ଭୁବନେଶ୍ୱର: ପୋଲିସ ଏସଆଇ ଚାକିରି କେଳେଙ୍କାରୀରେ ଆଉ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଡିଜିଟାଲ ତଥ୍ୟ ଯୋଗାଡରେ ଲାଗିପଡିଛି କ୍ରାଇମବ୍ରାଞ୍ଚ । ପଞ୍ଚସଫ୍ଟ କଂପାନୀ ମାଲିକ ଶଙ୍କର ପୃଷ୍ଟି ମାଷ୍ଟର ମାଇଣ୍ଡ ଥିବା ସନ୍ଦେହ କରାଯାଉଛି । ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଥିଲେ । ପୁଲିସ ଏସ୍ଆଇ ପରୀକ୍ଷା ମହାଦୁର୍ନୀତିର ଖୋଲୁଛି ଗୁମର । ଏହି କେଳେଙ୍କାରୀରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ ବଢ଼ିଲାଣି । ଯେଉଁ ସବୁ ସଂସ୍ଥାରେ ପୂର୍ବରୁ କଳାଦାଗ ଲାଗିଛି, ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା ପାଇଁ ସେହି ସବୁ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରାଯାଇଛି । କ୍ରାଇମ୍ବ୍ରାଞ୍ଚ ଏବେ ଏସବୁ ଦିଗକୁ ନେଇ ଚଳାଇଛି ଖୋଳତାଡ଼ । ଘଟଣାରେ ପୁଲିସ ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଜଣ ଦଲାଲଙ୍କୁ ଗିରଫ କରିଥିବା ବେଳେ ରାକେଟ୍ ପଛର ମାଷ୍ଟରମାଇଣ୍ଡ ଏବେ ବି ଫେରାର ଅଛନ୍ତି । କ୍ରାଇମ୍ବ୍ରାଞ୍ଚ ଟିମ୍ ସିଲିକନ୍ ଟେକ୍ ଲ୍ୟାବ୍ର ମାଲିକଙ୍କ ସମେତ ୫ ରୁ ଅଧିକଙ୍କୁ ମାରାଥନ ଜେରା କରି ଅନେକ ତଥ୍ୟ ହାତେଇଛି । ସେହିପରି ଭୁବନେଶ୍ବର ଓ ବ୍ରହ୍ମପୁରସ୍ଥିତ ପଞ୍ଚସଫ୍ଟ ଏବଂ ଅନ୍ୟ ୩ଟି ଅଫିସରେ ଚଢ଼ଉ କରି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଅଫିସକୁ ସିଲ୍ କରିଛି ।










