27.1 C
Bhubaneswar
Saturday, December 6, 2025
Homeଓଡିଶାସାର ସଙ୍କଟ: ବ୍ୟାପକ କଳାବଜାରୀ ଓ ସରକାରୀ ଉଦାସୀନତା ବିରୋଧରେ ୨୩ରେ କିଷାନ କଂଗ୍ରେସର ବିଧାନସଭା...

ସାର ସଙ୍କଟ: ବ୍ୟାପକ କଳାବଜାରୀ ଓ ସରକାରୀ ଉଦାସୀନତା ବିରୋଧରେ ୨୩ରେ କିଷାନ କଂଗ୍ରେସର ବିଧାନସଭା ଘେରାଉ

ଭୁବନେଶ୍ୱର: ସାରା ରାଜ୍ୟର ଚାଷୀକୁଳ ସାର ଅଭାବ ଯନ୍ତ୍ରଣାରେ ଗତ ଦୁଇ ମାସ ଧରି ଛଟପଟ ହେଉଛନ୍ତି । ନବରଙ୍ଗପୁରରୁ ରାଇରଙ୍ଗପୁର, ମହେନ୍ଦ୍ରତନୟାରୁ ମହୋଦଧି ତଟ ପର୍ଯ୍ୟନ୍ତ ଚାଷୀକୁଳ ସାର ପାଇଁ କ୍ଷେତ ଛାଡି ରାସ୍ତାରେ ବସିଛନ୍ତି। କ୍ଷେତରେ କାମ କରିବା ଚାଷୀ କେତେବେଳେ ସମବାୟ ସମିତି ଆଗରେ, କେତେବେଳେ କୃଷି କାର୍ଯ୍ୟାଳୟ ଆଗରେ ଓ ଆଉ କେତେବେଳେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରୁଛି, ଧାରଣା ଦେଉଛି, ଆଧାରକାର୍ଡ ଧାଡ଼ିରେ ରଖ୍ ସାର ପାଇଁ ଅପେକ୍ଷା କରୁଛି, ହେଲେ ସାର ଅଭାବ ପୁରଣ ହେଇପାରୁନାହିଁ। ଅନ୍ୟପକ୍ଷରେ ୟୁରିଆ ସାର ଲକ୍ଷ ଲକ୍ଷ ଟନ ଗଚ୍ଛିତ ଅଛି ବୋଲି ସରକାର ଖୁବ୍ ଚଢ଼ା ଗଳାରେ ବୟାନ ରଖୁଛନ୍ତି । କିନ୍ତୁ ଚାଷୀ ସାର ମିଳିବା ଯନ୍ତ୍ରଣାରୁ ମୁକ୍ତି ପାଇପାରୁନାହିଁ । ଚାଷୀକୁଳକୁ ହୀନସ୍ତା କରି ରାଜ୍ୟବାସୀଙ୍କର ପ୍ରଭୂତ କ୍ଷତି କରୁଥିବା ସରକାର ବିରୋଧରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ଆସନ୍ତା ୨୩ ସେପ୍ଟେମ୍ବର ମଙ୍ଗଳବାର ସକାଳ ୯ଟାରେ କଟକ ଜିଲ୍ଲା ଲକ୍ଷେଶ୍ବର ମନ୍ଦିର ପ୍ରାଙ୍ଗଣରୁ ଓଡିଶା କିଷାନ କଂଗ୍ରେସର ଏକ ଶୋଭାଯାତ୍ରା ବାହାରି ଜାତୀୟ ରାଜପଥରେ ରସୁଲଗଡ, ବାଣୀବିହାର ଦେଇ ମାଷ୍ଟରକ୍ୟାଣ୍ଟିନସ୍ଥିତ କଂଗ୍ରେସ ଭବନରେ ପହଞ୍ଚିବ। ସେଠାରେ ଏକ ସଭା କରି ଚାଷୀକୁଳର ନେତା ଓ କର୍ମୀମାେନ ବହୁ ସଂଖ୍ୟାରେ ବିଧାନସଭା ଘେରାଉ କରିବେ ବୋଲି ପିସିସି କିଷାନ ସେଲ୍‌ର ଅଧ୍ୟକ୍ଷ ଅଭୟ ସାହୁ ଜଣାଇଛନ୍ତି। ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମରେ ଓଡିଶାବାସୀ ବହୁ ସଂଖ୍ୟାରେ ଭାଗ ନେବାକୁ ପିସିସି ସଭାପତି ଆହ୍ବାନ କରିଥିବା ଶ୍ରୀ ସାହୁ ଜଣାଇଛନ୍ତି।

ଏକ ପ୍ରେସ୍ ବିବୃତ୍ତିରେ ଶ୍ରୀ ସାହୁ କହିଛନ୍ତି, ଏ ବର୍ଷ ଏକ ଅନୁକୁଳ ମୌସୁମୀ କାରଣରୁ ଭଲ ଅମଳର ଆଶା ରଖୁଥିବା ଚାଷୀ ମୁଣ୍ଡରେ ହାତଦେଇ ସାର- ସାର ବୋଲି ଚିତ୍କାର କରୁଛି। ମାଲାକାନାଗିରିର ମାଥୁଲ କୁହନ୍ତୁ, ନବରଙ୍ଗପୁରର ଉମରକୋଟ କୁହନ୍ତୁ, ରାୟଗଡାର ଗୁଣପୁର କୁହନ୍ତୁ, ନୂଆପଡା, କଳାହାଣ୍ଡି, ବଲାଙ୍ଗିର, ବରଗଡ, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ଭଦ୍ରକ ଠାରୁ ଆରମ୍ଭ କରି ସମୁଦ୍ର କୁଳ ଅଂଚଳ ମାନଙ୍କ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ସାରର ପ୍ରଚଣ୍ଡ ଅଭାବ, କଳାବଜାରୀ, ମାର୍କଫେଡର ଦୁର୍ନୀତି, ସମବାୟ ସମିତିର ଦୁର୍ନୀତି, ସରକାର, କଳାବଜାରୀ, ମୁନଫାଖୋରୀ ଓ ମାର୍କଫେଡ ମଧ୍ୟରେ ମଧୁଚନ୍ଦ୍ରିକାର ପର୍ଦାଫାସ କରିଛନ୍ତି। ରୁଆ ବେଉସଣ ପ୍ରାୟ ଶେଷ ହେବା ଉପରେ । ଚାଷ ତର ତର ବଣିଜ ମଠ, ଚାଷରେ ଆଜି କଥା କାଲିକି ନଥାଏ । ସରକାର ବାହାଦୁର ଏ ସମସ୍ତ ଗମ୍ଭୀର ସମସ୍ୟାକୁ ପୁରଣ କରିବାରେ ବିଫଳ ହୋଇଛନ୍ତି । ପ୍ରଦେଶ କିଷାନ କଂଗ୍ରେସ ଚାଷ ଆରମ୍ଭ ସମୟରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ ମାଧ୍ୟମରେ ସରକାରଙ୍କୁ ଏ ସଂପର୍କରେ ଚେତାବନୀ ଦେଇଆସିଛି। ଆଜି ଏହି ସଂକଟ ସମୟରେ କିଷାନ କଂଗ୍ରେସର ଏକ ଜରୁରୀ କର୍ମକର୍ତ୍ତାଙ୍କ ବୈଠକ ବସି ଆସନ୍ତା ବିଧାନସଭା ଅବଧି ଭିତରେ ରାଜ୍ୟରେ ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, କୃଷି କାର୍ଯ୍ୟାଳୟ ବା ସମବାୟ ସମିତି ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆହ୍ୱାନ ଦିଆଯାଇଛି । ସମସ୍ୟା ଦୂର ହେବା ପର୍ଯ୍ୟନ୍ତ ଆବଶ୍ୟକ ସ୍ଥଳେ ଅହୋରାତ୍ର ଧାରଣାରେ ବସି ସରକାରଙ୍କୁ ବାଧ୍ଯ କରିବା ପାଇଁ ଚରମ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି।ଏହି ବୈଠକରେ କିଷାନ କଂଗ୍ରେସର ରାଜ୍ୟ ଅଧ୍ଯକ୍ଷ ଅଭୟ ସାହୁ ଓ କିଷାନ ନେତା ଡ. କାର୍ଷିକ ବରାଳ, ଅରୁଣ ଜେନା, ଲଲାଟେନ୍ଦୁ ମୋହନ ପଟ୍ଟନାୟକ, ସୀତିକଣ୍ଠ ମହାନ୍ତି, ରତନ ନାୟକ, ଜାନକୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking