30.1 C
Bhubaneswar
Thursday, February 5, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଅନ୍ତଃସାର ଶୂନ୍ୟ: ବିଜେଡି

ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଅନ୍ତଃସାର ଶୂନ୍ୟ: ବିଜେଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଆଜି ନୂଆପଡାରେ ଦେଇଥିବା ବକ୍ତବ୍ୟ ଉପରେ ବିଜୁ ଜନତା ଦଳ କଡା ପ୍ରତିକ୍ରିୟା ଦେଇଛି । ନୂଆପଡା ଡବଲ ଇଞ୍ଜିନର ବିକାଶ ଦେଖିବ ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ, ଦୀର୍ଘ ୧୬ ମାସରେ ରାଜ୍ୟ ବିକାଶ ପରିବର୍ତ୍ତେ ବିନାଶ ଦେଖିବାକୁ ମିଳୁଛି ବୋଲି ବିଜେଡି କହିଛି ।ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ହତାଶ ଭାବ ତାଙ୍କ ଭାଷଣରେ ପରିଲକ୍ଷିତ ହେଉଥିଲା । ଚିରାଚରିତ ଢଙ୍ଗରେ, ମୁଖ୍ୟମନ୍ତ୍ରୀ କେବଳ ଗୁଡିଏ ଗପ ଶୁଣାଇଛନ୍ତି, ଯାହାକୁ କେବେ ବି ନୂଆପଡାବାସୀ ଗ୍ରହଣ କରିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ, ବିଜେପି ପ୍ରାର୍ଥୀ ଆଜି ମନୋନୟନ ପତ୍ର ଦାଖଲ କରିବେ ବୋଲି କୁହାଯାଇଥିଲା । କିନ୍ତୁ, ତାହା ହୋଇ ପାରିଲା ନାହିଁ । ବିଜେପିରେ ପ୍ରାର୍ଥୀଙ୍କୁ ନେଇ ସୃଷ୍ଟି ହୋଇଥିବା ଅନ୍ତଦ୍ୱନ୍ଦ୍ୱ ଏବେବି ସମାଧାନ ହୋଇ ପାରିନାହିଁ ବୋଲି ଜଳ ଜଳ ଦିଶୁଛି । ସମ୍ଭବତଃ ସେହି କାରଣରୁ, ମୁଖ୍ୟମନ୍ତ୍ରୀଙ୍କ ହତାଶଭାବ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ଦେଇଥିବା ବକ୍ତବ୍ୟ ଅନ୍ତଃସାର ଶୂନ୍ୟ ଥିଲା । କେବଳ ବିଜେପିର ବିଜୟ ନିଶ୍ଚିତ ବୋଲି ଦାବି କରିବା ଛଡା ତାଙ୍କ ବକ୍ତବ୍ୟରେ ଆଉ କିଛି ନଥିଲା ।

ଡ. ମହାନ୍ତି କହିଛନ୍ତି, ପ୍ରବାଦ ପୁରୁଷ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନୂଆପଡା ଜିଲ୍ଲା ଜନ୍ମ ନେଇଥିଲା । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ, ନୂଆପଡାର ବିକାଶ ତ୍ୱରାନ୍ୱିତ ହୋଇଥିଲା । ପୂର୍ବରୁ ନୂଆପଡା ଜିଲ୍ଲା ଏକ ମରୁଡି ପ୍ରପୀଡ଼ିତ ଜିଲ୍ଲା ଭାବେ ପରିଚିତ ଥିଲା ବେଳେ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମୟରେ ଅପର-ଜଙ୍କ ଏବଂ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ନୂଆପଡା ସବୁଜିମାର ରୂପ ନେଇଥିଲା । ସେହିପରି, ଗମନାଗମନ କ୍ଷେତ୍ରରେ, ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ହେବା ପରେ ଐତିହାସିକ ପ୍ରଗତି ହାସଲ ହୋଇଛି । ଜିଲ୍ଲାର ସମସ୍ତ ସ୍କୁଲ ଓ ହସ୍ପିଟାଲର ରୂପାନ୍ତିକରଣ ହୋଇ ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ହୋଇଛି । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂଆପଡାରେ ‘ଝିଅ ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ ହାତକୁ ନେଇ ମହିଳା ସଶକ୍ତିକରଣକୁ ସେ ଅଞ୍ଚଳରେ ଦୃଢ କରିଥିଲେ । ଏହା ଦ୍ୱାରା ସେଠାରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଥିବା ଅନୁପାତ ୧୦୨୦କୁ ବୃଦ୍ଧି ପାଇଥିଲା । ନୂଆପଡାବାସୀ ବିଜୁ ଜନତା ଦଳ ସହିତ ଅଛନ୍ତି । ଉପନିର୍ବାଚନରେ, ନୂଆପଡାବାସୀ ବିଜେଡି ସପକ୍ଷରେ ମତଦାନ କରିବେ ବୋଲି ଡ. ମହାନ୍ତି ଦୃଢୋକ୍ତି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking