ହାଇଦ୍ରାବାଦ: ଦୁବାଇରୁ ହାଇଦ୍ରାବାଦ ଯାଉଥିବା ଏକ ବିମାନରେ ଜଣେ ଏୟାର ହୋଷ୍ଟେସଙ୍କ ସହ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଜଣେ କ୍ରୁ ସଦସ୍ୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ, କେରଳର ବାସିନ୍ଦା ଯାତ୍ରୀ ଶୁକ୍ରବାର ବିମାନ ଯାତ୍ରା ସମୟରେ ଏୟାର ହୋଷ୍ଟେସଙ୍କୁ ଅସଦାଚରଣ କରିଥିଲେ। ଏନେଇ ଆରଜିଆଇ ବିମାନବନ୍ଦର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ କ୍ରୁ ସଦସ୍ୟ। ପୋଲିସ କହିଛି ଯେ ଘଟଣା ସମୟରେ ଯାତ୍ରୀ (୩୦) ମଦ୍ୟପାନ କରିଥିଲେ ବୋଲି କ୍ରୁ ସଦସ୍ୟମାନେ ମଧ୍ୟ ନିଶ୍ଚିତ କରିଥିଲେ। ସେମାନେ କହିଛନ୍ତି ଯେ ବିମାନ ଅବତରଣ କରିବା ପରେ ଘଟଣା ସମ୍ପର୍କରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରାଯାଇଥିଲା। ଗିରଫ ସନ୍ଦିଗ୍ଧ ବ୍ୟକ୍ତି ଏକ ସଫ୍ଟୱେର୍ କମ୍ପାନୀର କର୍ମଚାରୀ। ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି।









