ଭୁବନେଶ୍ୱର : ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଆଦିବାସୀ ନେତା ଜର୍ଜ୍ ତିର୍କୀଙ୍କ ପରଲୋକ। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଶୁକ୍ରବାର ମଧ୍ୟରାତ୍ରରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ପ୍ରାୟ ୩ ମାସ ହେଲା ସେ ଗୁରୁତର ଅସୁସ୍ଥ ଥିଲେ ଶୁକ୍ରବାର ଅପରାହ୍ନଣରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାକୁ ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା ।
ଆଜି ତାଙ୍କ ନିଜ ଗାଁ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଝୁନମୁର ଠାରେ ଶେଷକୃତ୍ୟୁ ସମ୍ପନ୍ନ ହେବ। ଛାତ୍ରଜୀବନରୁ ରାଜନୀତିରେ ସାମିଲ ହୋଇଥିଲେ ଜର୍ଜ ତିର୍କୀ । ବୀରମିତ୍ରପୁର ନିର୍ବାଚନମଣ୍ଡଳୀରୁ ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚରୁ ୨ ଥର, ସ୍ବାଧୀନ ଭାବେ ଥରେ ଓ ସମତାକ୍ରାନ୍ତି ଦଳରୁ ଥରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଜଣେ ଲଢ଼ୁଆ ଆଦିବାସୀ ନେତା ରୂପେ ତାଙ୍କର ରାଜ୍ୟ ତଥା ରାଜ୍ୟ ବାହାରେ ସୁଖ୍ୟାତି ରହିଥିଲା। ପ୍ରଥମେ ସେ ବ୍ୟାଙ୍କରେ ଚାକିରି କରିଥିଲେ। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଚାକିରି ଛାଡ଼ି ରାଜନୀତିକୁ ଆସିଥିଲେ । ଶ୍ରୀ ତିର୍କି ଅବିଭକ୍ତ ସୁନ୍ଦରଗଡ଼ ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାକୁ ସଂଗଠିତ କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ଏହି ଦଳରୁ ସେ ୧୯୯୫ ଓ ୨୦୦୦ ମସିହାରେ ଲଗାତାର ୨ଥର ବୀରମିତ୍ରପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ସେହି ସମାନ ଆସନରୁ ୨୦୦୯ରେ ସ୍ବାଧୀନ ଓ ୨୦୧୪ରେ ସମତା କ୍ରାନ୍ତି ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୨ଥର ସୁନ୍ଦରଗଡ଼ ଆସନରୁ ଲୋକସଭା ପ୍ରାର୍ଥୀ ରୂପେ ମଧ୍ୟ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ । ରାଜନୈତିକ ଜୀବନର ଶେଷ ଭାଗରେ ସେ କଂଗ୍ରେସ୍ ଓ ପରେ ବିଜେଡିରେ ଯୋଗ ଦେଇଥିଲେ । ୨୦୨୪ରେ ସେ ପୁଅ ରୋହିତ ଯୋସେଫ ତିର୍କିଙ୍କୁ ବୀରମିତ୍ରପୁର ଆସନରୁ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚିତ କରାଇ ପ୍ରତ୍ୟକ୍ଷ ରାଜନୀତିରୁ ଏକପ୍ରକାର ଦୂରେଇ ରହିଥିଲେ l










