ଭୁବନେଶ୍ୱର: କୋଟିଆ ସମ୍ପର୍କିତ ବିଭିନ୍ନ ବିଷୟକୁ ନେଇ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଭାଗୃହରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରି କୋଟିଆର ଲୋକମାନଙ୍କର ହୃଦୟ ଜିଣିବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍ତି l ବୈଠକରେ ସୂଚନା ଦିଆଯାଇଛି ଯେ, ପ୍ରାୟ ଦଶହଜାରରୁ ଉର୍ଦ୍ଧ୍ଵ ଜନସଂଖ୍ୟା ବିଶିଷ୍ଟ କୋଟିଆ ଗ୍ରାମପଞ୍ଚାୟତରେ ପୂର୍ବରୁ ସରକାରଙ୍କ ପକ୍ଷରୁ ବିଭିନ୍ନ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ ହୋଇଛି l କୋରାପୁଟର ଉପଜିଲ୍ଲାପାଳ ବର୍ତ୍ତମାନ କୋଟିଆର ନୋଡାଲ୍ ଅଫିସର୍ ଭାବେ କାର୍ଯ୍ୟ କରୁଛନ୍ତି l ତେବେ, କୋଟିଆରେ ଜଣେ ଓଏଏସ୍ ଅଫିସରଙ୍କୁ ଓଏସଡି ଭାବେ ନିଯୁକ୍ତ କରିବାକୁ ପଦକ୍ଷେପ ନିଆଯାଇଛି l ଜିଲ୍ଲାପାଳଙ୍କ ‘ବିକଶିତ କୋଟିଆ’ ଯୋଜନା ଆଧାରରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ମହିଳା ଓ ଯୁବକମାନଙ୍କୁ ବିଶେଷ ତାଲିମ୍ ପ୍ରଦାନ କରାଯାଇ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇବା ପାଇଁ ସୁଯୋଗ ସୃଷ୍ଟି କରାଯାଇଛି l ଓଡିଶା ଆଦର୍ଶ ବିଦ୍ୟାଳୟରେ କୋଟିଆର ଛାତଛାତ୍ରୀଙ୍କ ପ୍ରବେଶ ପାଇଁ ପ୍ରବେଶିକା ପରୀକ୍ଷାର ନିୟମ କୋହଳ କରିବା ବିଚାରଧିନ ଅଛି l ଏହି ପରିପ୍ରେକ୍ଷୀରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ପରେ ଅଧିକ ଗୁଣାତ୍ମକ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ୱରରେ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l ଆଗାମୀ ଶିକ୍ଷାବର୍ଷ ପୂର୍ବରୁ କୋଟିଆର ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରାବାସ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ l
କୋଟିଆ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସୁଗମ କରିବା ନିମନ୍ତେ ଜନଔଷଧି କେନ୍ଦ୍ର, ନିୟମିତ ସ୍ୱାସ୍ଥ୍ୟ ଶିବିର ଆଦି ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି l ତେବେ କୋଟିଆରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୂପାନ୍ତରଣ ସହ ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତି ଏବଂ ଭେଷଜ ବିଶେଷଜ୍ଞ ଡାକ୍ତରଙ୍କ ନିଯୁକ୍ତି ପାଇଁ ପଦକ୍ଷେପ ନେବାକୁ ରାଜସ୍ୱ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l କୋଟିଆରେ ନିୟୋଜିତ ଥିବା ମୋବାଇଲ୍ ହେଲଥ କେୟାର ସର୍ଭିସର ସଫଳତା ବାବଦରେ ରାଜସ୍ୱ ମନ୍ତ୍ରୀ ଅବଗତ ହୋଇଥିଲେ l କୋଟିଆ ଏବଂ ଦେଓମାଳିକୁ ରାସ୍ତା ସଂଯୋଗ କାର୍ଯ୍ୟର ଅଗ୍ରଗତି କାର୍ଯ୍ୟକୁ ସମୀକ୍ଷା କରିବା ସହ ଯଥା ସମୟରେ ତାହାକୁ ସମାପ୍ତ କରିବା ନିମନ୍ତେ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l ଓଡ଼ିଶାର କାଶ୍ମୀର ଦେଓମାଳିକୁ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ସମୃଦ୍ଧ କରିବା ନିମନ୍ତେ ସମସ୍ତ ବିକାଶମୂଳକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l ଗଞ୍ଜେଇପଦର ଏବଂ ଦେଓମାଳିଠାରେ ଜଗନ୍ନାଥ ମନ୍ଦିରର ନବୀକରଣ ସହ ଆଗାମୀ ରଥଯାତ୍ରା ଅଧିକ ବର୍ଣ୍ଣାଢ୍ୟ ଭାବେ ପାଳନ କରିବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ l
କୋଟିଆ ଅଞ୍ଚଳରେ ମହୁମାଛି ପାଳନ,ମାଣ୍ଡିଆ ଚାଷ, ପନିପରିବା ଚାଷ, ତେନ୍ତୁଳି, ଷ୍ଟ୍ରବେରୀ , ଡ୍ରାଗନ୍ ଫ୍ରୁଟ୍ସ ଓ ହଳଦୀ ଚାଷର ବ୍ୟାପକ ବିକାଶ ସହ ସ୍ଵୟଂସହାୟକ ଗୋଷ୍ଠୀମାନଙ୍କର ଦକ୍ଷତା ବୃଦ୍ଧି କରି ସେମାନଙ୍କୁ ଅଧିକ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l ଏହି ବୈଠକରେ କୋରାପୁଟ ଜିଲ୍ଲାପାଳଙ୍କୁ କୋଟିଆର ସାମଗ୍ରିକ ବିକାଶ ନିମନ୍ତେ ଆବଶ୍ୟକୀୟ ସମସ୍ତ ସହଯୋଗ ଯୋଗାଇ ଦେବାକୁ ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନଙ୍କୁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l କୋଟିଆ ଅଞ୍ଚଳକୁ ପରିଦର୍ଶନରେ ଯାଇ ସେଠାରେ ରାତ୍ରରହଣି ସହ ସେଠାକାର ପରିସ୍ଥିତି ବ୍ୟକ୍ତିଗତ ଭାବେ ଅନୁଭବ କରିବା ନିମନ୍ତେ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ l
ବୈଠକରେ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରିଶ ଏସ୍. ଏନ୍., ଆଇନ୍ ବିଭାଗର ପ୍ରମୁଖ ଶାସନ ସଚିବ ଡ଼. ପବିତ୍ର ମୋହନ ସାମଲ, ମହିଳା ଏବଂ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡ଼. ଏନ୍. ତିରୁମାଲା ନାଏକ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଡି. ପ୍ରଶାନ୍ତ କୁମାର ରେଡ୍ଡୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମଧୁସ୍ମିତା ସାହୁଙ୍କ ସମେତ ଅନ୍ୟାନ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାଉଥ୍ – ୱେଷ୍ଟର୍ଣ୍ଣ୍ ଡିଆଇଜି, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ, ଏସପି, ପଟ୍ଟାଙ୍ଗୀର ବିଡିଓ, ପଟ୍ଟାଙ୍ଗୀର ତହସିଲଦାର, ବନଖଣ୍ଡ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଥାନା ଆଇଆଇସି, କୋଟିଆ ଗ୍ରାମପଞ୍ଚାୟତର ସରପଞ୍ଚ ଏହି ବୈଠକରେ ଉପସ୍ଥିତ ଥିଲେ l ମନ୍ତ୍ରୀ ଶ୍ରୀ ପୂଜାରୀ ବ୍ୟକ୍ତିଗତ ଭାବେ ସଭିଙ୍କ ସହ କଥାବାର୍ତ୍ତା ହୋଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହେବା ସହ ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ l










