ଭୁବନେଶ୍ୱର: ହାଡଭଙ୍ଗା ଶୀତରେ ଥରୁଛି ଓଡିଶା । ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ତଳକୁ ଖସିଯାଇଛି । ମୟୂରଭଞ୍ଜର ଶିମିଳିପାଳ ଜାତୀୟ ଉଦ୍ୟାନ ଅନ୍ତର୍ଗତ ଉପର ବାରକାମୁଡା ଅଞ୍ଚଳରେ ସର୍ବନିମ୍ନ ୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଏହି ସମୟରେ ଗୁଡଗୁଡିଆରେ ୬ ଡିଗ୍ରୀ ଓ ବରେଇପାଣିରେ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ଓଡିଶାରେ ୧୦ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ରାତିର ସର୍ବନିମ୍ନ ତାପମାତ୍ରା ୪.୪° ସେଲସିୟସ୍ ଥିଲା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୫ ରୁ ୬ ଡିଗ୍ରୀ ସେଲସିୟସ୍ କମ୍ ରହିଛି । ଦକ୍ଷିଣ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୪ ଡିଗ୍ରୀ କମ୍ ରହିଛି । ଆଜି ଅନୁଗୁଳ, ଖୋର୍ଦ୍ଧା, ଝାରସୁଗୁଡ଼ା ଏବଂ ଜଗତସିଂପୁର ଚାରିଟି ଜିଲ୍ଲାରେ ଶୀତ ଲହରୀ ପାଇଁ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ଆଗାମୀ ୩ ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । କେତେକ ସ୍ଥାନରେ ପ୍ରବଳ ଥଣ୍ଡା ସହିତ ଶୀତ ଲହରୀ ଜାରି ରହିବ ।










