30.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପ୍ରଧାନମନ୍ତ୍ରୀଙ୍କ ସ୍ନାତକ ଡିଗ୍ରୀ ସାର୍ବଜନୀନ ହେବନି

ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ପ୍ରଧାନମନ୍ତ୍ରୀଙ୍କ ସ୍ନାତକ ଡିଗ୍ରୀ ସାର୍ବଜନୀନ ହେବନି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ନାତକ ଡିଗ୍ରୀ ସାର୍ବଜନୀନ କରାଯିବା ଦାବିରେ ଆଗତ ଏକ ପିଟିସନ୍ ଉପରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି, ‘ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ନାତକ ଡିଗ୍ରୀର ବିବରଣୀ ସାର୍ବଜନୀନ କରିବାକୁ ବାଧ୍ୟ ନୁହେଁ ।’ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସମ୍ପର୍କୀତ ସୂଚନା ଜାରି କରିବାକୁ କେନ୍ଦ୍ରୀୟ ସୂଚନା କମିସନଙ୍କ ଆଦେଶକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ସୋମବାର ଏହି ରାୟ ଶୁଣାଇଛନ୍ତି ।

୨୦୧୬ରେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ୧୯୭୮ ସ୍ନାତକ ବ୍ୟାଚ୍‌ରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ରେକର୍ଡ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି ସମୟରେ ହିଁ ସ୍ନାତକ ପରୀକ୍ଷାରେ ପାସ୍ କରିଥିଲେ । ତେବେ ସିଆଇସିଙ୍କ ଏହି ଆଦେଶକୁ ସେତେବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା । ୨୦୧୭ ଜାନୁଆରୀରେ ପ୍ରଥମ ଶୁଣାଣିରେ ହିଁ କୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ । ତେବେ ଏବେ ଯେତେବେଳେ ପୁନର୍ବାର ଏହା ଉପରେ ଶୁଣାଣି ଆବେଦନ କରାଯାଇଛି ସେତେବେଳେ ଦିଲ୍ଲୀ ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । ସୋମବାର ଶୁଣାଣି ସମୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଯୁକ୍ତିରେ ଦର୍ଶାଇଥିଲେ ଯେ, ସିଆଇସିର ଆଦେଶକୁ ରଦ୍ଦ କରିଦିଆଯିବା ଉଚିତ୍ । କାରଣ ଗୋପନୀୟତାର ଅଧିକାର ସୂଚନା ଅଧିକାରଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱବିଦ୍ୟାଳୟ ପକ୍ଷରୁ କୋର୍ଟଙ୍କୁ କୁହାଯାଇଥିଲା ଯେ, ସେମାନେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ରେକର୍ଡ କୋର୍ଟଙ୍କ ସମ୍ମୁଖରେ ଦାଖଲ କରିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଆରଟିଆଇ ଅଧିନିମୟ ଅଧୀନରେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଯାଞ୍ଚ ଲାଗି ତାହାକୁ ସାର୍ବଜନୀନ କରାଯାଇପାରିବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking