ନୂଆଦିଲ୍ଲୀ, ମସ୍କୋ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ୨ଦିନିଆ (ଡିସେମ୍ବର ୪ ଏବଂ ୫) କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତ ଗସ୍ତରେ ଆସୁଛନ୍ତି। ସେ ଡିସେମ୍ବର ୪ରେ ଭାରତରେ ପହଞ୍ôଚବେ। ସେ ନୂଆଦିଲ୍ଲୀରେ ୨୩ତମ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ପ୍ରତିରକ୍ଷା, ଶକ୍ତି, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ମହାକାଶ, ଆର୍କଟିକ ସହଯୋଗ ଏବଂ ରଣନୈତିକ ସହଭାଗୀତା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଫଳାଫଳ-ମୁଖୀ ଆଲୋଚନା ହେବାର ଆଶା କରାଯାଉଛି। ପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବେ। ମୋଦୀ ଏବଂ ପୁତିନ୍ ଏକାଧିକ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ଏବଂ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁଟିନ୍ଙ୍କ ମଧ୍ୟରେ ପୂର୍ବାହ୍ନ ୧୧ଟାରେ ହାଇଦ୍ରାବାଦ ହାଉସରେ ଏକ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହେବ। ବୈଠକ ପରେ ଦୁଇ ନେତା ଏକ ମିଳିତ ବିବୃତି ଜାରି କରିବେ। ଯେଉଁଥିରେ ନୂତନ ଘୋଷଣା, ପ୍ରଗତି ଏବଂ ଭବିଷ୍ୟତର ପ୍ରାଥମିକତା ବିଷୟରେ ଉଲ୍ଲେଖ କରାଯିବ। ତେବେ ପୁତିନ୍ଙ୍କ ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀର କୌଣସି ଏକ ଗୁପ୍ତ ସ୍ଥାନରେ ପୁତିନ୍ ନିଜ ସୁରକ୍ଷାକର୍ମୀଙ୍କ ସହ ଭାରତ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ବହୁସ୍ତରୀୟ ସୁରକ୍ଷା କବଚ ମଧ୍ୟରେ ରହିବେ। ତେବେ ପୁତିନ୍ କେଉଁଠି ରହିବେ ସେନେଇ କୌଣସି ସୂଚନାକୁ ସାର୍ବଜନୀନ କରାଯାଇନାହିଁ। ରାଜଧାନୀର ଅଧିକାଂଶ ଅଞ୍ଚଳରେ ସ୍ୱାଟ୍ ଦଳ, ଆତଙ୍କ ବିରୋଧୀ ଦଳ ଏବଂ କ୍ୱିକ୍ ଆକ୍ସନ୍ ଦଳ ନିୟୋଜିତ ହୋଇଛନ୍ତି। ସେହିପରି ରୁଷ୍ର ଉନ୍ନତ ସୁରକ୍ଷା ଏବଂ ପ୍ରୋଟୋକଲ୍ ଦଳର ୫୦ରୁ ଅଧିକ ସଦସ୍ୟ ମଧ୍ୟ ଆଗୁଆ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି।
ବିଶେଷଜ୍ଞଙ୍କ ଅନୁସାରେ ପୁତିନ୍ଙ୍କ ଏହି ଗସ୍ତ ଅବସରରେ ଭାରତ ଏବଂ ରୁଷ୍ ମଧ୍ୟରେ ଏକ ଐତିହାସିକ ପ୍ରତିରକ୍ଷା ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଉଭୟ ଦେଶ ଏହି ଚୁକ୍ତିନାମା ଉପରେ ସର୍ବାଧିକ ଫୋକସ୍ କରୁଛନ୍ତି। ରୁଷ୍ ଭାରତକୁ ଏହାର ସୁଖୋଇ ବିମାନ ବର୍ଗର ଏସ୍ୟୁ-୫୭ ଗୁପ୍ତ ଯୁଦ୍ଧ ବିମାନ ଯୋଗାଇବାକୁ ପ୍ରସ୍ତୁତ ରହିବା ଘୋଷଣା କରିସାରିଛି। ପ୍ରକାଶ, ଏହା ହେଉଛି ରୁଷର ସବୁଠାରୁ ଉନ୍ନତ ତଥା ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ। ଏହାକୁ ଷ୍ଟିଲ୍ଥ ଫାଇଟର ପ୍ଲେନ୍ ବୋଲି ମଧ୍ୟ କୁହାଯାଏ। ଶତ୍ରୁର ରାଡାର ମଧ୍ୟ ଏହାକୁ ଧରି ପାରିନଥାଏ। ଏହି ବିମାନ ଏକ ଅଦୃଶ୍ୟ ଶିକାରୀଙ୍କ ଭଳି କାମ କରିବ ଏବଂ ଏହା ଶକ୍ତି ଏବଂ ସାମର୍ଥ୍ୟରେ ଆମେରିକାର ଏଫ୍-୧୬ ଲଢ଼ୁଆ ବିମାନ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ। ଭାରତ ଏହାର ବାୟୁସେନା ଏବଂ ନୌସେନାକୁ ଅଧିକ ସୁଦୃଢ଼ କରିବା ପାଇଁ ଚାହୁଁଥିବା ବେଳେ ରୁଷ୍ ଭାରତ ପାଇଁ ଏକ ବଡ଼ ସୁଯୋଗ ଭାବେ ଉଭା ହୋଇଛି। ଏତଦ୍ ବ୍ୟତୀତ, ଭବିଷ୍ୟତରେ ଏସ୍-୫୦୦ ଉପରେ ସହଯୋଗ, ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପରବର୍ତ୍ତୀ ସଂସ୍କରଣ ଏବଂ ଉଭୟ ଦେଶର ନୌସେନା ପାଇଁ ମିଳିତ ଭାବରେ ଯୁଦ୍ଧଜାହାଜ ନିର୍ମାଣ ଭଳି ଯୋଜନା ଉପରେ ମଧ୍ୟ ଆଲୋଚନା ହେବାର ଆଶା କରାଯାଉଛି। ଏସବୁ ମଧ୍ୟରେ ଭାରତ ପାଇଁ ଏକ ବଡ଼ ଖବର ହେଉଛି ଯେ, ପୁତିନ୍ଙ୍କ ଭାରତ ଆଗମନ ପୂର୍ବରୁ ହିଁ, ରୁଷ୍ ସଂସଦର ନିମ୍ନ ସଦନ ଷ୍ଟେଟ୍ ଡୁମା ଭାରତ ଏବଂ ରୁଷ୍ ମଧ୍ୟରେ “ରେଲୋସ୍’ ସାମରିକ ଚୁକ୍ତିକୁ ଅନୁମୋଦନ କରିଛି। ଏହି ଚୁକ୍ତି ଅନୁଯାୟୀ, ଦୁଇ ଦେଶର ସେନା ପରସ୍ପରର ସାମରିକ ଘାଟି, ସୁବିଧା ଏବଂ ସମ୍ବଳ ବ୍ୟବହାର ଏବଂ ବିନିମୟ କରିପାରିବେ। ଉଭୟ ନିଜ ସେନାବାହିନୀ ପାଇଁ ସେମାନଙ୍କର ବିମାନ ଏବଂ ଯୁଦ୍ଧଜାହାଜ ଇନ୍ଧନଗୁଡ଼ିକ ଭର୍ତ୍ତି କରିପାରିବେ, ସାମରିକ ଘାଟିରେ ଶିବିର ସ୍ଥାପନ କରିପାରିବେ କିମ୍ବା ଅନ୍ୟାନ୍ୟ ଲଜିଷ୍ଟିକ୍ ସୁବିଧା ବ୍ୟବହାର କରିପାରିବେ। ହୋଇଥିବା ଖର୍ଚ୍ଚ ସମାନ ଭାବରେ ବାଣ୍ଟି ନିଆଯିବ। ରାଷ୍ଟ୍ରପତି ପୁତିନ୍ଙ୍କ ଭାରତ ଗସ୍ତର ଦୁଇ ଦିନ ପୂର୍ବରୁ ଏହି ଅନୁମୋଦନ ହୋଇଛି।
ଭାରତ-ରୁଷ୍ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଭାରତ ଗସ୍ତରେ ଆସୁଛନ୍ତି। ସୁତରାଂ ସମଗ୍ର ବିଶ୍ୱ ଏବେ ମୋଦୀ-ପୁତିନ୍ଙ୍କ ସାକ୍ଷାତକାର ଉପରେ ନଜର ରଖିଛି। ଏହି ଅବସରରେ ରୁଷ୍ ରାଷ୍ଟ୍ରପତିଙ୍କ ପ୍ରେସ ସଚିବ ଦିମିତ୍ରୀ ପେସକୋଭ କହିଛନ୍ତି ଯେ ରୁଷ୍ ଭାରତକୁ ଉନ୍ନତ ପରମାଣୁ ପ୍ରଯୁକ୍ତିବିଦ୍ୟା ଦେବ। ବୈଠକରେ କ୍ଷୁଦ୍ର ଏବଂ ମଧ୍ୟମ ଆକାରର ପରମାଣୁ ରିଆକ୍ଟର ବିଷୟରେ ମଧ୍ୟ ଆଲୋଚନା ହେବ। ରୁଷ୍ର ରିଆକ୍ଟର ବିକାଶ କରିବାରେ ବ୍ୟାପକ ଅଭିଜ୍ଞତା ଅଛି ଏବଂ ଏହି ଅଭିଜ୍ଞତାକୁ ରୁଷ୍ ଭାରତକୁ ପ୍ରଦାନ କରିବ। ସୂଚନାନୁସାରେ ପୁତିନ୍ ଭାରତରେ ପ୍ରାୟ ୩୦ ଘଣ୍ଟା ରହିବେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ଏବଂ ଉଭୟ ମୋଦୀ ଏବଂ ପୁତିନ୍ ପ୍ରତିରକ୍ଷା, ଶକ୍ତି ଏବଂ ବାଣିଜ୍ୟ ସହଯୋଗ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ। ଏଥିରେ ବନ୍ଧୁତା ଏବଂ ରାତ୍ରିଭୋଜନ କୂଟନୀତି ଅନ୍ତର୍ଭୁକ୍ତ ହେବ। ଉଭୟ ନେତା ଭାରତ-ରୁଷ୍ ବ୍ୟବସାୟ ଫୋରମ୍କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅଧିବେଶନ ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ, କାରଣ ଗତ କିଛି ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଉଭୟ ପକ୍ଷ ଶକ୍ତି, ଔଷଧ, କୃଷି, ପ୍ରତିରକ୍ଷା ଉତ୍ପାଦନ ଏବଂ ପ୍ରତିଷ୍ଠାନଗତ ଆର୍ôଥକ ଭଳି କ୍ଷେତ୍ରରେ ସହଯୋଗକୁ ଆହୁରି ବିସ୍ତାର କରିବା ଉପରେ ଗୁରୁତ୍ୱାରୋପ କରିବେ। ଭାରତରେ ରହଣି କାଳ ମଧ୍ୟରେ ପୁତିନ୍ଙ୍କୁ ରାଷ୍ଟ୍ରପତି ଭବନରେ ଏକ ଆନୁଷ୍ଠାନିକ ସ୍ୱାଗତ ଏବଂ ତିନି-ସେବା ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ। ପୁତିନ୍ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଜଘାଟ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।










