28.1 C
Bhubaneswar
Wednesday, February 4, 2026
Homeଓଡିଶାନାଗରିକ ସମାଜର ସଂପୃକ୍ତି ଲୋଡିଲା କଂଗ୍ରେସ

ନାଗରିକ ସମାଜର ସଂପୃକ୍ତି ଲୋଡିଲା କଂଗ୍ରେସ

ଭୁବନେଶ୍ୱର: ଓଡିଶାରେ କଂଗ୍ରେସର ସମସ୍ତ ୩୫ ଗୋଟି ସାଙ୍ଗଠନିକ ଜିଲ୍ଲାର ସଭାପତି ଚୟନ ପାଇଁ ଆରମ୍ଭ ହୋଇଥିବା ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ସୃଷ୍ଟି କରିଛି। ଦେଶର ବିଭିନ୍ନ ପ୍ରାନ୍ତରରୁ ବଛାବଛା ୩୫ ଜଣ ବରିଷ୍ଠ, ଅଭିଜ୍ଞ ଓ ଜଣାଶୁଣା କଂଗ୍ରେସ ନେତାଙ୍କୁ ଏଆଇସିସି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଓଡିଶା ପଠାଇଛି। ପ୍ରତ୍ୟେକ ଜିଲ୍ଲାରେ ସଂପୃକ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ସାହାଯ୍ୟ କରିବା ପାଇଁ ପିସିସି ପକ୍ଷରୁ ୩ ଜଣ ଲେଖାଏଁ ରାଜ୍ୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ସଂପୃକ୍ତ ଜିଲ୍ଲାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ଅନ୍ୟୁନ ୭ ଦିନ ଅବସ୍ଥାନ କରିବା ଭିତରେ ଦଳୀୟ କର୍ମୀ ଓ ନେତାଙ୍କ ମତାମତ ନେଇ ସବୁ ବର୍ଗର ପ୍ରତିନିଧିତ୍ବ କରୁଥିବା ମୋଟ ୬ ଜଣ ଯୋଗ୍ୟ ଓ ଦକ୍ଷ ସଂଗଠକଙ୍କ ତାଲିକା ପ୍ରସ୍ତୁତ କରି ଏଆଇସିସି ଦ୍ବାରା ଚୂଡାନ୍ତ ଚୟନ ନିମନ୍ତେ ଏହା ନିକଟରେ ଆସନ୍ତା ୧୪ ତାରିଖ ସୁଦ୍ଧା ଦାଖଲ କରିବେ। ଏହି ପ୍ରସଙ୍ଗରେ କଂଗ୍ରେସର ସର୍ବମାନ୍ୟ ନେତା ରାହୁଲ ଗାନ୍ଧି କହିଛନ୍ତି, ଏକ ଶକ୍ତିଶାଳୀ ବିରୋଧୀ ଦଳ ସମୃଦ୍ଧ ଗଣତନ୍ତ୍ର ପାଇଁ ଅପରିହାର୍ଯ୍ୟ। ଦେଶରେ ବିଶେଷ କରି ଓଡିଶାରେ ସାଂପ୍ରତିକ ରାଜନୈତିକ ସ୍ଥିତି ଦୃଷ୍ଟିରୁ କଂଗ୍ରେସ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହେବାର ଆବଶ୍ୟକତା ରହିଛି। ତେଣୁ ତୃଣମୂଳ ସ୍ତରରେ ଦଳର ସଂଗଠନକୁ ସୁଦୃଢ଼ କରିବା ପାଇଁ ଅଭିପ୍ରେତ ସୃଜନ କାର୍ଯ୍ୟକ୍ରମରେ ନାଗରିକ ସମାଜର ସଂପୃକ୍ତି ଲୋଡା ବୋଲି ଶ୍ରୀ ଗାନ୍ଧି ମତପ୍ରକାଶ କରିଛନ୍ତି। ରାହୁଲଜୀଙ୍କ ଆହ୍ୱାନକୁ କାର୍ଯ୍ୟକାରୀ କରିବା ପାଇଁ ଆଗେଇ ଆସିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଓଡିଶାର ନାଗରିକ ସମାଜକୁ ନିବେଦନ କରିଛନ୍ତି। ନିଜନିଜ ଜିଲ୍ଲାରେ ଜଣେ ଲେଖାଏଁ ଦକ୍ଷ ଓ ଯୋଗ୍ୟ କଂଗ୍ରେସ ନେତାଙ୍କୁ ଡିସିସି ସଭାପତି ଚୟନ କରାଇବା ସମଭାବାପନ୍ନ ନାଗରିକ ସମାଜଗୁଡିକର ମଧ୍ୟ କର୍ତ୍ତବ୍ୟ ବୋଲି ଶ୍ରୀ ଦାସ କହିଛନ୍ତି। ଡିସିସି ସଂଯୋଜକମାନେ ନିଜନିଜ ଜିଲ୍ଲାର ବିଭିନ୍ନ ଅଗ୍ରଣୀ ସାମାଜିକ ସଂଗଠନ ଓ ନାଗରିକ ସମାଜର ଦାୟିତ୍ୱବାନ ଓ ଗ୍ରହଣୀୟ ପ୍ରତିନିଧିମାନଙ୍କୁ ନେଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ନିକଟରେ ଆଲୋଚନା ପାଇଁ ପହଞ୍ଚାଇବାରେ ସହଯୋଗ କରିବାକୁ ଶ୍ରୀ ଦାସ ଆହ୍ବାନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking