ପାଜପୁର: ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୁଲ୍ୟରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ନିମନ୍ତେ ସାଧାରଣ ସଭା ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ କର କହିଲେ ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି।
ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଜନସାଧାରଣଙ୍କୁ ସଚେତନ କରାଇବା ସପ୍ତାହ ପାଳନର ଉଦ୍ଦେଶ୍ୟ। ଦୁର୍ନୀତି ବିକାଶ ପଥରେ ଏକ ବଡ଼ ପ୍ରତିବନ୍ଧକ। ଦୁର୍ନୀତି ଦେଖିଲେ ଆମେ ସ୍ବର ଉତ୍ତୋଳନ କରିବା,ଲାଞ୍ଚ ନେବା ନାହିଁ କି ଦେବା ନାହିଁ। ରାଜ୍ୟ ଓ ଦେଶର ପ୍ରଗତି ପାଇଁ ଦୁର୍ନୀତି ହେଉଛି ମୁଖ୍ୟ ଆହ୍ୱାନ। ସରକାରଙ୍କ ଅନୁଦାନ ରାଶି ଠିକ ଭାବରେ ହିତାଧିକାରୀ ଙ୍କ ପାଖରେ ପହଂଚିବା ଆବଶ୍ୟକ । ଲାଞ୍ଚ ନେବା ଓ ଦେବା ଉଭୟ ଅପରାଧ I ଦୁର୍ନୀତି ହ୍ରାସ କରିବାରେ ସରକାରୀ କର୍ମଚାରୀ ମାନଙ୍କର ଗୁରୁତ୍ବପୂର୍ଣ ଭୂମିକା ରହିଛି। ଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସାଧୁତା ଓ ସଚ୍ଚୋଟତାର ଶପଥ ପାଠ କରାଇଥିଲେ । ଉକ୍ତ ବୈଠକରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶିବାନନ୍ଦ ସ୍ବାଇଁ କହିଲେ ଏହି ସପ୍ତାହ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ମନରେ ଦୁର୍ନୀତି ବିରୋଧୀ ଚେତନା ସୃଷ୍ଟି କରିବା ଓ ସତ୍ୟନିଷ୍ଠା, ପାରଦର୍ଶିତା ଓ ନୈତିକ ମୂଲ୍ୟବୋଧ ଜାଗ୍ରତ କରିବା। ଦୁର୍ନୀତି ସମାଜ ଓ ରାଷ୍ଟ୍ରର ଉନ୍ନତି ପଥରେ ବାଧା ସୃଷ୍ଟି କରେ।ଏହା ମାନବୀୟ ମୂଲ୍ୟବୋଧକୁ କ୍ଷୟ କରେ ଓ ସମାଜର ନୈତିକ ଭିତିକୁ ଦୁର୍ବଳ କରେ। ଶ୍ରୀ ସ୍ବାଇଁ ସରକାରଙ୍କ ଜନ କଲ୍ୟାଣ ଯୋଜନା ଗୁଡ଼ିକର ସଫଳ ରୂପାୟନ ଉପରେ ଗୁରୁତ୍ବାରୋପ କରିଥିଲେ । ଉକ୍ତ ବୈଠକରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଦେବୀ ପ୍ରସାଦ ମହାନ୍ତି କହିଲେ ଆମର ଦାୟିତ୍ଵ ଓ ଅଧିକାର କଣ ରହିଛି ତାହା ଜାଣିବାକୁ ପଡିବ। ଦେଶ, ମାଟି ଓ ସମାଜ ପ୍ରତି ଆମର କର୍ତ୍ତବ୍ୟରେ ଅବହେଳା କରିବା ନାହିଁ। ସରକାରୀ ଯୋଜନା ଓ ପ୍ରକଳ୍ପ ଠିକ୍ ହେଉଛି କି ନାହିଁ ତାହା ସୁନିଶ୍ଚିତ କରିବାକୁ ପଡ଼ିବ। ଉପଜିଲ୍ଲାପାଳ ତାପସରଞ୍ଜନ ଦେହୁରୀ ଯୋଗଦେଇ କହିଲେ ଏ ବର୍ଷର ବିଷୟ ଦୁର୍ନୀତି ନିବାରଣ: ଆମ ସାମୁହିକ ଦାୟିତ୍ଵ ଏହା ସଚେତନତା ବାର୍ତ୍ତା ଦିଏ କି ଦୁର୍ନୀତି ରୋକିବା କେବଳ ସରକାର କିମ୍ବା ଭିଜିଲାନ୍ସ ବିଭାଗର କାମ ନୁହେଁ; ଏହା ଆମ ପ୍ରତ୍ୟେକଙ୍କ ନାଗରିକଙ୍କ ଦାୟିତ୍ୱ। ଉପସ୍ଥିତ ବରିଷ୍ଠ ନାଗରିକ ଓ ସମାଜସେବୀ ପ୍ରମୁଖ ଯୋଗଦେଇ ଦୁର୍ନୀତି ନିବାରଣ କିପରି ରୋକାଯାଇ ପାରିବ ଏବଂ ସମସ୍ତଙ୍କର ସହଯୋଗ ରହିଲେ ଜିଲ୍ଲାରୁ ଦୁର୍ନୀତି ରୂପକ ବ୍ୟାଧକୁ ଦୂର କରାଯାଇପାରିବ ବୋଲି ନିଜର ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଚଳିତ ବର୍ଷର ପ୍ରସଙ୍ଗ ” ଦୁର୍ନୀତି ନିବାରଣ: ଆମ ସାମୂହିକ ଦାୟିତ୍ଵ” କୁ ନେଇ ଓ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଦିବସଟିର ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସଂପର୍ବ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଦୁର୍ନୀତି ନିବାରଣ ବିଭାଗ ଯାଜପୁରର ଆରକ୍ଷୀ ଅଧିକ୍ଷକ ସୁଶିଲ କୁମାର ଏକ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ପୂର୍ବ ବର୍ଷ ଏବଂ ଚଳିତ ବର୍ଷରେ ଜିଲ୍ଲାରେ ଦୁର୍ନୀତି ବିଭାଗ ଦ୍ୱାରା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତଥ୍ୟ ପ୍ରଦାନ ସହିତ ଦୁର୍ନୀତି ନିବାରଣ ନିମନ୍ତେ ବିଭାଗ ପକ୍ଷରୁ ନିଆ ଯାଉଥିବା ପଦକ୍ଷେପ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ନିଜର ବକ୍ତବ୍ୟ ରଖିଥିଲେ।ଉକ୍ତ ଦିବସ ଅବସରରେ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ପ୍ରଶାସନିକ ଅଧିକାରୀ ଗଣ, ଗଣମାଧ୍ୟମ ପ୍ରତିନିଧ, ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଦୁର୍ନୀତି ନିବାରଣ ବିଭାଗର ଇନ୍ସପେକ୍ଟର ସୁଲୋଚନା ନାୟକ, ଏ.ଏସ୍ ଆଇ ଶ୍ରୀକାନ୍ତ ନାୟକ ସଭା ପରିଚାଳନାରେ ସହାୟତା କରିଥିଲେ । ଆଜି ସକାଳେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ନିମନ୍ତେ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ସୁଭଦ୍ରା ଶକ୍ତିର ମହିଳା ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ଶୋଭାଯାତ୍ରା ଦୁର୍ନୀତି ନିବାରଣ ସଚେତନତା ସମ୍ବନ୍ଧିତ ବିଭିନ୍ନ ବାର୍ତ୍ତା ନେଇ ସହର ପରିକ୍ରମା କରିଥିଲା।










