25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଏନ୍‌ଆଇଆର୍‌ଏଫ୍‌-୨୦୨୫ ର‌୍ୟାଙ୍କିଂ ଜାରି: ଆଇଆଇଟି ମାଡ୍ରାସ୍ ପୁଣି ଶୀର୍ଷରେ

ଏନ୍‌ଆଇଆର୍‌ଏଫ୍‌-୨୦୨୫ ର‌୍ୟାଙ୍କିଂ ଜାରି: ଆଇଆଇଟି ମାଡ୍ରାସ୍ ପୁଣି ଶୀର୍ଷରେ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଜାତୀୟ ପ୍ରତିଷ୍ଠାନ ର‌୍ୟାଙ୍କିଂ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌)-୨୦୨୫ ଘୋଷଣା କରାଯାଇଛି। ର‌୍ୟାଙ୍କିଂ ତାଲିକାରେ ଆଇଆଇଟି ମାଡ୍ରାସ ପୁଣିଥରେ ଭାରତର ସର୍ବୋତ୍ତମ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ଶୀର୍ଷସ୍ଥାନ ହାସଲ କରିଛି। ଚଳିତ ବର୍ଷକୁ ମିଶାଇ କ୍ରମାଗତ ୭ମ ଥର ପାଇଁ ଆଇଆଇଟି ମାଡ୍ରାସ ଶୀର୍ଷ ସ୍ଥାନ ବଜାୟ ରଖିଛି। ସେହିପରି ୨ୟ ସ୍ଥାନରେ ଭାରତୀୟ ବିଜ୍ଞାନ ସଂସ୍ଥାନ (ଆଇଆଇଏସ୍‌ସି), ବେଙ୍ଗାଲୁରୁ ରହିଥିବା ବେଳେ ୩ୟ ସ୍ଥାନରେ ଆଇଆଇଟି ବମ୍ବେ ରହିଛି।

ଗୁରୁବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ ଦେଶର ଲବ୍ଧ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକର ଏହି ତାଲିକା (୧୦ମ ସଂସ୍କରଣ) ଜାରି କରିଛନ୍ତି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ବିଶ୍ୱବିଦ୍ୟାଳୟ, କଲେଜ ଏବଂ ପ୍ରତିଷ୍ଠାନଗୁଡ଼ିକୁ ତାଲିକାଭୁକ୍ତ କରାଯାଇ ଏହି ତାଲିକା ଜାରି କରାଯାଇଛି। ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଂକୁ ଦେଶବ୍ୟାପୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଗୁଣବତ୍ତାର ଏକ ବଡ଼ ମାପକାଠି ଭାବରେ ବିବେଚନା କରାଯାଏ ଏବଂ ଏହା ଛାତ୍ରୀଛାତ୍ରମାନଙ୍କ ପାଇଁ ସଠିକ୍ କ୍ୟାରିଅର ବାଛିବାରେ ସହାୟକ ହୋଇଥାଏ। କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ପ୍ରକାଶିତ ଏନ୍‌ଆଇଆରଏଫ୍ ର‌୍ୟାଙ୍କ୍ ତାଲିକା ଅନୁସାରେ ଆଇଆଇଟି ଦିଲ୍ଲୀ ୪ର୍ଥ ସ୍ଥାନରେ ରହିଥିବା ବେଳେ ଆଇଆଇଟି କାନପୁର ୫ମ ସ୍ଥାନରେ, ଆଇଆଇଟି ଖଡଗପୁର ୬ଷ୍ଠ ସ୍ଥାନରେ ଏବଂ ଆଇଆଇଟି ରୁର୍‌କି ୭ମ ସ୍ଥାନରେ ରହିଛନ୍ତି। ସେହିପରି ୮ମ ସ୍ଥାନରେ ଦିଲ୍ଲୀ ଏମ୍ସ ରହିଥିବା ବେଳେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ୯ମ ସ୍ଥାନରେ ଏବଂ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟ ୧୦ମ ସ୍ଥାନରେ ରହିଛନ୍ତି। ଏତଦ୍‌ବ୍ୟତୀତ ବେଙ୍ଗାଲୁରୁରେ ଥିବା ନ୍ୟାସନାଲ ଲ ସ୍କୁଲ ଅଫ୍ ଇଣ୍ଡିଆ’କୁ ଦେଶର ସର୍ବୋତ୍ତମ ଆଇନ କଲେଜ ଭାବେ ସ୍ଥାନିତ କରାଯାଇଛି।

ଶିକ୍ଷାନୁଷ୍ଠାନଗୁଡ଼ିକୁ ଏପ୍ରକାର ର‌୍ୟାଙ୍କିଂଭୁକ୍ତ କରିବା ପାଇଁ ଭିନ୍ନଭିନ୍ନ ପାରାମିଟର (ମାନଦଣ୍ଡ) ବ୍ୟବହାର କରାଯାଇଥାଏ। ଚଳିତ ବର୍ଷ ପ୍ରକାଶିତ ର‌୍ୟାଙ୍କିଂ ପ୍ରାୟ ୧୭ଟି ପାରାମିଟର ଉପରେ ପର୍ଯ୍ୟବେସିତ ରହିଛି। ସାମଗ୍ରିକ ଭାବରେ, ଏସ୍‌ଡିଜି ପ୍ରତିଷ୍ଠାନ, ବିଶ୍ୱବିଦ୍ୟାଳୟ, କଲେଜ, ଗବେଷଣା ପ୍ରତିଷ୍ଠାନ, ଇଞ୍ଜିନିୟରିଂ, ପରିଚାଳନା, ଫାର୍ମାସି, ଚିକିତ୍ସା, ଦନ୍ତ, ଆଇନ, ସ୍ଥାପତ୍ୟ ଏବଂ ଯୋଜନା, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର, ମୁକ୍ତ ବିଶ୍ୱବିଦ୍ୟାଳୟ, ଦକ୍ଷତା ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ଏହି ପାରାମିଟର ଆଧାରରେ ବିଶ୍ଳେଷଣ କରାଯାଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking