18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶପୂଜା ଆଗରୁ ମୋଦୀ ସରକାରଙ୍କ ଭେଟି, ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ: କମିଲା ଜିଏସଟି ହାର

ପୂଜା ଆଗରୁ ମୋଦୀ ସରକାରଙ୍କ ଭେଟି, ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ: କମିଲା ଜିଏସଟି ହାର

ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୬ତମ ବୈଠକରେ ଆଜି ବହୁତ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଏସଟି ସ୍ଲାବକୁ ହ୍ରାସ କରି କେବଳ ଦୁଇଟି କରାଯାଇଛି। ଏବେ ସାରାଦେଶରେ କେବଳ ୫ ଓ ୧୮ ପ୍ରତିଶତ ସ୍ଲାବ୍ ଲାଗୁ ହେବ।୧୨ ଓ ୨୮ ପ୍ରତିଶତ ସ୍ଲାବକୁ ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ଏହି ନୂତନ ସ୍ଲାବ ଆସନ୍ତା ୨୨ ତାରିଖରୁ ଲାଗୁ ହେବ। ବିଶେଷ କରି ସୌଖୀନ ଓ ତମାଖୁ ଜାତ ସାମଗ୍ରୀ ଉପରେ ୪୦% ସ୍ଲାବ୍ ଲାଗୁ ହୋଇଥିବାବେଳେ ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ।

ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “ସାଧାରଣ ଲୋକଙ୍କୁ ଧ୍ୟାନରେ ରଖି ଏହି ସଂସ୍କାର କରାଯାଇଛି। ସାଧାରଣ ଲୋକଙ୍କ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପରେ ଲାଗୁ ହୋଇଥିବା ପ୍ରତ୍ୟେକ ଟିକସର ସମୀକ୍ଷା କରାଯାଇଛି ଏବଂ ଅଧିକାଂଶ କ୍ଷେତ୍ରରେ ହାରକୁ ବ୍ୟାପକ ଭାବରେ ହ୍ରାସ କରାଯାଇଛି। ଏଥିରେ ଚାଷୀ ଏବଂ କୃଷି କ୍ଷେତ୍ର ସହିତ ସ୍ୱାସ୍ଥ୍ୟ କ୍ଷେତ୍ର ମଧ୍ୟ ଉପକୃତ ହେବେ। ବିଶେଷ କରି ରୁଟି, ପରଟା, ଛେନା ପନିର ଉପରେ କୌଣସି ଟିକସ ରହିବ ନାହିଁ। ପାସ୍ତା, ଚକୋଲେଟ, କଫି ଉପରେ ୧୮% ବଦଳରେ ୫% ଟିକସ ଲାଗୁ ହେବ। ଏୟାର କଣ୍ଡିସନର, ଟିଭି, ଛୋଟ କାର ଏବଂ ମୋଟରସାଇକେଲ ଉପରେ ୧୮% ଟିକସ ଲାଗୁ ହେବ।

ସେହିପରି ଯେଉଁ ସାମଗ୍ରୀ ଉପରେ ଜିଏସ୍ଟି ୫%କୁ ହ୍ରାସ କରାଯାଇଛି ସେଗୁଡ଼ିକ ମଧ୍ୟରେ କେଶ ତେଲ, ଟଏଲେଟ୍ ସାବୁନ୍, ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ, ରୋଷେଇ ଘରର ସାମଗ୍ରୀ, ନମକିନ, ଭୁଜିଆ, ସସ୍, ପାସ୍ତା, ଚକୋଲେଟ୍, କଫି ଏବଂ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଅନ୍ତର୍ଭୁକ୍ତ। ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “ମଧ୍ୟମ ଆକାରର ଏବଂ ବଡ଼ କାର, ୩୫୦ ସିସିରୁ ଅଧିକ ଇଞ୍ଜିନ କ୍ଷମତାର ମୋଟରସାଇକେଲ, ବ୍ୟକ୍ତିଗତ ବ୍ୟବହାର ପାଇଁ ବିମାନ- ହେଲିକପ୍ଟରରେ ୪୦% ଟିକସ ଲାଗିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “ଏକ ସ୍ୱତନ୍ତ୍ର ହାର ଅଛି ଯାହା ୪୦%। ପ୍ରାୟ ସମସ୍ତ ସାମଗ୍ରୀ ୧୮% ରୁ ୫% ମଧ୍ୟରେ ରହିଛି। ଗୋଟିଏ ସ୍ୱତନ୍ତ୍ର ହାର ଅଛି ଯାହା ପାନ ମସଲା, ସିଗାରେଟ୍, ଗୁଟକା ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଯେପରିକି ଜର୍ଦ୍ଦା ଏବଂ ବିଡ଼ି ପାଇଁ ଲାଗୁ ହେବ।

ବର୍ତ୍ତମାନ ୪ଟି ଜିଏସଟି ସ୍ଲାବ ୫%, ୧୨%, ୧୮% ଓ ୨୮% କାର୍ଯ୍ୟକାରୀ ହେଉଛି । ସୂଚନା ଅନୁସାରେ ଆଗକୁ କେବଳ ୫% ଓ ୧୮% ସ୍ଲାବ ରହିପାରେ । ୨୮% ସ୍ଲାବରେ ଆସୁଥିବା ପ୍ରାୟ ୯୦% ସାମଗ୍ରୀ ୧୮% ସ୍ଲାବକୁ ଆସିପାରେ । ସେହିପରି ୧୨% ଜିଏସଟି ଆଦାୟ କରାଯାଉଥିବା ଅଧିକାଂଶ ସାମଗ୍ରୀ ୫% ଅଧିନକୁ ଆସିବା ସମ୍ଭାବନା ରହିଛି। ଆମେରିକା ଘୋଷଣା କରିଥିବା ୫୦ ପ୍ରତିଶତ ଟାରିଫ ବୃଦ୍ଧିକୁ ମୁକାବିଲା କରିବା ଲାଗି ଜିଏସଟିରେ ବଡ ହ୍ରାସ କରିବାକୁ କେନ୍ଦ୍ର ସରକାର ଯୋଜନା କରିଥିବା କୁହାଯାଉଛି। ଏମିତି କିଛି ପ୍ରଡକ୍ଟ ଉପରୁ ଜିଏସଟି ହ୍ରାସ ହେଲେ ଦେଶର କମ୍ପାନୀ ମାନେ ଉପକୃତ ହେବେ। ଏପିରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ୱାଧୀନତା ଦିବସ ଭାଷଣରେ ଏ ନେଇ ସଙ୍କେତ ଦେଇଥିଲେ।

ଜିଏସଟି କାଉନସିଲ୍ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗ ଦେଇଛନ୍ତି। ବଡ଼ କଥା ହେଉଛି, ଜିଏସଟି ହ୍ରାସ ନିଷ୍ପତ୍ତି ଦ୍ୱାରା ଦେଶ ସହ ସମସ୍ତ ରାଜ୍ୟ ୮୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଇବେ। ଯେଉଁଥିପାଇଁ ହିମାଚଳ ପ୍ରଦେଶ, ଝାଡଖଣ୍ଡ, କେରଳ, ପଞ୍ଜାବ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ ଭଳି ୮ ଅଣବିଜେପି ଶାସିତ ରାଜ୍ୟ ଏହାକୁ ବିରୋଧ ମଧ୍ୟ କରୁଛନ୍ତି। ଏହା ବାବଦକୁ ରାଜ୍ୟ ପାଇଁ କ୍ଷତିପୂରଣ ମଧ୍ୟ ଦାବି କରୁଛନ୍ତି। ସେ ଦିଗରେ ବି ଜିଏସଟି କାଉନସିଲ ବିଚାର କରିପାରେ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking