ଭୁବନେଶ୍ୱର: ଆସନ୍ତାକାଲି ଚାନ୍ଦବାଲି ବନ୍ଦ ଡାକରା ଦେଲା ବିଜେଡି ଓ କଂଗ୍ରେସ । ସକାଳ ୬ରୁ ଦିନ ୧୨ଟା ଯାଏଁ ଚାନ୍ଦବାଲି ବ୍ଲକରେ ବନ୍ଦ ଡାକରା । ଏନେଇ ବିଧାୟକ ବ୍ୟୋମକେଶ ରାୟ, କଂଗ୍ରେସ ନେତା ଦିଗମ୍ବର ଦାସଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଚାନ୍ଦବାଲିରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ଚାନ୍ଦବାଲି ବନ୍ଦ ଡାକରା ଦେଇଛି ବିଜେଡି ଓ କଂଗ୍ରେସ । ଅନ୍ୟପଟେ, ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନାଥାଉକି, ଗତକାଲି ଛାତ୍ରୀ ଜଣଙ୍କ ସ୍କୁଲକୁ ଯାଇଥିବା ବେଳେ ଅପରାହ୍ମ ୨ଟା ସମୟରେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ଝିଅକୁ ପାଇନଥିଲେ । ତେବେ ଛାତ୍ରୀଙ୍କ ମୃତଦେହ ଏକ ନିଛାଟିଆ ଜାଗାରେ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ । ତାଙ୍କ ଝିଅକୁ କେହି ଜଣେ ଦୁଷ୍କର୍ମ କରି ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ପୋଲିସ ପାଖରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଜଗତସିଂହପୁରରୁ ଧରିଛି । ଏପଟେ ଝିଅକୁ ନ୍ୟାୟ ଦାବିରେ ଭଦ୍ରକର ୩ଟି ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ ।
ଚାନ୍ଦବାଲି ପ୍ରସଙ୍ଗ: ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ










