-ନୂଆଁଖାଇ ଭେଟଘାଟ ଉତ୍ସବରେ ମୁଖ୍ୟମନ୍ତ୍ରୀ
-ପାରିବାରିକ ପ୍ରେମର ଓ ସମୃଦ୍ଧିର ପର୍ବ ହେଉଛି ନୂଆଁଖାଇ
-ଖିଣ୍ଡା ସମେତ ସମ୍ବଲପୁରର ସବୁ ସ୍ୱାଧୀନତା ସଂଗ୍ରାମୀ ପୀଠର ହେବ ଉନ୍ନତିକରଣ
-ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ରୂପେ ବିକଶିତ କରାଯିବ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳ
ସମ୍ବଲପୁର: ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ ଅବସରରେ ଶନିବାର ସମ୍ବଲପୁରରେ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ଏହି ଭେଟ୍ଘାଟ ଏକ ପାରମ୍ପରିକ କାର୍ଯ୍ୟକ୍ରମ ନୁହେଁ ବରଂ ଏହା ଆମ ସମାଜର, ପାରିବାରିକ ପ୍ରେମର ଓ ସମୃଦ୍ଧିର ପର୍ବ। ସମ୍ବଲପୁର ହେଉଛି ବୀରତ୍ୱର ମାଟି। ଏଣୁ ସମ୍ବଲପୁର ଐତିହାସିକ ସ୍ୱାଧୀନତା ସଂଗ୍ରାମ ପୀଠ ଖିଣ୍ଡା ସମେତ ଅନ୍ୟାନ୍ୟ ସଂଗ୍ରାମ ପୀଠଗୁଡ଼ିକର ଉନ୍ନତିକଣାର ନିମନ୍ତେ ରାଜ୍ୟ ସରକାର ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବେ। ଏହାସହ ଆମ ସରକାର ରାଜ୍ୟର ପ୍ରତିଟି ଜିଲ୍ଲାକୁ ଶିଳ୍ପାୟନ କରିବାକୁ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଧାନ କେବଳ ଖାଦ୍ୟଶସ୍ୟ ନୁହେଁ, ଏହା ଚାଷୀ ଭାଇ ଓ ଭଉଣୀଙ୍କ ଝାଳବୁହା ପରିଶ୍ରମର ଫଳ। ପ୍ରତ୍ୟେକ ଧାନର ଦାନାରେ ଜଣେ କୃଷକଙ୍କ ଶ୍ରମ, ସହନଶୀଳତା ଓ ସ୍ୱପ୍ନ ଲୁଚିଥାଏ। ନୂଆଁଖାଇ ଆମକୁ ସେହି କୃଷକଙ୍କ ପ୍ରତି କୃତଜ୍ଞ କରିଥାଏ। ଏହି ପର୍ବରେ ସେମାନଙ୍କର ସମ୍ମାନ ସବୁଠାରୁ ଅଧିକ। ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ବିଶେଷ ସ୍ଥାନ, ଯାହା କଳା, ସଂସ୍କୃତିର ବିଶେଷ ବାର୍ତ୍ତା ବହନ କରେ। କେବଳ ସମ୍ବଲପୁର ନୁହେଁ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓଡ଼ିଶା ପାଇଁ ସ୍ୱତନ୍ତ୍ରତା ବହନ କରନ୍ତି।
ନୂଆଁଖାଇ ହେଉଛି ଚାଷଭିତ୍ତିକ ପର୍ବ, କୃଷକଙ୍କ ପରିଶ୍ରମ ପାଇଁ ଆମେ ପାଳୁଥିବା ପର୍ବ। ରାଜ୍ୟର କୃଷକ ପରିବାରଙ୍କ ଆୟ କେବଳ ଦୁଇଗୁଣ ନୁହେଁ, ବହୁଗୁଣିତ କରିବା ପାଇଁ ସରକାର ପ୍ରତିବଦ୍ଧ। ଆମ ସରକାର ହେଉଛି ଲୋକଙ୍କ ସରକାର, ଆପଣଙ୍କ ସରକାର। କେବଳ କାଗଜପତ୍ର କି ପ୍ରଚାର ପାଇଁ ନୁହେଁ। ଗତ ଏପ୍ରିଲ ୨୧ତାରିଖ ଦିନ ମୁଁ ପୁରା କ୍ୟାବିନେଟ୍ ଓ ପ୍ରଶାସନକୁ ନେଇ ଆସିଥିଲି ଆପଣଙ୍କ କଥା ଶୁଣିବାକୁ। ସମ୍ବଲପୁର ଅଭିଯୋଗ ଶୁଣାଣିରେ ମୋତେ ପ୍ରାୟ ୯,୩୭୭ ଅଭିଯୋଗ ମିଳିଥିଲା, ଯାହା ମଧ୍ୟରୁ ତୁରନ୍ତ ଅନ୍ ଦ ସ୍ପଟ୍ ୮୮ ପ୍ରତିଶତ ସମାଧାନ କରାଯାଇଥିଲା। ତେଣୁ ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲାକୁ ଯାଇ କେବଳ ଅଭିଯୋଗ ଶୁଣିବି ତାହା ନୁହେଁ, ଯଦି ଆବଶ୍ୟକ ହୁଏ, ମୁଁ କ୍ୟାବିନେଟ ମିଟିଂ ବି କରିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଆମ ସରକାର ରାଜ୍ୟର ପ୍ରତିଟି ଜିଲ୍ଲାକୁ ଶିଳ୍ପାୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦ୍ରୁତ ବିକାଶ ପାଇଁ ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ ହେଉଛି ଗମନାଗମନ। ଏଣୁ ରାଜ୍ୟ ସରକାର ପୂର୍ବ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ- ପାରାଦୀପ-ଚୌଦ୍ୱାର-ଢେଙ୍କାନାଳ-ଅନୁଗୁଳ-ସମ୍ବଲପୁର-ଝାରସୁଗୁଡ଼ା-ସୁନ୍ଦରଗଡ଼-ରାଉରକେଲାକୁ ସଂଯୋଗ କରୁଥିବା ଏକ ଶିଳ୍ପ କରିଡର୍ ବିକଶିତ କରିବେ। ଏହା ନିରବଚ୍ଛିନ୍ନ ସେବାକୁ ସୁଗମ କରି ଦ୍ରୁତ ଏବଂ ସମନ୍ୱିତ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ। ଆମେ ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ବିକଶିତ କରିବାକୁ ଯୋଜନା କରୁଛୁ। ଏଥିରେ ହୀରାକୁଦ ଜଳଭଣ୍ଡାର, ଦେବ୍ରିଗଡ଼ ଜଙ୍ଗଲର ଆକର୍ଷଣୀୟ ସୌନ୍ଦର୍ଯ୍ୟ ଓ ବନ୍ୟପ୍ରାଣୀ ଏବଂ ନିକଟବର୍ତ୍ତୀ ସମ୍ବଲପୁର ସହର ଏବଂ ମା’ ସମଲେଇଙ୍କ ମନ୍ଦିରର ବିକାଶ କାର୍ଯ୍ୟ ହାତକୁ ନିଆଯିବ। ହରିଶଙ୍କର-ନୃସିଙ୍ଘନଥ ପୀଠକୁ ସ୍ୱତନ୍ତ୍ର ଭାବେ ବିକଶିତ କରାଯିବ।
ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆଁଖାଇ କେବଳ ଗୋଟିଏ ଦିନର କି ଦୁଇ ଦିନର ପର୍ବ ନୁହେଁ। ଏହା ହେଉଛି ଗଣପର୍ବ। ବହୁତ ଦିନ ଧରି ଏହା ଚାଲେ, ବାସି, ତିଆସି ଭାବେ। ଏଣୁ ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ, ଆମ ସରକାର ଚଳିତବର୍ଷ ନୂଆଖାଇ ପରଦିନକୁ ମଧ୍ୟ ସରକାରୀ ଛୁଟି ଭାବେ ଘୋଷଣା କରିଥିଲେ। ନୂଆଁଖାଇ ଆମକୁ କହେ-ପରିବାରରେ ଏକତା ରଖ। ସମାଜରେ ଶାନ୍ତି ଓ ସହଯୋଗକୁ ବଢ଼ାଅ। ପ୍ରକୃତିକୁ ମା’ ଭାବି ସମ୍ମାନ କର। କୃଷକଙ୍କୁ ସମ୍ମାନ ଦେଇ ସେମାନଙ୍କ ପରିଶ୍ରମକୁ ସଫଳ ରୂପାୟନ କରିବାରେ ଆମେ ନିଜକୁ ସାମିଲ କରିବା। ନୂଆଁଖାଇ କେବଳ ପର୍ବ ନୁହେଁ-ଏହା ଆମର “ଅସ୍ତିତ୍ୱର ପରିଚୟ’।
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ବରଗଡ଼, ଅନୁଗୁଳ ଏବଂ ବଲାଙ୍ଗୀରର ବିଧାୟକଗଣ ଉପସ୍ଥିତ ଥିଲେ। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରି ନାଏକ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ, ବିଧାୟକଗଣ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମା’ ସମଲେଶ୍ୱରୀ ମନ୍ଦିର ଏବଂ ମା’ ପାଟଣେଶ୍ୱରୀ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ନେଇଥିଲେ।










