୦୦ ଭାବରେ ବିଚାର କରି ତୁଳନା କରାଯାଏ। ପୂର୍ବରୁ, ୨୦୧୦ କିମ୍ବା ୧୯୯୩-୯୪ ର ସିରିଜ୍ ଥିଲା, କିନ୍ତୁ ତଥ୍ୟ ସଠିକ୍ ରଖିବା ପାଇଁ ସମୟ ସହିତ ଏଗୁଡ଼ିକୁ ଅପଡେଟ୍ କରାଯାଏ। ପ୍ରତ୍ୟେକ ନୂତନ ସିପିଆଇ ସିରିଜ୍ରେ ମୂଳ ବର୍ଷ ପରିବର୍ତ୍ତନ ହୋଇଥାଏ। ପ୍ରକାଶ, ସିପିଆଇ ସିରିଜ୍ର ଅର୍ଥ ଉପଭୋକ୍ତା ମୂଲ୍ୟ ସୂଚକାଙ୍କଯୁକ୍ତ ସିରିଜ୍। ଏହା ହେଉଛି ସରକାରଙ୍କ ମୁଦ୍ରାସ୍ଫୀତି ମାପିବାର ସରଳ ଉପାୟ। ମୂଳ ବର୍ଷ ସହିତ ତୁଳନା କରି ମୁଦ୍ରା ସ୍ଫୀତି ହାର ହିସାବ କରାଯାଇଥାଏ। ଏଥିରୁ କ୍ଷୀର, ପନିପରିବା, ପେଟ୍ରୋଲ ଭଳି ଦୈନନ୍ଦିନ ଜିନିଷ କେତେ ମହଙ୍ଗା କିମ୍ବା ଶସ୍ତା ହେଉଛି ତାହାର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଥାଏ।









