ସୋନଭଦ୍ର: ୟୁପିର ସୋନଭଦ୍ରରେ ଖନନ ବେଳେ ବଡ଼ ଦୁର୍ଘଟଣା ଘଟିଛି। ଓବରାର ବିଲ୍ଲି ମାରକୁଣ୍ଡି ଖନନ ଅଞ୍ଚଳରେ ଶନିବାର ସନ୍ଧ୍ୟା ୪ଟା ସମୟରେ ଖାଦାନ ଭୁଶୁଡ଼ିବା ଯୋଗୁଁ ସେଠାରେ କାମ କରୁଥିବା ୧୬ ଜଣ ଶ୍ରମିକଙ୍କ ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣାରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁର କଥା ମଧ୍ୟ ସାମ୍ନାକୁ ଆସୁଛି। ହେଲେ ମୃତଦେହ ଉଦ୍ଧାର କରାଯାଇ ପାରି ନାହିଁ। ଘଟଣାର ଖବର ପାଇବା କ୍ଷଣି ଅଧିକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇ ଥିଲା। ତୁରନ୍ତ ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଥିଲେ। ବିଳମ୍ୱ ନକରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇ ଥିଲା। ବର୍ତ୍ତମାନ ପରିସ୍ଥିତି ସଙ୍କଟାପନ୍ନ ରହିଛି।
ଶନିବାର ସନ୍ଧ୍ୟା ସମୟ ପ୍ରାୟ ୪ଟା ସମୟରେ ବିଲି ମାର୍କୁଣ୍ଡି ଖଣି ଅଞ୍ଚଳର କୃଷ୍ଣା ମାଇନିଂ ଷ୍ଟୋନର ଖାଦାନରେ ୯ଟି କନପ୍ରେସର ଉପରେ ୧୮ଜଣ ଶ୍ରମିକ କାମ କରୁଥିଲେ। ଏହି ମଧ୍ୟରେ ଡ୍ରିଲିଂ ବେଳେ ପାଖାପାଖି ୧୫୦ ଫୁଟରୁ ଅଧିକ ଉଚ୍ଚତାରେ ପାହାଡର ବଡ଼ ଭାଗ ଧସି ତଳକୁ ଖସି ଥିଲା। ଘଟଣାର ସୂଚନା ପାଇବା କ୍ଷଣି ଖନନ କ୍ଷେତ୍ରରେ ଆତଙ୍କ ଖେଳିଯାଇ ଥିଲା। ସୂଚନା ମିଳିବା କ୍ଷଣି ସମାଜ କଲ୍ୟାଣ ରାଜ୍ୟମନ୍ତ୍ରୀ ସଞ୍ଜୀବ ଗୋଣ୍ଡ, ଜିଲ୍ଲାଧିକାରୀ ବିଏମ୍ ସିଂହ , ଏସପି ଅଭିଷେକ ବର୍ମାଙ୍କ ସମେତ ଅନେକ ବଡ଼ ବଡ଼ ଅଫିସର ଘଟଣାସ୍ଥଳରେ ପହଞ୍ଚି ଥିଲେ। ରେସ୍କ୍ୟୁ ପାଇଁ ବଡ଼ ବଡ଼ ମେସିନ ମଗାଯାଇଥିଲା। ଅନ୍ଧାର ହେବା କାରଣରୁ ଖାଦାନରେ ଲାଇଟ୍ର ବ୍ୟବସ୍ଥା କରାଯାଇଛି। ଏହାପରେ ପାଖାପାଖି ୮ଟା ସମୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ପାରିଥିଲା। ଖଣିରେ କାମ କରୁଥିବା ଜଣେ ଶ୍ରମିକ ଛୋଟୁ ଯାଦବ, କର୍ମସାରର ବାସିନ୍ଦା, କହିଛନ୍ତି ଯେ, ତାଙ୍କର ଦୁଇ ଭାଇ ସନ୍ତୋଷ ଓ ଇନ୍ଦ୍ରଜିତ୍ ମଧ୍ୟ ପୋତି ହୋଇ ଯାଇଛନ୍ତି। ଛୋଟୁଙ୍କ କହିବାନୁସାରେ, ଖଣିରେ କାମ କରୁଥିବା ସମୟରେ ମୋଟ ୯ଟି କନପ୍ରେସର ଲାଗିଥିଲା। ପ୍ରତ୍ୟେକ କନପ୍ରେସରରେ ଦୁଇ ଜଣ ଶ୍ରମିକ କାମ କରୁଥିଲେ। ଦୁର୍ଘଟଣା ସମୟରେ ଦୁଇ ଜଣ ଶ୍ରମିକ ଦୂରକୁ ଚାଲି ଯାଇଥିଲେ। ଏମିତି ଭାବେ ମୋଟ ୧୬ ଜଣ ଶ୍ରମିକଙ୍କ ପୋତି ହୋଇ ଥିବା ଆଶଙ୍କା କରାଯାଉଛି। ଡିଏମ୍ ବିଏମ୍ ସିଂହଙ୍କ କହିବାନୁସାରେ ,ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁର ସୂଚନା ମିଳିଛି। ଏବେ ମୃତଦେହକୁ ଉଦ୍ଧାର କରାଯାଇ ପାରି ନାହିଁ।









