ଗୁଆହାଟୀ, କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଆସାମ ଗସ୍ତରେ ଯାଇ ଶନିବାର ଗୁଆହାଟୀ ଠାରେ ପହଞ୍ôଚଛନ୍ତି। ପହଞ୍ôଚବା ପରେ ମୋଦୀଙ୍କୁ ଏଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ମୋଦୀ ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦୀ ବିରୋଧୀ କଂଗ୍ରେସକୁ ଶାଣିତ କଟାକ୍ଷ କରିବା ଦେଖିବାକୁ ମିଳିଛି। ମୋଦୀ କହିଛନ୍ତି ଯେ, କଂଗ୍ରେସ ସଦାସର୍ବଦା ଆସାମ ବିରୋଧୀ କାମ କରିଆସୁଥିଲା। କଂଗ୍ରେସ ଏଠାରେ କେବଳ ନିଜ ଭୋଟ୍ ବ୍ୟାଙ୍କ୍ ରାଜନୀତି ହିଁ ଚଳାଇବାକୁ ଚାହୁଁଥିଲା। ଯାହାଫଳରେ ଅନୁପ୍ରବେଶକାରୀଙ୍କୁ ଏଠାରେ ପ୍ରବେଶ ଅନୁମତି ଦିଆଯାଉଥିଲା, ଯାହାଦ୍ୱାରା ଏଠାକାର ଭୌଗୋଳିକ ସ୍ଥିତିରେ ପରିବର୍ତ୍ତନ ହୋଇପାରିବ। କିନ୍ତୁ ଏହାଦ୍ୱାରା ସମ୍ପୂର୍ଣ୍ଣ ଆସାମର ସୁରକ୍ଷା ଏବଂ ପରିଚୟ ଉପରେ ବିପଦ ସୃଷ୍ଟି ହୋଇଥିଲା। କିନ୍ତୁ ଆସାମବାସୀ କଂଗ୍ରେସକୁ ପ୍ରତ୍ୟାଖାନ କରିବା ପୂର୍ବକ ବିଜେପିକୁ ଶାସନ କ୍ଷମତା ଦେଇଛନ୍ତି। ସମ୍ପ୍ରତି ଆସାମ୍ରେ ଡବଲ୍ ଇଞ୍ଜିନ୍ ସରକାରର ଏକ ଶକ୍ତିଶାଳୀ କାର୍ଯ୍ୟଦକ୍ଷତା ଦେଖିବାକୁ ମିଳୁଛି। ବିଜେପି ସରକାର ଏବେ କଂଗ୍ରେସ କରିଥିବା ଭୁଲ୍, ତ୍ରୁଟିକୁ ସୁଧାରିବା କାର୍ଯ୍ୟ କରୁଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ତାଙ୍କ ସରକାର ଆସାମ୍କୁ ବିଦେଶୀ ଶକ୍ତିର ପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ ଅତ୍ୟନ୍ତ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ଯେଉଁମାନେ ଏଠାକୁ ଅନୁପ୍ରବେଶକାରୀ ସାଜିଥିଲେ ସେମାନଙ୍କୁ ଏବେ ଜଣ ଜଣ କରି ଚିହ୍ନଟ କରାଯାଇ ଆସାମରୁ ବିଦା କରାଯାଉଛି। ତେବେ କେବଳ ଆସାମ୍ ନୁହେଁ ବରଂ ସମଗ୍ର ପୂର୍ବୋତ୍ତର ରାଜ୍ୟରେ ଏବେ ହିଂସା, ଦଙ୍ଗା ବଦଳରେ ଟେକ୍ନୋଲୋଜିର ନୂଆ ସମ୍ଭାର ଦେଖିବାକୁ ମିଳୁଛି। ଆସାମ ଏବେ ଭାରତର ଇଷ୍ଟର୍ଣ୍ଣ ଗେଟ୍-ୱେ ଭାବେ ଉଭା ହେଉଛି। ଆସାମରେ ଏବେ ବିନା କୌଣସି ହେରଫେରରେ ଯୁବପିଢ଼ିଙ୍କୁ ନିଯୁକ୍ତି ମିଳୁଛି।
ନିଜ ଆସାମ ଗସ୍ତର ପ୍ରଥମ ଦିନରେ ମୋଦୀ ଗୁଆହାଟୀ ଠାରେ ଲୋକପ୍ରିୟ ଗୋପୀନାଥ ବୋରଦୋଲୋଇ ଅନ୍ତର୍ଜାତୀୟ ଏୟାରପୋର୍ଟର ନୂଆ ଟର୍ମିନାଲ ବିଲ୍ଡିଂର ଉଦ୍ଘାଟନ କରିଛନ୍ତି। ଏହା ଦେଶର ପ୍ରଥମ ନେଚର (ପ୍ରକୃତି) ଥିମ୍ ବିଶିଷ୍ଟ ଏୟାରପୋର୍ଟ ଟର୍ମିନାଲ୍ ସାଜିଛି। ଏହି ଟର୍ମିନାଲର ଥିମ ବାଉଁସ ଉଦ୍ୟାନ ଉପରେ ପର୍ଯ୍ୟବେସିତ ରହିଛି। ଟର୍ମିନାଲ ବିଲ୍ଡିଂ ଉଦ୍ଘାଟନ ପରେ ପରେ ମୋଦୀ ଏଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରିପ୍ରେକ୍ଷୀରେ ଉପରୋକ୍ତ ଭାଷଣ ରଖିଛନ୍ତି। ସେହିପରି ଆସନ୍ତା କାଲି (ରବିବାର) ମୋଦୀ ଆସାମ୍ ପାଇଁ ୧୫,୬୦୦ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ତଥା ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।
ମୋଦୀ ଆଜି ଆସାମ ଗସ୍ତରେ ଯିବା ପୂର୍ବରୁ ପ୍ରଥମେ କୋଲକାତା ଗସ୍ତ କରିଥିଲେ। କିନ୍ତୁ ତାଙ୍କ କାର୍ଯ୍ୟକ୍ରମ ପାଇଁ ଧାର୍ଯ୍ୟ ସ୍ଥାନ ନଦିଆ ଜିଲ୍ଲାର ରାଣାଘାଟ ପର୍ଯ୍ୟନ୍ତ ସେ ଯାଇପାରିନଥିଲେ। ଘନ କୁହୁଡି ଯୋଗୁ ତାଙ୍କ ବିମାନ କାର୍ଯ୍ୟକ୍ରମ ସ୍ଥଳକୁ ଉଡାଣ ଭରିପାରିନଥିଲା। ଫଳରେ ମୋଦୀ ଭର୍ଚ୍ଚୁଆଲ ମୋଡ୍ ଯୋଗେ ଏୟାରପୋର୍ଟରୁ ନଦିଆ ଜିଲ୍ଲାର ରାଣାଘାଟର କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ମୋଦୀ ପଶ୍ଚିମବଙ୍ଗବାସୀଙ୍କୁ ସମ୍ବୋଧିତ କରି କହିଥିଲେ ରାଜ୍ୟର ବିକାଶ ପାଇଁ ପାଣ୍ଠିର ଅଭାବ ନାହିଁ କିନ୍ତୁ ସ୍ଥାନୀୟ ସରକାର କେବଳ କଟ୍ (ଲାଞ୍ଚ) ଏବଂ କମିଶନ୍ ନେବାରେ ବ୍ୟସ୍ତ ରହିଛନ୍ତି। ଟିଏମ୍ସି ସରକାର କେବଳ ନିଜ ଭୋଟ୍ବ୍ୟାଙ୍କ୍କୁ ସୁରକ୍ଷିତ ରଖିବାକୁ ଏସ୍ଆଇଆର୍ ପ୍ରକ୍ରିୟାକୁ ବିରୋଧ କରୁଥିବା ମୋଦୀ କହିଛନ୍ତି। ମୋଦୀଙ୍କ କହିବାନୁସାରେ ରାଜ୍ୟ ସରକାର ଅନୁପ୍ରବେଶକାରୀଙ୍କୁ ପ୍ରବେଶ ଅନୁମତି ଦେଇ ସେମାନଙ୍କୁ ନିଜ ଭୋଟ୍ବ୍ୟାଙ୍କ୍ ଭାବେ ବ୍ୟବହାର କରିବାକୁ ଚାହୁଁଛି। ଏଭଳି ସରକାର ପ୍ରତି ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗବାସୀଙ୍କୁ ଆହ୍ୱାନ କରିଛନ୍ତି। ସେହିପରି ବିହାରର ନିର୍ବାଚନ ଫଳାଫଳ ପଶ୍ଚିମବଙ୍ଗରେ ମଧ୍ୟ ବିଜେପିର ବିଜୟକୁ ସୁନିଶ୍ଚିତ କରିଦେଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।










