ବ୍ରହ୍ମପୁର: ଏସ୍ଆଇ ପରୀକ୍ଷା ସ୍କାମ୍ରେ ଆସିଲା ବଡ ଅପଡେଟ୍ । ଗିରଫ ୧୧୪ ଏସ୍ଆଇ ପରୀକ୍ଷାର୍ଥୀଙ୍କୁ ଜାମିନ୍ ମିଳିଯାଇଛି । ୫୦ ହଜାର ଟଙ୍କା ଓ ୨ ଜାମିନଦାରଙ୍କ ମୁଚାଲିକାରେ ମିଳିଲା ଜାମିନ୍ । ପରୀକ୍ଷାର୍ଥୀଙ୍କୁ ଜାମିନ୍ ପ୍ରଦାନ କଲେ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ପୋଲିସ ଏସ୍ଆଇ ପରୀକ୍ଷା ଦେବା ପାଇଁ ବସ୍ରେ ଯାଉଥିଲେ ବିଜୟୱାଡା । ଓଡିଶାରୁ ବିଜୟୱାଡା ଯିବା ବେଳେ ସୀମାନ୍ତରୁ ଧରିଥିଲେ ପୋଲିସ । ମୁଖ୍ୟ ଅଭିଯୁକ୍ତ ମୁନ୍ନା ମହାନ୍ତିଙ୍କ ସମେତ ୯ ଅଭିଯୁକ୍ତଙ୍କୁ ମିଳିନି ଜାମିନ୍ । ସୂଚନାଯୋଗ୍ୟ, ୩୦ ତାରିଖ ଦିନ ଭୋର ସମୟରେ ୩ଟି ବସ୍ରେ ୧୧୪ ଜଣ ପରୀକ୍ଷାର୍ଥୀ ଓ ଦଲାଲ୍ ଅନ୍ଧ୍ରପ୍ରଦେଶ ଯିବାକୁ ବରମୁଣ୍ଡାରୁ ବାହାରିଥି ଲେ । ସବୁ ପରୀକ୍ଷାର୍ଥୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଫୋନ୍ ଫ୍ୟାକ୍ଟ୍ରି ରିସେଟ୍ କରାଯିବ । ଏଥିରେ ସମସ୍ତେ ରାଜି ହୋଇଥିଲେ । ଯେଉଁମାନେ ରାଜି ହୋଇ ନଥିଲେ ସେମାନଙ୍କୁ କୁହାଯାଇଥିଲା ଫୋନ୍କୁ ରୁମ୍ରେ ଛାଡ଼ି ଆସିବା ପାଇଁ । ଦଲାଲଙ୍କ ସର୍ତ୍ତ ମାନିଥିଲେ ପରୀକ୍ଷାର୍ଥୀ । ସେତିକି ନୁହେଁ ବସ୍ରେ ବସିବା ପୂର୍ବରୁ ୧୦ ଲକ୍ଷ ଟଙ୍କା ଓ ଅସଲି ସାର୍ଟିଫିକେଟ୍ ଦେବାକୁ ପଡିବ ।
ବାକି ୧୫ ଲକ୍ଷ ପରୀକ୍ଷାରେ ପାସ୍ ହେବା ପରେ ଦେବାକୁ କହିଥିଲେ । ଏଥିରେ ବି ରାଜି ହୋଇଥିଲେ ପରୀକ୍ଷାର୍ଥୀ । ଦଲାଲ୍ମାନେ ତୁଳସୀ ଟ୍ରାଭେଲ୍କୁ ଯୋଗାଯୋଗ କରି ୩ଟି ବସ୍ ମାଗିଥିଲେ । ଉକ୍ତ ଟ୍ରାଭେଲ୍ ସଂସ୍ଥା ବରମୁଣ୍ଡା ଆସି ୩ଟି ବସ୍ ଯୋଗାଡ଼ କରିଥିଲା । ବସ୍ ମାଲିକମାନେ ଯେତେ ଟଙ୍କା ଦାବି କରିଥିଲେ ତାହା ଦେବାକୁ ରାଜି ହୋଇଥିଲା ଟ୍ରାଭେଲ୍ ସଂସ୍ଥା । ଉକ୍ତ ସଂସ୍ଥାକୁ କ୍ରାଇମ୍ବ୍ରାଞ୍ଚ ଅଧିକାରୀମାନେ ଜେରା କରିଥିଲେ । ଏହି ୧୧୪ ଜଣ ଆନ୍ଧ୍ରପ୍ରଦେଶରେ ପରୀକ୍ଷା ପାଇଁ ଟ୍ରେନିଂ ନେବାର ସବୁ ବ୍ୟବସ୍ଥା ଥିଲା । ସେଠାରୁ ଟ୍ରେନିଂ ନେଇ ଫେରିବା ପରେ ଏମାନେ ଆସନ୍ତା ୫ ଓ ୬ ତାରିଖରେ ପରୀକ୍ଷା ଦେଇଥାନ୍ତେ । ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ସୂଚନା ପାଇ ବ୍ରହ୍ମପୁର ପୁଲିସ୍ ସେପ୍ଟେମ୍ବର ୩୦ ତାରିଖରେ ବସ୍ରେ ଆନ୍ଧ୍ରପ୍ରଦେଶ ଯାଉଥିବା ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ବ୍ରହ୍ମପୁର ଏସ୍ପି ଡା. ସରବଣା ବିବେକ ଏମ୍ଙ୍କ ନିର୍ଦ୍ଦେଶ ପରେ ବୈଦ୍ୟନାଥପୁର, ଗୋସାଇଁ ନୂଆଗାଁ ଓ ଗୋଳନ୍ଥରା ଥାନା ପୁଲିସକୁ ନେଇ ଟିମ୍ ଗଠନ ହୋଇଥିଲା । ପୁଲିସ ଟିମ୍ ଶ୍ରୀକାକୁଲମ୍ ପୁଲିସ ସହଯୋଗରେ ୩ଟି ବସ୍କୁ ଅଟକାଇବା ସହ ସେମାନଙ୍କୁ ବ୍ରହ୍ମପୁର ନେଇ ଆସିଥିଲେ ।










