ଜୟପୁର: ରାଜସ୍ଥାନର ଜୟପୁରର ସୱାଇ ମାନ ସିଂହ (ଏସଏମଏସ) ହସ୍ପିଟାଲରେ ଏକ ବଡ ଅଘଟଣ ଘଟିଛି। ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ସାତ ଜଣ ରୋଗୀଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ଟ୍ରମା ସେଣ୍ଟରର ଦ୍ୱିତୀୟ ମହାଲାରେ ଅବସ୍ଥିତ ନ୍ୟୁରୋ ଆଇସିୟୁ ୱାର୍ଡର ଷ୍ଟୋରରେ ଅହି ଘଟଣା ଘଟିଛି। ରାତି ୧୧:୨୦ ସମୟରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡ ଫଳରେ ଷ୍ଟୋରରେ ସଂରକ୍ଷିତ କାଗଜ, ଆଇସିୟୁ ଉପକରଣ ଏବଂ ରକ୍ତ ନମୁନା ଟ୍ୟୁବରେ ନିଆଁ ଲାଗିଯାଇଥିଲା। ତା’ପରେ ବିଷାକ୍ତ ଧୂଆଁ ଆଇସିୟୁରେ ଭର୍ତ୍ତି ହେବାକୁ ଲାଗିଲା। ହସ୍ପିଟାଲର ଟ୍ରମା ସେଣ୍ଟର ଏବଂ ଆଇସିୟୁରେ ମୋଟ ୨୪ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ଅଗ୍ନିକାଣ୍ଡ ଘଟିବା ମାତ୍ରେ ରୋଗୀଙ୍କୁ ସେଠାରୁ ସ୍ଥାନାନ୍ତରିତ କରାଯିବା ଆରମ୍ଭ ହୋଇଥିଲା।
ବିଷାକ୍ତ ଧୂଆଁର ସଂସ୍ପର୍ଶରେ ଆସି ୧୧ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ହସ୍ପିଟାଲରେ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ସମଗ୍ର ୱାର୍ଡ ପୋଡ଼ି ପାଉଁଶ ହୋଇଯାଇଥିଲା। ଏପର୍ଯ୍ୟନ୍ତ ମୃତ୍ୟୁବରଣ କରିଥିବା ୭ ଜଣଙ୍କ ମଧ୍ୟରୁ ୩ ଜଣ ଭରତପୁରର, ୨ ଜଣ ଜୟପୁରର ଏବଂ ୧ ଜଣ ସିକରର। ଏହି ସମସ୍ତ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସମ୍ପର୍କୀୟମାନେ ହସ୍ପିଟାଲ ଉପରେ ଅବହେଳାର ଅଭିଯୋଗ ଆଣିଛନ୍ତି। ପୀଡିତ ପରିବାର କହିଛନ୍ତି ଯେ ଧୂଆଁ ବ୍ୟାପିବା ମାତ୍ରେ ୱାର୍ଡ ବୟ ଏବଂ ଅନ୍ୟ କର୍ମଚାରୀମାନେ ନିଖୋଜ ହୋଇଗଲେ। ଦୀର୍ଘ ସମୟ ଧରି ରୋଗୀମାନଙ୍କୁ ସ୍ଥାନାନ୍ତର କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା।
ରୋଗୀଙ୍କ ପରିବାର ନିଜେ ସେମାନଙ୍କ ରୋଗୀଙ୍କୁ ଉଦ୍ଧାର କରିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକମାନେ ପିଣ୍ଟୁ (ସିକାର୍), ଦିଲୀପ (ଆଂଧୀ), ଶ୍ରୀନଥ (ଭରତପୁର), ରୁକ୍ମିଣୀ (ଭରତପୁର), ଖୁସମା (ଭରତପୁର) ଏବଂ ବାହାଦୂର (ସାଙ୍ଗାନର୍) ବୋଲି ଚିନ୍ହଟ କରାଯାଇଛି। ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ତୁରନ୍ତ ପରିସ୍ଥିତିର ସମୀକ୍ଷା କରିବା ପାଇଁ ଏସଏମଏସ ହସ୍ପିଟାଲକୁ ଯାଇଥିଲେ। ତାଙ୍କ ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଜବାହର ସିଂହ ବେଦମ ମଧ୍ୟ ଥିଲେ। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ₹୫ ଲକ୍ଷ କ୍ଷତିପୂରଣ ଏବଂ ଆହତଙ୍କ ପାଇଁ ମାଗଣା ଚିକିତ୍ସା ଘୋଷଣା କରିଥିଲେ। ଏପରି ଘଟଣା ଗ୍ରହଣୀୟ ନୁହେଁ ଏବଂ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ ବୋଲି କହି ତଦନ୍ତ ପାଇଁ ହସ୍ପିଟାଲ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସୱାଇ ମାନ ସିଂହ ହସ୍ପିଟାଲ ଜୟପୁରର ସବୁଠାରୁ ବଡ଼ ହସ୍ପିଟାଲ, ଯାହା ସାରା ରାଜସ୍ଥାନରୁ ଲୋକଙ୍କୁ ଚିକିତ୍ସା ପାଇଁ ଆକର୍ଷିତ କରେ।










